www.samajalive.in
Friday, December 12, 2025
26.1 C
Bhubaneswar

କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍‌ଆଇଟି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା​ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ପୁଲିସ ଦଳ (ଏସ୍‌ଆଇଟି)। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ବିରୋଧରେ ଦରଜ ହୋଇଥିବା ଆରୋପକୁ ପରିବର୍ତ୍ତନ କରାଯିବା ଉଚିତ। ଆଶିଷ ନିଜେ ଗାଡ଼ି ଚଲାଉଥିଲେ ଏବଂ ସେ ଜାଣିଶୁଣି ବା ସ୍ବେଚ୍ଛାକୃତ ଭାବେ ହତ୍ୟା ଉଦ୍ୟମ କରିଥିବା ଏସ୍‌ଆଇଟି ଦର୍ଶାଇଛି। ଆଶିଷ ମିଶ୍ରଙ୍କ ବିରୋଧରେ ଦ୍ରୁତଗତିରେ ଗାଡ଼ିଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ଯେଉଁ ଆରୋପ ଲଗାଯାଇଛି ତାହାକୁ ସଂଶୋଧନ ପୂର୍ବକ ହତ୍ୟା ଆରୋପ ଲଗାଇବାକୁ ଏସ୍‌ଆଇଟି ଅଦାଲତକୁ ପ୍ରସ୍ତାବ ଦେଇଛି। ଆଶିଷ ହେଉଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ। ମଙ୍ଗଳବାର ଟେନି ହାଜତରେ ପୁଅ ଆଶିଷଙ୍କୁ ଭେଟିଥିବା ଜଣାଯାଇଛି।

ଏସ୍‌ଆଇଟି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ଅକ୍ଟୋବର ୩ରେ ଲଖିମପୁର ଖେରିଠାରେ କୃଷକଙ୍କ ଶୋଭାଯାତ୍ରା ଉପରେ ଆଶିଷ ମିଶ୍ର ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଦ୍ରୁତଗତିରେ ଆସି ମାଡ଼ିଯାଇଥିଲା। ଏଥିରେ ୪ କୃଷକ, ଜଣେ ସାମ୍ବାଦିକଙ୍କ ସହ ମୋଟ ୮ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିମଧ୍ୟରେ ଉତ୍ତ୍ୟକ୍ତ କୃଷକଙ୍କ ଆକ୍ରମଣରେ ମୃତ ଦୁଇ ବିଜେପି କର୍ମୀ ଓ ଜଣେ ଗାଡ଼ିଚାଳକ ଥିଲେ। ଶୋଭାଯାତ୍ରାକାରୀ ପ୍ରତିକ୍ରିୟା ସ୍ବରୂପ ଅଭିଯୁକ୍ତ ବିଜେପି ନେତାଙ୍କ ଗାଡ଼ିକୁ ପୋଡ଼ିଦେବା ସହ ଘଟଣାସ୍ଥଳରେ ଲଙ୍କାକାଣ୍ଡ ଭିଆଇଥିଲେ। ପୁଲିସ ପ୍ରଥମେ ଆଶିଷଙ୍କୁ ଘଣ୍ଟ ଘୋଡ଼ାଇବା ଉଦ୍ୟମ କରିଥିଲା। ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା।

- Advertisement -

ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶକ୍ରମେ ଉତ୍ତର ପ୍ରଦେଶ ବାହାରର ତିନି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନେଇ ଗଠିତ ଏସ୍‌ଆଇଟି ଏହାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିଛି। ଏହି ମାମଲାରେ ଆଶିଷଙ୍କ ବିରୋଧରେ ଲଖିମପୁର ପୁଲିସ ପକ୍ଷରୁ ଦୁଇଟି ଏତଲା ଦାୟର ହୋଇଥିବାବେଳେ ମୃତ କୃଷକଙ୍କ ପରିବାର ପକ୍ଷରୁ ଅନ୍ୟ ଏକ ଏତଲା ଦାୟର ହୋଇଛି। ଏଥିରେ ଆଶିଷଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଲଗାଯାଇଥିଲା। ଅନ୍ୟ ଏତଲା ଜଣେ ସ୍ଥାନୀୟ ବିଜେପି କର୍ମୀ ସୁମିତ ଜୟସ୍ବାଲଙ୍କ ପକ୍ଷରୁ ଅଜ୍ଞାତ କୃଷକଙ୍କ ବିରୋଧରେ ଦାୟର କରାଯାଇଛି। ଏହି ଘଟଣାରେ ପୁଲିସ ମୋଟ ୧୩ଜଣଙ୍କୁ ଗିରଫ କରିଛି। ଭିଡିଓରେ ଜୟସ୍ବାଲ ଏକ ଗାଡ଼ି ଚଳାଉଥିବା ଦେଖାଯିବା ପରେ ତାକୁ ମଧ୍ୟ ପୁଲିସ ଗିରଫ କରିଛି।

ଏସ୍‌ଆଇଟି ରିପୋର୍ଟ ଉପସ୍ଥାପନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ପ୍ରମୁଖ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଅଭିଳମ୍ବେ ଅଜୟ ମିଶ୍ର ଟେନିଙ୍କ ବହିଷ୍କାର ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ଘଟଣା ସମୟରେ ଆଶିଷଙ୍କ ବିରୋଧରେ ଅଭିଯୋଗର ପ୍ରମାଣ ଥିଲେ ତାଙ୍କୁ ଗିରଫ କରାଯିବ ବୋଲି କହୁଥିବା ଅଜୟ ମିଶ୍ର ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେମାନେ କଟାକ୍ଷ କରିଛନ୍ତି। ଅଜୟଙ୍କୁ କେବେ ବହିଷ୍କାର କରାଯିବ ବୋଲି ମମତା ବାନାର୍ଜୀ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦେବା ଉଚିତ କି ନୁହେଁ ଏବଂ ସଂସଦରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ବିବୃତ୍ତି ଦେବେ କି ନାହିଁ ବୋଲି ମଧ୍ୟ ସେ ପଚାରିଛନ୍ତି। ପ୍ରିୟଙ୍କା ଓ ରାହୁଲ ମଧ୍ୟ ସମାନ ପ୍ରଶ୍ନ କରିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories