ରୋଷେୟା ନିମ୍ନ ଜାତିର ବୋଲି ଫିଙ୍ଗାହେଲା ମଧ୍ୟାହ୍ନ ଭୋଜନ

0

ସୀତାପୁର: ଉତ୍ତରପ୍ରଦେଶରେ ଉଗ୍ର ଜାତିଆଣ ବିଦ୍ୱେଶର ଏକ ନମୂନା ଶନିବାର ଦେଖିବାକୁ ମିଳିଛି। ସୀତାପୁର ଜିଲା ଅନ୍ତର୍ଗତ ପାଲହାରିଆ ଗାଁର ପ୍ରାଥମିକ ବିଦ୍ୟାଳୟରେ ଜଣେ ନିମ୍ନ ଜାତିର ଲୋକଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଇବାକୁ ଉଚ୍ଚ ବର୍ଗର ଛାତ୍ରଛାତ୍ରୀ ମନା କରିଥିଲେ। ସେମାନଙ୍କ ଅଭିଭାବକ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ଖାଦ୍ୟକୁ ଫିଙ୍ଗି ଦେଇଛନ୍ତି। ମୋଟ ୭୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୬ ଜଣ ଏହି ଖାଦ୍ୟ ଖାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଏହି ଗାଁରେ ବ୍ରାହ୍ମଣ ଓ ଯାଦବଙ୍କ ପ୍ରାଧାନ୍ୟ ରହିଛି। ସମ୍ପୃକ୍ତ ବିଦ୍ୟାଳୟରେ ନିୟମିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଯାଦବ ସମ୍ପ୍ରଦାୟର ବ୍ୟକ୍ତି ଅନୁପସ୍ଥିତ ଥିବାରୁ ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ରୁଟି ଓ ତରକାରୀ ପ୍ରସ୍ତୁତ କରୁଥିଲେ। ଏହ।। ଜଣାପଡ଼ିବା ପରେ ଅଭିଭାବକମାନେ ତୁରନ୍ତ ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ୍ୱନୋଜ କୁମାର ସେମାନଙ୍କୁ ବୁଝାଇବା ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା। ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପିଲାଙ୍କୁ ସେହି ଖାଦ୍ୟ ନ ଦେବାକୁ ଜିଦ୍‍ ଧରିଥିଲେ। ଏହି ଖାଦ୍ୟକୁ ମାତ୍ର ୬ ