ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହ ଉପରେ ଗତକାଲି ଅପରାହ୍ନରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୪ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୨୬.୭୭ ଗ୍ରାମ ଧଳା ଜହର, ୪ଟି ମୋବାଇଲ ଏବଂ ୨ଟି ବାଇକ ଜବତ କରିଛି। ଗତକାଲି ଅପରାହ୍ନରେ ପୋଡାଡିହ ଗ୍ରାମର ଚିନ୍ମୟ କୁମାର ବାଡ଼ି (ଚିନୁ)(୨୩), ଅଜୟ କୁମାର ସାଥୁଆ (୨୪), ବେଗୁନିଆ ଥାନା ବଡ଼ବେରେଣା ଗ୍ରାମର ଧରଣୀଧର ମହାପାତ୍ର (ମିଠେଇ)(୪୪) ଏବଂ ବାଙ୍କି ହରିରାଜପୁର ଗ୍ରାମର ଲଷ୍ମୀଧର ମହାନ୍ତି (ବାବିନା/କାଳିଆ)(୩୪)ପ୍ରମୁଖ ମଙ୍ଗଳା ମନ୍ଦିର ନିକଟରେ ଥିବା ପରିତ୍ୟକ୍ତ ଘରେ ବସି ପାଖରେ ରଖିଥିବା ୫୦ ଖଣ୍ଡ ରଙ୍ଗ କାଗଜରେ ଗରାଖମାନଙ୍କୁ ସେହି ଧଳା ଜହର ବିକ୍ରି କରିବା ପାଇଁ ପୁଡ଼ିଆ ପ୍ରସ୍ତୁତ କରୁଥିଲେ।
ଖବର ପାଇବା ପରେ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶରେ ଥାନା ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଏବଂ ଥାନା କର୍ମଚାରୀମାନେ ସେଠାରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ସମ୍ପୃକ୍ତ ଜିନିଷ ଗୁଡିକ ଜବତ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।



