BJD Bijuli 480×75 Mob

ବଦଳିବ ମହାବିଦ୍ୟାଳୟ ରୂପରେଖ

BJD Bijuli 480×75 Mob

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରିତ ଯୋଜନାକୁ ସଫଳତା ମିଳିବା ପରେ ଏବେ ମହାବିଦ୍ୟାଳୟ ରୂପରେଖ ବଦଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ୟ୍ୟ ଆରମ୍ଭ ହୋଇଛି। ପର୍ୟ୍ୟାୟକ୍ରମେ ମହାବିଦ୍ୟାଳୟ ରୂପାନ୍ତରିତ ହେବ। ମୁଖ୍ୟତଃ ନାକ୍ ମାନ୍ୟତା ମିଳିବା ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହୁଛି। ଭିତ୍ତିଭୂମି ସୁଦୃଢ ନଥିବାରୁ ବହୁ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସହାୟତା ପାଉ ନଥିବାବେଳେ ନାକ୍ ମାନ୍ୟତାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ(ଅତ୍ୟାଧୁନିକ ଶ୍ରେଣୀଗୃହ), ଇ-ପାଠାଗାର, ଅତ୍ୟାଧୁନିକ ଗବେଷଣାଗାର, କମ୍ପ୍ୟୁଟର ଲାବ୍ ଭଳି ସୁବିଧା ଛାତ୍ରଛାତ୍ରୀଙ୍କ ପାଇଁ କରାଯିବ। ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଭିତ୍ତିଭୂମି ବିକାଶ ପାଇଁ ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି, କେବିକେ ପାଣ୍ଠି, ଡିଏମଏଫ ଓ ଓଏମବିଏଡିସି ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେବ। ମହାବିଦ୍ୟାଳୟର ନୂତନ ନିର୍ମାଣ ସହ ମରାମତି, ପୁନରୁଦ୍ଧାର ଭଳି ବିବିଧ ଉନ୍ନୟନମୂଳକ କାମ କରାଯିବ।

ଏନେଇ ଆଭାସି ସମ୍ମିଳନୀ ଜରିଆରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିବିଧ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରତି ଜିଲା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ମହାବିଦ୍ୟାଳୟ ଉନ୍ନୟନ ସୁବିଧା କମିଟି(ଡିସିଡିଏଫସି) ଗଠନ କରାଯିବ। ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଂଶଗ୍ରହଣ କରି କିଭଳି ମହାବିଦ୍ୟାଳୟ ରୂପାନ୍ତରିତ ହେବ ସେନେଇ ମତପୋଷଣ କରିଥିଲେ।
ରୂପାନ୍ତରିତ ବିଦ୍ୟାଳୟ ଢାଞ୍ଚାରେ ମହାବିଦ୍ୟାଳୟର ଉନ୍ନୟନ କାମ କରାଯିବ। ଗଠିତ ସମିତି ଆସନ୍ତା ୧୫ରୁ ୩୧ତାରିଖ ମଧ୍ୟରେ ବୈଠକ କରିବେ। ଜିଲାରେ ବହୁ ସଂଖ୍ୟାରେ ମହାବିଦ୍ୟାଳୟ ରୂପାନ୍ତରିତ ହେବାର ଆବଶ୍ୟକ ରହିଛି। ତେଣୁ ସମସ୍ୟା ଥିବା ମହାବିଦ୍ୟାଳୟକୁ ଚିହ୍ନଟ କରିବା ସହ ଉକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରୂପାନ୍ତରୀକରଣ ସମ୍ବନ୍ଧରେ ସମିତି ନିଷ୍ପତ୍ତି ନେବେ। ସେହିପରି ଜମି ସମସ୍ୟା ଥିବା ମହାବିଦ୍ୟାଳୟ ଉପରେ ମଧ୍ୟ ପ୍ରାଥମିକ ଭିତ୍ତିରେ ଆଲୋଚନା କରିବାକୁ କୁହାଯାଇଛି। ସେହିପରି କ୍ୟାମ୍ପସକୁ ନିଶା ଓ ଅସାମାଜିକ ବ୍ୟକ୍ତି ମୁକ୍ତ କରିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଜିଲା ଆରକ୍ଷୀ ଅଧ୍ୟୀକ୍ଷକ। ମୋ’ ସ୍କୁଲ ଭଳି ମୋ’ କଲେଜ କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ।

Comments are closed.