ଦିବ୍ୟାଙ୍ଗଙ୍କ ପାଇଁ ସୌର ଟ୍ରାଇ-ସାଇକଲ

0

ଭଣ୍ଡାରିପୋଖରୀ: ସୌର ଶକ୍ତିରେ ଚାଲିବା ପାଇଁ ଏକ ସାଇକେଲର ସଫଳ ନିର୍ମାଣ ପରେ ଏବେ ଦିବ୍ୟାଙ୍ଗଙ୍କ ପାଇଁ ସୌର ସାଇକେଲ ନିର୍ମାଣ କରିଛନ୍ତି କୁଲଣା ଗ୍ରାମର ଯୁବ ଇଞ୍ଜିନିୟର ରାକେଶ କୁମାର ନାୟକ।
ନିଜ ଯାତାୟତ ପାଇଁ ବାଇକରେ ପେଟ୍ରୋଲ ଖର୍ଚ୍ଚ ଦେବାକୁ ବାପା ସୁବାସ ନାୟକଙ୍କ ବିରକ୍ତି ରାକେଶଙ୍କୁ ଏକ ସୌର ଚାଳିତ ସାଇକେଲ ନିର୍ମାଣ ପାଇଁ ଖୋରାକ ଯୋଗାଇ ଥିଲା। ନିଜ ଘରେ ଥିବା ଏକ ସାଇକେଲରେ ଦୁଇଟି ସୌର ପ୍ଲେଟ ଲଗାଇବା ସହ ୪ଟି ୧୨ଭୋଲ୍ଟ ବ୍ୟାଟେରୀ, ୨୪ ଭୋଲ୍ଟ ଡିସି ମୋଟର ଯୋଗେ ଘଣ୍ଟାକୁ ୩୦ କିମି ବେଗରେ ଯାଇପାରିବା ଭଳି ସାଇକେଲ ନିର୍ମାଣ କରିଥିଲେ। ଏହି ସାଇକେଲ ନିର୍ମାଣ ପାଇଁ ପ୍ରାୟ ପାଖାପାଖି ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ନିଜ ସମସ୍ୟାକୁ କିଛି ମାତ୍ରାରେ ଦୂର କରି ପାଖଆଖ ଅଞ୍ଚଳକୁ ଏହି ସାଇକେଲ ଯୋଗେ ଯାଇ ତେଲ ଖର୍ଚ୍ଚ ବଞ୍ଚାଇବାକୁ ସକ୍ଷମ ହୋଇଥିବା ରାକେଶ ୩ ଚକିଆ ସାଇକେଲରେ ଯାଉଥିବା ଦିବ୍ୟାଙ୍ଗଙ୍କୁ ଦେଖିବା ପରେ ସେହି ସମାନ ଫର୍ମୁଲାରେ ସୌର ଚାଳିତ ୩ ଚକିଆ
ସାଇକେଲ ନିର୍ମାଣ ପାଇଁ ମନ ବଳାଇଥିଲେ। ଏକ ପରିତ୍ୟକ୍ତ ତିନି ଚକିଆ ସାଇକେଲ ଯୋଗାଡ଼ କରି ପ୍ରାୟ ଦେଢ଼ ମାସ ସମୟ ଭିତରେ ସେ ଏହି ସୌର ଚାଳିତ ୩ ଚକିଆ ସାଇକେଲ ନିର୍ମାଣ କରିଛନ୍ତି। ଏଥିରେ ଦୁଇଟି ୨୪ ଭୋଲଟର ବ୍ୟାଟେରୀ ଅର୍ଥାତ ୪୮ଭୋଲ୍ଟର ବ୍ୟାଟେରୀ ଓ ଦୁଇଟି ବଡ଼ ସୌର ପ୍ୟାନେଲ ସହ ୪୮ଭୋଲ୍ଟ ଡିସିମୋଟର, ଇଲେକ୍ଟ୍ରି ଏକ୍ସିଲିଟର ତାର, ଷ୍ଟାର୍ଟ ଓ ବନ୍ଦ କରିବା ଚାବି ସୁଇଚ ରହିଛି। ଏହାଛଡା ମୋବାଇଲ ଚାର୍ଜ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଥିବା ସହ ମନୋରଞ୍ଜନ ପାଇଁ ମ୍ୟୁଜିକ ସିଷ୍ଟମ ମଧ୍ୟ ରଖାଯାଇଛି। କୌଣସି ସମୟରେ ମୋଟରରେ ତ୍ରୁଟି ହେଲେ ବିକଳ୍ପ ଭାବେ ସାଇକେଲଟି ତାର ସଂଯୁକ୍ତ ଚେନ ସହାୟତାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେଡେଲରେ ମଧ୍ୟ ଚାଲିପାରିବ। ସାଇକେଲ ଉପରେ ସୋଲାର ପ୍ଲେଟ ଦୁଇଟି ଲାଗି ଥିବାରୁ ଏହା ଖରା ବର୍ଷାରୁ ମଧ୍ୟ ଚାଳକକୁ ସୁରକ୍ଷା ଦେବ। ଏହାକୁ ନିର୍ମାଣ କରିବା ପାଇଁ ରାକେଶଙ୍କର ସାଇକେଲକୁ ଛାଡି ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି। ତେବେ ସୌର ସାଇକେଲ ନିର୍ମାଣ ପରେ ଅନେକ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପାଇଥିବା ରାକେଶଙ୍କୁ ସରକାରୀ ସ୍ତରରୁ ଏଯାବତ କୌଣସି ପ୍ରୋତ୍ସାହନ ରାଶି ମିଳି ନଥିବାରୁ ସେ ମନ ଉଣା କରିଛନ୍ତି। ଇତି ମଧ୍ୟରେ ଦକ୍ଷତା ବିକାଶ ମନ୍ତ୍ରାଳୟ ତାଙ୍କ ସୌର ସାଇକେଲକୁ ଅନୁଧ୍ୟାନ କରିବା ପାଇଁ ଗତ ମାସରୁ ଚିଠି ପଠାଇଥିଲେ ହେଁ ଏଯାବତ କେହି ଅଧିକାରୀ ତାଙ୍କୁ ଭେଟି ନାହାନ୍ତି। କୁଲଣା ଗ୍ରାମର କୃଷକ ତଥା ସଂଗୀତ ଶିକ୍ଷକ ସୁବାସ ନାୟକ ଓ ପ୍ରମିଳାଙ୍କ ପୁଅ ରାକେଶ(୨୪) ଭଦ୍ରକ ବରପଦା ଇଞ୍ଜିନିୟରିଂ ସ୍କୁଲରୁ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରିଛନ୍ତି। ରାକେଶଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ବଢ଼ିବା ସହ ସୌରଶକ୍ତିକୁ ନେଇ ଅଧିକ ସଫଳତା ହାସଲ କରିପାରିବେ ବୋଲି ଆଶା ରଖିଛନ୍ତି। ରାକେଶଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave A Reply