www.samajalive.in
Thursday, December 11, 2025
14.1 C
Bhubaneswar

‘ସ୍ବର୍ଣ୍ଣିମ ବିଜୟ ପର୍ବ’ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ; ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ମୂଳୋତ୍ପାଟନ ହେବ

ନୂଆଦିଲ୍ଲୀ : ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ନିମନ୍ତେ ପାକିସ୍ତାନ ସର୍ବଦା ପ୍ରୟାସ କରିଆସୁଛି। ୧୯୭୧ରେ ପାକିସ୍ତାନର ଏପରି ପ୍ରୟାସକୁ ଭାରତ ବିଫଳ କରିଥିଲା ଏବଂ ଏବେ ପାକିସ୍ତାନ ଆତଙ୍କବାଦକୁ ସମୂଳେ ଧ୍ବଂସ ନିମନ୍ତେ ଭାରତୀୟ ସେନା କାର୍ଯ୍ୟ କରିଆସୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ଆୟୋଜିତ ‘ସ୍ବର୍ଣ୍ଣିମ ବିଜୟ ପର୍ବ’ ଉଦ୍‌ଘାଟନୀ ଉତ୍ସବକୁ ସମ୍ବୋଧନ କରି ରାଜନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶର ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଭାରତର ଅବଦାନ ଅତୁଳନୀୟ। ଏହା ସହିତ ଗତ ୫୦ବର୍ଷ ହେଲା ବାଂଲାଦେଶର ବିକାଶ ଦିଗରେ ଭାରତ ସହଯୋଗ କରିଆସୁଛି। ବାଂଲାଦେଶର ଏହି ବିକାଶ ବିଶ୍ବର ଅନ୍ୟ ରାଷ୍ଟ୍ର ପାଇଁ ପ୍ରେରଣାର ଉତ୍ସ ହୋଇଛି। ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ଦକ୍ଷିଣ ଏସିଆର ଇତିହାସ ଓ ଭୂଗୋଳକୁ ପରିବର୍ତ୍ତନ କରିଦେଇଥିଲା। ପାକିସ୍ତାନ ବିରୋଧରେ ଭାରତ ସେନାର ଅଦମ୍ୟ ସାହସ ଓ ତ୍ୟାଗ ନିକଟରେ ଦେଶ ସର୍ବଦା ଋଣି ବୋଲି ରାଜନାଥ କହିଛନ୍ତି। ଏହି ବିଜୟକୁ ୫୦ବର୍ଷ ପୂରଣ ହୋଇଥିବାବେଳେ ଏଥିପାଇଁ ‘ବିଜୟ ପର୍ବ’ ପାଳନ କରାଯାଉଛି। ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଏହି ପର୍ବ ପାଳନ କରାଯିବ। ଏହି ଉତ୍ସବକୁ ଆହୁରି ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବାକୁ ଥିବାବେଳେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପରଲୋକ ପାଇଁ ଏହାକୁ ସୀମିତ କରାଯାଇଛି। ଏହି ଅବସରରେ ରାଜନାଥ ସିଡିଏସ୍ ରାୱତକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ‘ସ୍ବର୍ଣ୍ଣିମ ବିଜୟ ପର୍ବ’ ନିମନ୍ତେ ‘ୱାଲ ଅଫ ଫେମ୍-୧୯୭୧ ଭାରତ-ପାକ୍ ଯୁଦ୍ଧ’ ନାମରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀରେ ୧୯୭୧ ଯୁଦ୍ଧରେ ବ୍ୟବହାର କରାଯାଇଥିବା ପ୍ରମୁଖ ଅସ୍ତ୍ରଶସ୍ତ୍ର ଓ ସାମରିକ ଯନ୍ତ୍ରାଂଶକୁ ପ୍ରଦର୍ଶନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଡିସେମ୍ବର ୩ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହୋଇଥିଲା। ଏହି ଯୁଦ୍ଧକୁ ବାଂଲାଦେଶ ସ୍ବାଧୀନତା ଯୁଦ୍ଧ ବୋଲି କୁହାଯାଇଥାଏ। କାରଣ ଏହି ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ମୂଳ ପାକିସ୍ତାନ ଠାରୁ ଅଲଗା ହୋଇ ବାଂଲାଦେଶ ନାମରେ ସ୍ବତନ୍ତ୍ର ଦେଶ ଗଠନ ହୋଇଥିଲା।
ସ୍ବର୍ଣ୍ଣିମ ବିଜୟ ଉତ୍ସବରେ ଦିବଂଗତ ପ୍ରତିରକ୍ଷା ବାହିନୀ ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ବାର୍ତ୍ତାର ଭିଡିଓକୁ ପ୍ରଦର୍ଶନ କରାଯାଇଛି। ବାର୍ତ୍ତାରେ ଜେନେରାଲ ରାୱତ ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜେନେରାଲ ରାୱତ ତାଙ୍କ ବାର୍ତ୍ତାରେ କହିଛନ୍ତି ‘ନିଜର ସୈନ୍ୟ ବାହିନୀକୁ ନେଇ ଆମେ ଗର୍ବିତ, ଚାଲ ସମସ୍ତେ ମିଶି ବିଜୟ ଉତ୍ସବ ପାଳନ କରିବା।’ ଡିସେମ୍ବର ୭ରେ ଜେନେରାଲ ରାୱତଙ୍କ ଏହି ବାର୍ତ୍ତା ରେକର୍ଡ କରାଯାଇଥିବାବେଳେ ଡିସେମ୍ବର ୮ରେ ତାମିଲନାଡୁର କିନ୍ନୁରୁରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories