www.samajalive.in
Tuesday, December 9, 2025
19.1 C
Bhubaneswar

ଅରୁଣାଚଳରେ ଗାଁ ବସାଇଛି ଚୀନ- ଆମେରିକା ସାମରିକ ରିପୋର୍ଟ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ୨୦୨୦ ମଇ ମାସରୁ ଲାଗିରହିଥିବା ବିବାଦ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ବାସ୍ତବ ଦୁନିଆଁର ବହୁ ମୂଲ୍ୟବାନ କାର୍ଯ୍ୟକାରିତାଗତ ଏବଂ ସାମରିକ ଅନୁଭୂତି ପ୍ରଦାନ କରିଛି । ‘ରିପୋର୍ଟ ଅନ ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେପଲପମେଣ୍ଟସ ଇନଭଲଭିଂ ଦି ପିପୁଲ୍ସ ରିପବ୍ଲିକ ଅଫ ଚାଇନା-୨୦୨୧’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଏଲଏସିରେ ନିଜର ଦାବି ଜାହିର କରିବାକୁ ଚାଇନା ବର୍ଦ୍ଧିତ ଏବଂ ସାମରିକ କାର୍ଯ୍ୟକ୍ରମ ହାତକୁ ନେଉଛି । ଏଥିସହିତ ବେଜିଂ ଦ୍ୱାରା ତିବତ ସ୍ୱୟଂଶାସିତ ଅଞ୍ଚଳ ଏବଂ ଭାରତର ଅରୁଣାଚଳ ପ୍ରଦେଶ ମଧ୍ୟରେ ୨୦୨୦ରେ ୧୦୦ଟି ବାସଗୃହ ଥିବା ଏକ ଗ୍ରାମ ସ୍ଥାପନ କରାଯାଇଛି । ଆମେରିକାସ୍ଥିତ ଉପଗ୍ରହ ଚିତ୍ରୋତ୍ତଳନକାରୀ କମ୍ପାନୀ ପ୍ଲାନେଟ ଲାବ୍ସ ପକ୍ଷରୁ ୨୦୨୧ ଜାନୁଆରୀରେ ପ୍ରଦତ୍ତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଉକ୍ତ କମ୍ପାନୀ ଏକାଧିକ ଫଟୋ ଚିତ୍ର ପ୍ରକାଶ କରି ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଞ୍ଚଳ ସୁବାନସିରି ଜିଲାରେ ସାରି ନଦୀ କୂଳରେ ଚୀନ ଏହି ଗ୍ରାମ ବସାଇଥିବା ଦାବି କରିଛି । ଏହା ୨୦୧୯ର ଫଟୋ ଚିତ୍ର ମଧ୍ୟ ପ୍ରକାଶ କରି କହିଛି ଯେ ସେହି ସମୟରେ ଉକ୍ତ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇନଥିଲା । ତେବେ ଆମେରିକାର ଏହି ରିପୋର୍ଟ ଉପରେ ବିବୃତି ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଚୀନ ସୀମାନ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ରିପୋର୍ଟ ସମ୍ପର୍କରେ ଏହା ଅବଗତ ଅଛି ଏବଂ ଭାରତର ସାର୍ବଭୌମତା ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିକାରୀ ସମସ୍ତ ଘଟଣାକ୍ରମ ଉପରେ କଡା ନଜର ରଖାଯାଇଛି । ଏହାର ଜବାବରେ ଭାରତ ମଧ୍ୟ ସୀମାନ୍ତରେ ସଡକ, ସେତୁ ଆଦି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କହିଛି । ଅନ୍ୟପକ୍ଷରେ ଏଭଳି ନିର୍ମାଣକୁ ଠିକ୍‍ ଦର୍ଶାଇଛି ଚୀନର ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ମାଣକୁ ସ୍ୱାଭାବିକ ବୋଲି ଦର୍ଶାଯିବା ସହିତ ଉକ୍ତ ଗ୍ରାମ ତାହାର ନିଜସ୍ୱ ସୀମା ମଧ୍ୟରେ ନିର୍ମାଣ କରିଛି ଏବଂ ଏହାଦ୍ୱାରା କୌଣସି ପ୍ରକାର ଅନୁପ୍ରବେଶ ହୋଇନଥିବା କହିଛି । ସୂଚନାଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶକୁ ଚୀନ ସରକାର ଦକ୍ଷିଣ ତିବତ ବୋଲି କହିଆସୁଛି । ଏହା ଚୀନର ପ୍ରତିଷ୍ଠାତା ମାଓ ସେ ଦୋଙ୍ଗଙ୍କ ଉଦାହରଣ ମଧ୍ୟ ଦେଉଛି । ମାଓ ସେ ଦୋଙ୍ଗ ଜଣେ ବିସ୍ତାରବାଦୀ ଥିଲେ, ଯିଏ ତିବତକୁ ଚୀନର ଦକ୍ଷିଣ ହସ୍ତ ଏବଂ ସିକିମ, ଅରୁଣାଚଳ ପ୍ରଦେଶ, ଭୁଟାନ, ନେପାଳ ଓ ଲଦାଖକୁ ଏହାର ପାଞ୍ଚଟି ଆଙ୍ଗୁଠି ବୋଲି ବିବେଚନା କରୁଥିଲେ । ଏହିସବୁ ଅଞ୍ଚଳକୁ ମୁକ୍ତ କରିବା ଦାୟିତ୍ୱ ଚୀନର ବୋଲି ସେ କହିଥିଲେ । ଚୀନ ଏବେ ମଧ୍ୟ ମାଓ ସେ ଦୋଙ୍ଗଙ୍କ କଥାରେ ବିଶ୍ୱାସ କରୁଛି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories