ସମ୍ଭାବ୍ୟ ଭାରତୀୟ ଶିବିର ଆଶାରେ ୪ ଓଡ଼ିଆ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆଉ ମାତ୍ର ୭୯ ଦିନ ପରେ ପୁରୁଷ ହକି ବିଶ୍ୱକପର ଚତୁର୍ଦଶତମ ସଂସ୍କରଣ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ସେପ୍ଟେମ୍ବର ୧୬ରୁ ଭାରତୀୟ ହକି ଦଳର ସମ୍ଭାବ୍ୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ହକି ଇଣ୍ଡିଆ ପକ୍ଷରୁ ବେଙ୍ଗାଲୁରୁୁୁରୁ ଭୁବନେଶ୍ୱରକୁ ଜାତୀୟ ହକି ଦଳର ଶିବିର ସ୍ଥାନାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ପ୍ରଶିକ୍ଷଣ ଲାଗି ଏଠାରେ ରହିଥିବା ସୁବିଧା ସୁଯୋଗକୁ ସୋମବାର ତଦାରଖ କରିିବା ପରେ ସମ୍ଭାବ୍ୟ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ହକି ଇଣ୍ଡିଆ ପକ୍ଷରୁ ସମ୍ଭାବ୍ୟ ୪୭ ଜଣିଆ ମନୋନୟନ କରାଯିବାର ସମ୍ଭାବନା ରହିଛି। ଏଥିରେ ଓଡ଼ିଶାରୁ ୪ ଖେଳାଳି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ନୀଲମ୍ ସଞ୍ଜୀପ ଖେସ୍ ଓ ଦୀପସାନ ତିର୍କୀ ସ୍ଥାନ ପାଇବାର ସମ୍ଭାବନା ରହିଛି। ଡିଫେଣ୍ଡର ଅମିତ ଚଳିତବର୍ଷ ଚମ୍ପିଆନ୍ସ ଟ୍ରଫି ହକି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଇଣ୍ଡୋନେସିଆ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ। ଅମିତ ଏପର୍ଯ୍ୟନ୍ତ ୪୧ଟି ମ୍ୟାଚ ଖେଳିଛନ୍ତି। ସେହିପରି ୨୦ ବର୍ଷ ବୟସ୍କ ଡିଫେଣ୍ଡର ଦୀପସାନ ୨୦୧୬ ଜୁନିୟର ହକି ବିଶ୍ୱକପ , ୨୦୧୭ ଢାକାରେ ଅନୁଷ୍ଠିତ ଏସିଆ କପ ହକି ଲାଗି ପ୍ରଥମ ଥର ପାଇଁ ସିନିୟର ଦଳରେ ସ୍ଥାନ ପାଇଥିଲେ। ସମ୍ଭାବ୍ୟ ହକି ବିଶ୍ୱକପ ଲାଗି ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଫୁଲବ୍ୟାକ୍ ଖେଳାଳି ବୀରେନ୍ଦ୍ର ଏପର୍ଯ୍ୟନ୍ତ ୭୧ଟି ମ୍ୟାଚ ଖେଳି ୭ଟି ଗୋଲ ସ୍କୋର କରିଛନ୍ତି। ଚଳିତ ବର୍ଷ ଚମ୍ପିଆନ୍ସ ଟ୍ରଫି ହକି ଓ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଜୁନିୟର ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଆସିଥିବା ଅନ୍ୟତମ ଯୁବ ଡିଫେଣ୍ଡର ନୀଲମ ସଞ୍ଜୀବ ଖେସ ମଧ୍ୟ ହକି ବିଶ୍ୱକପ ଲାଗି ସମ୍ଭାବ୍ୟ ଶିବିରରେ ସ୍ଥାନ ପାଇବା ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ ହକି ଦଳର ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ଶିବିର ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରୁ ଦ୍ୱିତୀୟ ପର୍ଯ୍ୟାୟ ଶିିବିର ଲାଗି ୩୦ ଜଣିଆ ଖେଳାଳି ମନୋନୟନ କରାଯିବ ବୋଲି ସୂଚନା ମିଳିଛି।