ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ସୋସାଇଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦାସଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଶ୍ରୀଦାସ ଏକାଧାରରେ ଯୁବରେଡକ୍ରସ, ଇକୋ କ୍ଲବ ଓ ଏନଏସଏସ କର୍ମକର୍ତ୍ତା ଭାବରେ ଦାୟିତ୍ୱ ତୁଲାଇବା ସହିତ ଜଣେ ଦକ୍ଷ ସମାଜ ସେବକ, ରକ୍ତଦାତା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂଚାଳକ, ବଣଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷକ ତଥା ବୃକ୍ଷ ପ୍ରେମୀ ଭାବରେ ବେଶ ପରିିଚିତ।
ନିକଟରେ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ପୁଡୁଚେରୀର ଗ୍ଲୋବାଲ ହ୍ୟୁମାନ ପିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଉପସ୍ଥିତ ରହି ଉପହାର ସ୍ୱରୂପ ଏକ ଗୋଲାପ ଚାରା ପ୍ରଦାନ କରି ଶ୍ରୀଦାସଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବରେଡକ୍ରସ ସୋସାଇଟିର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।



