ନୀଳଗିରି: ଚକାରେ ପ୍ରେସର ଦେଉଥିବା ଦୋକାନୀର ଅସାବଧାନତାରୁ ଅଘଟଣ। ଅତ୍ୟଧିକ ପ୍ରେସର ହେତୁ ଫାଟିଲା ଚକା, ପାଖରେ ଥିବା ନାବାଳକ ଗୁରୁତର। ଟ୍ରାକ୍କର ଚକା ଫାଟି ଯିବାରୁ ନାବାଳକର ହାତ ଦୁଇଟିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ନାବାଳକୁ ବାଲେଶ୍ବର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ଅଧୀନ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ମାନଗଡ଼ ଛକସ୍ଥିତ ପେଟ୍ରୋଲ ଟାଙ୍କି ନିକଟରେ ଥିବା ଏକ ଗ୍ୟାରେଜକୁ ସ୍ଥାନୀୟ ଅଞ୍ଚଳର ଏକ ଟ୍ରାକ୍ଟର ଚକାରେ ପ୍ରେସର ଦେବାକୁ ଆସିଥିଲା। ପଛ ଚକାରେ ପ୍ରେସର ଦେଉଥିବା ସମୟରେ ହଠାତ ବିସ୍ପୋରଣ କରିବାରୁ ଚକା ଉପର ସ୍ଥାନରେ ବସିଥିବା ମୂଳାଗଡ଼ିସାହିର ଖାଡ଼ିଆ ରାଉତଙ୍କ ୮ବର୍ଷର ନାବାଳକ ପ୍ରାୟ ୧୦ଫୁଟ ଉପରକୁ ଉଠିଯାଇ ତଳେ କଚାଡ଼ି ହୋଇ ପଡ଼ିଥିଲେ। ଏହି ଦୁର୍ଘଟଣା ଯୋଗୁ ସମ୍ପୃକ୍ତ ନାବାଳକର ହାତ ଦୁଇଟି ଭାଙ୍ଗି ଅକାମି ହୋଇ ପଡ଼ିଥିବା ବେଳେ କାନରେ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଦେହର ଏକାଧିକ ସ୍ଥାନରେ କ୍ଷତ ମଧ୍ୟ ସୃଷ୍ଟି ହୋଇଛି। ୧୦୮ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସଙ୍ଗେ ସଙ୍ଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ନାବାଳକ ଗୁରୁତର ହୋଇଥିବା ବେଳେ ସେ ନିକଟସ୍ଥ ଗୋପ ବିଦ୍ୟାଳୟରେ ପାଠ ପଢ଼ୁଥିବା ସୂଚନା ମିଳିଛି।



