୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନୋଟିସ୍‌

0

ସର୍ବୋଚ୍ଚ ନ୍ୟାୟାଳୟଙ୍କ ବାରମ୍ବାର ତାଗିଦ 

ନୂଆଦିଲ୍ଲୀ : ଆପରାଧିକ ରେକର୍ଡ ଥିବା ରାଜନୀତିଜ୍ଞଙ୍କ ସମ୍ପର୍କରେ ତଥ୍ୟ ଦେଉ ନାହାନ୍ତି ସଂଖ୍ୟାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ଗତ ବର୍ଷ ନଭେମ୍ବର ୧୧ ଓ ଚଳିତ ବର୍ଷ ଅଗଷ୍ଟ ୨୮ରେ ଦୁଇଦୁଇ ଥର ସର୍ବୋଚ୍ଚ ନ୍ୟାୟାଳୟ ଆପରାଧିକ ମାମଲାରେ ସମ୍ପୃକ୍ତ ବିଧାୟକ ଓ ସାଂସଦଙ୍କ ସଂଖ୍ୟା, ସେମାନଙ୍କ ଉପରେ କେତେ ଓ କେଉଁଭଳି ମାମଲା ରହିଛି, କେତେ ମାମଲା ସ୍ୱତନ୍ତ୍ର ଅଦାଲତକୁ ପଠାଯାଇଛି, ଏହି ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କାର୍ଯ୍ୟ କେତେଦୂର ଆଗେଇଛି ଇତ୍ୟାଦି ସମ୍ପର୍କରେ ତଥ୍ୟ ମାଗିଥିଲେ ଅଧିକାଂଶ ରାଜ୍ୟ ସରକାର ସେଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନାହାନ୍ତି। ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ବିରୋଧରେ ମାମଲା ବର୍ଷବର୍ଷ ଧରି ଗଡ଼ିଚାଲିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହୋଇଛନ୍ତି। ଏ ନେଇ ତିନି ଜଣିଆ ପୀଠ ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଉପରେ ବର୍ଷିଛନ୍ତି।
ବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତନି ଜଣିଆ ପୀଠ ବୁଧବାର ଏ ସମ୍ପର୍କିତ ୬ପୃଷ୍ଠାର ନିର୍ଦେଶ ଜାରି କରିଛନ୍ତି। ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ଆସାମ, ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ୍‍, ତ୍ରିପୁରା, ଉତ୍ତରାଖଣ୍ଡ ସହିତ ଆଣ୍ଡାମାନ ନିକୋବର ଦ୍ୱୀପପୂଞ୍ଜ, ଚଣ୍ଡିଗଡ଼, ଦାଦ୍ରା ଓ ନଗରହାବେଳି, ଡାମନ ଓ ଡିଉ, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀକୁ ତୁରନ୍ତ ତଥ୍ୟ ଦାଖଲ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ତାଗିଦା କରିଛନ୍ତି। ତଥ୍ୟ ମିଳିବା ପରେ ପୀଠ ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ଏହାର ତର୍ଜମା କରିବେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଜଣାଇଛନ୍ତି। ଏହାଛଡ଼ା ୧୧ଟି ରାଜ୍ୟରେ ପ୍ରତିଷ୍ଠିତ ୧୨ଟି ସ୍ୱତନ୍ତ୍ର ଅଦାଲତର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବାକୁ ଦୁଇ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। ମାମଲାର ପରିମାଣ ଭିତ୍ତିରେ ଅଧିକ ସ୍ୱତନ୍ତ୍ର ଅଦାଲତର ଆବଶ୍ୟକତା ରହିଛି କି ନାହିଁ ତାହା ସେମାନେ ପୀଠକୁ ଅବଗତ କରିବେ ବୋଲି କୁହାଯାଇଛି।
ଗତ ଡିସେମ୍ବର ୧୪ରେ ସର୍ବୋଚ୍ଚ ଦାଗି ନେତାଙ୍କ ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଦିଲ୍ଲୀରେ ଦୁଇଟି ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଳନାଡ଼ୁ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଗୋଟିଏ ଲେଖାଏଁ ଅଦାଲତ ପ୍ରତିଷ୍ଠା ହୋଇଛି। ସେଥିମଧ୍ୟରୁ ୬ଟି ସେସନ୍ସ ଅଦାଲତ ହୋଇଥିବାବେଳେ ୫ଟି ମାଜିଷ୍ଟ୍ରେଟ୍‍ସ୍ତରୀୟ ଅଦାଲତ।

Leave A Reply