ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାସନ ସଂରକ୍ଷିତ ଜଙ୍ଗଲରୁ ୫ଘର ହାତୀ ଶନିବାର ସନ୍ଧ୍ୟା ପୂର୍ବରୁ ମେଘା ପଞ୍ଚାୟତର ଦାଶପୁର ଜନବସତି ନିକଟକୁ ଚାଲିଆସିଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି। ଗୋଟିଏ ବଡ ଦନ୍ତାହାତୀକୁ ମିଶାଇ ମୋଟ ୫ଘର ହାତୀ ଦାଶପୁର ନିକଟବର୍ତ୍ତୀ ଏକ ତୋଟାରେ ଅବସ୍ଥାନ କରୁଥିବାବେଳେ ଲୋକଙ୍କ ଚାଷଜମିରୁ ଫସଲ ଖାଇବା ପାଇଁ ଉଦ୍ୟମ କରୁଥିବାବେଳେ ଲୋକମାନେ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ସୁକାସନ ଜଙ୍ଗଲରେ ଥିବା ହାତୀପଲ ଗତ କିଛିଦିନ ହେବ ଏଠାରୁ ମାଧବପୁର ନିକଟ ସୁବାସୀ ଜଙ୍ଗଲ ଆଡକୁ ଚାଲିଯାଇଥିଲେ। ତେବେ ଗତ ୨ଦିନ ମଧ୍ୟରେ ସେହି ହାତୀଗୁଡିକ ପୁନଃ ସୁକାସନ ସଂରକ୍ଷିତ ଜଙ୍ଗଲକୁ ଫେରିଆସିବା ସହ ନିକଟବର୍ତ୍ତୀ ଅଞ୍ଚଳର ଚାଷ ଜମିରୁ ଫସଲ ଖାଇଯାଉଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। ଶନିବାର ହାତୀଗୁଡିକ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହୋଇଥିବାବେଳେ ହାତୀ ଜଗୁଆଳି ଏବଂ ବନରକ୍ଷୀ ଓ ବନପାଳଙ୍କର ସେଠାରେ ଦେଖାମିଳୁନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Popular Categories



