www.samajalive.in
Wednesday, December 10, 2025
16.1 C
Bhubaneswar

ବୁଧବାର ଦିଲ୍ଲୀରେ ରୋଡ ଶୋ’, ନିବେଶକଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର:ରାଜ୍ୟର ବିକାଶ ପ୍ରକିୟାକୁ ଜାରି ରଖି ଶିଳ୍ପର ବିକାଶ ଏବଂ ଏହାକୁ ପୂର୍ବ ଭାରତର ଏକ ‘ମାନୁଫାକଚରିଂ ହବ୍‍’(ନିର୍ମାଣ ପୁଞ୍ଜ)ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ବୁଧବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଛି ନିବେଶକ ସମ୍ମିଳନୀ ଏବଂ ରୋଡ୍‍ ଶୋ’। ଅହମ୍ମଦାବାଦ, ମୁମ୍ୱଇ ଏବଂ କଲକାତା ପରେ ରାଜ୍ୟ ସରକାର ନୂଆଦିଲ୍ଲୀରେ ଏହି ରୋଡ୍‍ ଶୋ’ର ଆୟୋଜନ କରୁଛନ୍ତିି। ଓଡ଼ିଶାକୁୁ ନିବେଶ ନିମନ୍ତେ ଏକ ପସନ୍ଦଯୋଗ୍ୟ ବା ଉତ୍କୃଷ୍ଟ କ୍ଷେତ୍ର ଭାବେ ନିବେଶକଙ୍କ ଆଗରେ ପ୍ରତିପାଦିତ କରିବା ହେଉଛି ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ।
ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏହି ରୋଡ୍‍ ଶୋ’ରେ ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଶିଳ୍ପପତି ଏବଂ ବ୍ୟବସାୟିକ ପ୍ରତିନିଧି ମାନଙ୍କୁ ଭେଟିବେ। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ( ଫିକି) ସହଯୋଗରେ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଏହି ରୋଡ୍‍ ଶୋ’ର ଆୟୋଜନ କରାଯାଇଛି। ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରୁଛନ୍ତି। ତେବେ ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଏବଂ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ନିବେଶକଙ୍କୁ ଭେଟିବେ।। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ନିବେଶକଙ୍କ ମଧ୍ୟରେ ରହିଥିବା ସଂଶୟ ଦୂର କରି ସେମାନଙ୍କ ଆସ୍ଥା ଜିଣିବା ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଭେଟି ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଶା କରାଯାଉଛି ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଶିଳ୍ପପତି ଯୋଗଦେବେ ବୋଲି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ଏହା ଜରିଆରେ ରାଜ୍ୟ ସରକାର ଚଳିତବର୍ଷ ନଭେମ୍ବର ୧୧ରୁ ୧୫ ଯାଏ ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ରେ ଯୋଗଦେବା ପାଇଁ ଉଦ୍ୟୋଗୀ ଏବଂ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବେ। ଏହି ରୋଡ୍‍ ଶୋ’ରେ ଓଡ଼ିଶା ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ଖାଦ୍ୟ, ଧାତବ କ୍ଷେତ୍ରରେ ଆନୁଷଙ୍ଗିକ କ୍ଷେତ୍ର, ବୟନ, ଇଲେକ୍‍ଟ୍ରୋନିକ୍ସ ସିଷ୍ଟମ ଡିଜାଇନିଂ ଏବଂ ମାନୁଫାକ୍‍ଚରିଂ, ରସାୟନ, ପ୍ଲାଷ୍ଟିକ ଏବଂ ପେଟ୍ରୋକେମିକାଲ୍ସ ଭଳି ୬ ପ୍ରମୁଖ କ୍ଷେତ୍ରରେ ନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ସୂଚନା ପ୍ରଦାନ କରାଯିବ। ଏହାବ୍ୟତୀତ କଳିଙ୍ଗନଗରସ୍ଥିିତ ଜାତୀୟ ମାନୁଫାକ୍‍ଚରିଂ ଜୋନ୍‍(ଏନ୍‍ଆଇଏମ୍‍ଜେଡ୍‍), ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, କଟକ ରାମଦାସପୁର ଏବଂ ଭଦ୍ରକ ଧାମନଗରର ବୟନ ଏବଂ ପୋଷାକପତ୍ର ପାର୍କ, ଅନୁଗୋଳ ଆଲୁମିନିୟମ୍‍ ପାର୍କ, ପାରାଦ୍ୱୀପଠାରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ଆଦି କ୍ଷେତ୍ରରେ ନିବେଶ ସୁଯୋଗ ସମ୍ପର୍କରେ ମଧ୍ୟ ନିବେଶକଙ୍କୁ ଅବଗତ କରାଯିବ।
ଏ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତିି ଯେ, ମଙ୍ଗଳବାର ଆମେ ନିବେଶକଙ୍କ ସହ ଆଲୋଚନା କରି ରୋଡ୍‍ ଶୋ’ କରିବୁ। ଏଥିରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଆଶା କରୁଛୁ ଏହି ରୋଡ୍‍ ଶୋ’ଓଡ଼ିଶା ପାଇଁ ଅଧିକ ପୁଞ୍ଜି ଆକୃଷ୍ଟ କରିବ। ରୋଡ୍‍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଚଳିତମାସ ୧୩ରେ ଓଡ଼ିଶା ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories