www.samajalive.in
Friday, December 12, 2025
27.1 C
Bhubaneswar

ସିଏଜି ରିପୋର୍ଟ : ଦରମା ବିଲ୍‌ରେ କାରସାଦି, ୨୦.୦୭ ଲକ୍ଷ ଆତ୍ମସାତ

ଭୁବନେଶ୍ବର  : ମୟୂରଭଞ୍ଜ ଜିଲାର ଗାଡିଆ ଆଞ୍ଚଳିକ ମହାବିଦ୍ୟାଳୟର ୨ଜଣ ଶିକ୍ଷକ ଏବଂ ଜଣେ କିରାଣି ବେତନ ବିଲରେ କାରସାଦି କରି ୨୭.୭୫ ଲକ୍ଷ ଟଙ୍କା ଆତ୍ମାସାତ କରିଛନ୍ତି। ଏଭଳି ସାଘଂାତିକ ତଥ୍ୟ ସିଏଜି ତାଙ୍କ ବିବରଣୀ (ରିପୋର୍ଟରେ) ଉଲ୍ଲେଖ କରିଛନ୍ତି। ସେହିପରି ଅନୁସୂଚିତ ଜାତି, ଜନଜାତି, ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ୯.୧୨ କୋଟି ଟଙ୍କାରେ ନିର୍ମିତ ନୂତନ ବି.ଏଡ ମହାବିଦ୍ୟାଳୟ(କଲେଜ) ଭୂତକୋଠି ପାଲଟିଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଜାନୁଆରୀ ୨୦୧୩ରୁ ନଭେମ୍ବର ୨୦୧୮ ମଧ୍ୟରେ ଗାଡିଆ ଆଞ୍ଚଳିକ ମହାବିଦ୍ୟାଳୟର ୨ ଅଧ୍ୟାପକ ଏବଂ ଜଣେ କିରାଣି ୨୭.୭୫ ଲକ୍ଷ ଟଙ୍କା ଅଧିକ ଦରମା ଉଠାଇଥିଲେ।
ଏହା ଜଣାପଡିବା ପରେ ସେମାନଙ୍କ ପାଖରୁ ୭.୬୮ଲକ୍ଷ ଟଙ୍କା ଅସୁଲ କରାଯାଇଥିଲା। ୨୦.୭ ଲକ୍ଷ ଟଙ୍କା ଅସୁଲ ହୋଇପାରି ନଥିଲା। ଅଡିଟ ଜାଣିବାକୁ ପାଇଥିଲା କଲେଜ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ଦରମା ବିଲ ପ୍ରସ୍ତୁତ ହେଉଥିଲା। ଅଧ୍ୟକ୍ଷ ଏବଂ ପରିଚାଳନା ପରିଷଦ ଅଧ୍ୟକ୍ଷଙ୍କ ଦ୍ବାରା ଦରମା ବିଲ ଅନୁମୋଦନ ହୋଇ ବାରିପଦା ଜିଲା କୋଷାଗାରକୁ ଯାଉଥିଲା। କୋଷାଗାରରେ ଦାଖଲ କରାଯାଉ ଥିବା ଅନୁମୋଦିତ ଦରମା ବିଲରେ ଦେଖାଗଲା ବେତନ ବିଲରେ ଅଧ୍ୟକ୍ଷ ଏବଂ ପରିଚାଳନା ପରିଷଦ ଅଧ୍ୟକ୍ଷଙ୍କ ଦସ୍ତଖତ ପରେ ନିର୍ଦ୍ଧାରିତ ବେତନ ପରିମାଣଠାରୁ ଅଧିକ କରାଯାଇଥିଲା। ଜଣେ ଅଧ୍ୟାପକଙ୍କ ନାମରେ ୧୬.୪୭ ଲକ୍ଷ ଏବଂ ଅନ୍ୟ ଜଣେ ଅଧ୍ୟାପକଙ୍କ ନାମରେ ୩.୬୦ ଟଙ୍କା ଅସୁଲ କରିବାର ଥିଲା। କିନ୍ତୁ କିରାଣୀଙ୍କ ପାଖରୁ ମୋଟ ୧.୫୦ ଲକ୍ଷ ଟଙ୍କା ଅସୁଲ କରାଯାଇ ଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ କହିଥିଲେ, ଘଟଣାର ପୁଲିସ ତଦନ୍ତ କରୁଛି। ସମ୍ପୃକ୍ତ କର୍ମଚାରୀ ନେଇଥିବା ଅଧିକ ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ୨୦.୦୭ ଲକ୍ଷ ଟଙ୍କା ଅସୁଲ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଅଧ୍ୟକ୍ଷ ବିନା ଯାଞ୍ଚରେ ଦସ୍ତଖତ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦେଶକ, ବାଲେଶ୍ବର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିଲେ। ସରକାରୀ ଅର୍ଥ ଆତ୍ମାସାତ କରିଥିବା କାରଣରୁ ୩ କର୍ମଚାରୀ ଏବଂ ତତ୍‌କାଳୀନ ଅଧ୍ୟକ୍ଷଙ୍କୁ ଉତ୍ତରଦାୟୀ କରିବାକୁ ସିଏଜି ସୁପାରିସ କରିଛନ୍ତି।
