୭ରୁ ବଢ଼ିବ ଶୀତ

ଭୁବନେଶ୍ବର: ଆସନ୍ତା ୭ ତାରିଖରୁ ସାରା ରାଜ୍ୟରେ ରାତିର ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢ଼ିବ; କିନ୍ତୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲାରେ ସର୍ବାଧିକ ବର୍ଷା ୫୫.୪ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଛତ୍ରପୁର, କୋରାପୁଟ, ଭବାନୀପାଟଣା ଓ ଗୋପାଳପୁରରେ ହାଲୁକା ବର୍ଷା ହୋଇଛି। କୋରାପୁଟ ଜିଲାରେ ହାଲୁକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଗ ମେଘୁଆ ରହିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅଧିକ ରହୁଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ସେଲସିୟସ୍ ଥିବାବେଳେ ଫୁଲବାଣୀରେ ୨୦ ଡିଗ୍ରୀ ସେଲସିୟସ୍ ରହିଛି।

Comments are closed.