ପୁରୀ-ଭୁବନେଶ୍ୱର ବସ୍‍ ଚଳାଚଳ ସ୍ୱାଭାବିକ

0

ପୁରୀ/ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଯାତ୍ରୀବାହୀ ବସ୍‍ ଚଳାଚଳ ମଙ୍ଗଳବାର ଅପରାହ୍ଣରେ ସ୍ୱାଭାବିକ ହୋଇଛି। ପୁଲିସ ଉପସ୍ଥିତିରେ ବସ୍‍ ଚଳାଚଳ କରୁଛି। ବସ୍‍ ଚଳାଚଳ ସମୟକୁ ନେଇ ୨ଟି ସଂଘ ମଧ୍ୟରେ ଦେଖା ଦେଇଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପରିବହନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଉଭୟଗୋଷ୍ଠୀ ୪ଦିନ ଧରି ଅଟକ ରଖିଥିବା ୨୦ଟି ବସ୍‍ ଛାଡ଼ି ଦେଇଛନ୍ତି। ପୁରୀ ବସ୍‍ଷ୍ଟାଣ୍ଡ ସମେତ ଭୁବନେଶ୍ୱର ବରମୁଣ୍ଡା ଏବଂ କଳ୍ପନା ଷ୍ଟାଣ୍ଡରେ ଯାତ୍ରୀ ଉଠାଇବା ସମୟ ସମସ୍ତଙ୍କ ପାଇଁ ସମାନ ରଖାଯିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ଏକା ସମୟରେ ୧୮ଟି ବସ୍‍କୁ ପରମିଟ୍‍ ଦିଆଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଛି। ତେଣୁ ପୁରୀ ଓ ଭୁବନେଶ୍ୱର ମାଲିକଙ୍କ ବସ୍‍ଗୁଡ଼ିକ ପାଇଁ ପୃଥକ୍‍ ସମୟ ଦିଆଯିବାକୁ ସଂଘ ଦାବି କରିଛି।
ପୁରୀ ଘରୋଇ ବସ୍‍ ମାଲିକ ସଂଘ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସମେତ ସିଟି ଡିଏସ୍‍ପି ପ୍ରଶାନ୍ତ କୁମାର ପଟ୍ଟନାୟକ, ଟ୍ରାଫିକ ଇନ୍ସପେକ୍ଟର ବାମଦେବ ସ୍ୱାଇଁ, ମାଲିକ ସଂଘ ସମ୍ପାଦକ ଲୋକନାଥ ପାଣି, ସଂଘ ଆବାହକ ଚଣ୍ଡୀପ୍ରସାଦ ସିଂହଙ୍କ ସମେତ ୮ଜଣ ବସ୍‍ ମାଲିକ ଉପସ୍ଥିତ ଥିଲେ। ଭୁବନେଶ୍ୱରର କେତେକ ବସ୍‍ ମାଲିକ ପୁରୀ ବସ୍‍ଗୁଡ଼ିକୁ ବରମୁଣ୍ଡା ଓ କଳ୍ପନା ଛକରେ ବାରମ୍ବାର ହଇରାଣ କରିବା ସହ ଯାତ୍ରୀ ଉଠାଇବାରେ ବାଧା ସୃଷ୍ଟି କରୁଥିବା ଶ୍ରୀ ପାଣି ଅଭିଯୋଗ କରିଥିଲେ। ଦେଢ଼ମାସ ଭିତରେ ପୁରୀ ବସ୍‍ ମାଲିକଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ୩ଟି ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ ପ୍ରକାଶ କରିଥିଲେ। କେନ୍ଦ୍ରାଞ୍ଚଳ ପୁଲିସ ଆଇଜିଙ୍କ ଅଧ୍ୟକ୍ଷତାରେ ଗତବର୍ଷ ଏପ୍ରିଲ ୭ରେ ପୁରୀ, ଭୁବନେଶ୍ୱର ଏବଂ କଟକ ବସ୍‍ ମାଲିକ ସଂଘକୁ ନେଇ ଅନୁଷ୍ଠିତ ବୈଠକ ନିଷ୍ପତ୍ତିକୁ ଭୁବନେଶ୍ୱର ଘରୋଇ ବସ୍‍ ମାଲିକମାନେ ଅବମାନନା କରୁଥିବା ବୈଠକରେ କୁହାଯାଇଥିଲା। ତେଣୁ ପୁଲିସ ସୁରକ୍ଷା ବିନା ଆଉ ବସ୍‍ ଚଳାଚଳ କରିବା ସମ୍ଭବପର ନୁହେଁ ବୋଲି ଆବାହକ ଶ୍ରୀ ସିଂହ ପ୍ରକାଶ କରିଥିଲେ। ଏହାଛଡ଼ା କଳ୍ପନା ଛକରେ ପୁଲିସ ଫାଣ୍ଡି ପ୍ରତିଷ୍ଠା, ବରମୁଣ୍ଡା ଓ ବାଦାମବାଡ଼ି ବସ୍‍ଷ୍ଟାଣ୍ଡରେ କିଛି ବସ୍‍ ମାଲିକଙ୍କ ଦୌରାତ୍ମ୍ୟ ରୋକିବାକୁ ପୁରୀ ସଂଘ ଦାବି କରିଛି। ସିଟି ଡିଏସ୍‍ପି ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ ଭୁବନେଶ୍ୱର କମିସନରେଟ ପୁଲିସ ଅଧିକାରୀଙ୍କ ସହ ଟେଲିଫୋନ୍‍ରେ ଆଲୋଚନା କରିଥିଲେ। ଚଳିତ ମାସ ୩୦ତାରିଖ ପରେ ସବୁ ଘରୋଇ ବସ୍‍କୁ ନୂଆ ଚଳାଚଳ ସମୟ ଦିଆଯିବା ସହ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲ ପୁରୀ ଏସ୍‍ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ ଫୋନ୍‍ରେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୁରୀ ବସ୍‍ଷ୍ଟାଣ୍ଡରେ ଅଟକ ରଖାଯାଇଥିବା ଭୁବନେଶ୍ୱର ମାଲିକଙ୍କ ୮ଟି ବସ୍‍ ଛଡ଼ା ଯାଇଥିଲା। ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ଅଟକି ରହିଥିବା ପୁରୀ ବସ୍‍ଗୁଡ଼ିକୁ ସେଠାକାର ବସ୍‍ ମାଲିକ ଛାଡ଼ି ଦେଇଥିଲେ। ଗଣ୍ଡଗୋଳ ଆଶଙ୍କା କରି କଳ୍ପନା ଷ୍ଟାଣ୍ଡରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବଡ଼ଗଡ଼ ପୁଲିସ ଉପସ୍ଥିତ ରହିଥିଲେ।
ଭୁବନେଶ୍ୱର ଘରୋଇ ବସ୍‍ ମାଲିକ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି, ଆଜି ଭୁବନେଶ୍ୱରରେ ଉଭୟ ସଂଘର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁସାରେ ପୁରୀ ଯାଉଥିବା ଆମ ବସ୍‍କୁ ଯାତ୍ରୀ ନେବା ପାଇଁ ଆଠ ମିନିଟ୍‍ ସମୟ ଦେବେ। ଅନୁରୂପ ଭାବେ ଆମେ ମଧ୍ୟ ଭୁବନେଶ୍ୱରରେ ସେମାନଙ୍କୁ ସେହି ସମୟ ଦେବୁ। ଆବଶ୍ୟକ ହେଲେ ପୁରୀ ବସ୍‍କୁ ଅଧିକ ୪ ମିନିଟ୍‍ ସମୟ ଦିଆଯିବ। ଆସନ୍ତା ୧୫ ତାରିଖରେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ଆଜିର ନିଷ୍ପତ୍ତି ସତ୍ତ୍ବେ ଯଦି କଟକ ବସ୍‍ ସହିତ ଭୁବନେଶ୍ୱରକୁ ଏକ ସଙ୍ଗରେ ଛାଡ଼ିବା ପାଇଁ ପୁରୀ ବସ୍‍ ମାଲିକ ସଂଘ ନିଜ ଜିଦ୍‍ରେ ଅଟଳ ରହେ ତେବେ ପୁନର୍ବାର ବସ୍‍ ଚଳାଚଳ ବନ୍ଦ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ବସ୍‍ ଚଳାଚଳ ସ୍ୱାଭାବିକ ହେବା ଯୋଗୁଁ ଗତ ୭ତାରିଖରୁ ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି। ତେବେ ମାଲିକଙ୍କ ବ୍ୟବସାୟିକ ସ୍ୱାର୍ଥ ଏବଂ ସଂଘ କର୍ମକର୍ତ୍ତାଙ୍କ ଜିଦ୍‍ ଯୋଗୁଁ ବାରମ୍ବାର ବସ୍‍ ଚଳାଚଳ ବନ୍ଦ କରାଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ବସ୍‍ ଚଳାଚଳ ବନ୍ଦ ଯୋଗୁଁ ଜନତା ଦୁର୍ଦଶାର ସମ୍ମୁଖୀନ ହୋଇଥିଲେ।

kalyan agarbati
Leave A Reply