ରାଜ୍ୟରେ ବି.ଏଡ୍ କଲେଜ ଆବଶ୍ୟକତାକୁ ଆକଳନ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ମାଲକାନଗିରିରେ ବି.ଏଡ କଲେଜ ନିର୍ମାଣ ହୋଇଥିଲା। ୯.୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ଭୂତକୋଠିରେ ପରିଣତ ହୋଇଥିଲା। ବ୍ୟବହାର ନହେବାରୁ କୋଠାର ଅଧିକାଂଶ ଝରକା, କବାଟ ଓ ଗ୍ରୀଲ ଚୋରି ହୋଇଥିଲା। ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୧୨ ଏପ୍ରିଲରେ ଆଦିବାସୀ ସବପ୍ଲାନ ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ ପାଇଁ ବି.ଏଡ୍ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଜିଲାରେ ଗୁଣାତ୍ମକ ଶିକ୍ଷାଦାନ ଓ ଯୋଗ୍ୟ ଶିକ୍ଷକ ସୁନିଶ୍ଚିତ ପାଇଁ ପ୍ରତି ବ୍ୟାଚରେ ୧୦୦ଜଣ ବିଦ୍ୟାର୍ଥୀ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୨ ଅଗଷ୍ଟରୁ ୨୦୧୬ ଡିସେମ୍ବର ମଧ୍ୟରେ ଏହି ବି.ଏଡ୍ କଲେଜ ନିର୍ମାଣ ପାଇଁ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ୧୦.୧୨କୋଟି ଟଙ୍କା ଅନୁମୋଦନ ହୋଇଥିଲା। ୫ଏକର ଜମିର ୧୮୮୮୫ ବର୍ଗଫୁଟ ଅଞ୍ଚଳରେ କୋଠା, ଛାତ୍ର ଓ ଛାତ୍ରୀ ନିବାସ ୧୭ଟି କର୍ମଚାରୀଙ୍କ ନିମନ୍ତେ ଘର ନିର୍ମାଣ ହୋଇଥିଲା।
୨୦୧୮ ଫେବୃୟାରୀ ୨୦ରେ ୯.୧୨କୋଟି ଟଙ୍କା ବ୍ୟୟରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା । ୨୦୧୮ ଜୁଲାଇ ୨୬ରେ ଏହି କଲେଜ ଉଦ୍‌ଘାଟିତ ହୋଇଥିଲା। ଏହି କଲେଜ ପାଇଁ ଆବଶ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସୃଷ୍ଟି ପାଇଁ ଅର୍ଥ ବିଭାଗ ସମ୍ମତି ପ୍ରଦାନ କରିଥିଲା। ବି.ଏଡ୍ କଲେଜ ପରିଚାଳନା ଦାୟିତ୍ବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ହାତରେ ରହିଥିଲା। କଲେଜକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ତତ୍‌କାଳୀନ ଅନୁସୂଚିତ ଜନଜାତି ନିର୍ଦେଶକଙ୍କୁ ୨୦୧୯ ଅକ୍ଟୋବର ୯ରେ ଅନୁରୋଧ କରିଥିଲେ; କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଲେଜକୁ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ଗ୍ରହଣ କରି ନଥିଲା। ଗଣଶିକ୍ଷା ବିଭାଗ ଅନ୍ତର୍ଗତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ନିର୍ଦେଶକ କହିଥିଲେ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏନସିଟିଇ ୨୦୧୮-୧୯ଠାରୁ ନୂତନ କଲେଜ ଗୁଡିକୁ ଅନୁବନ୍ଧିତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟରେ ନୂତନ ବି.ଏଡ କଲେଜର ଆବଶ୍ୟକତା ନଥିବା କହିଥିଲେ। ଯେଉଁଥିପାଇଁ ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି କରି ନିଯୁକ୍ତି ଦିଆଯାଇନଥିଲା।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories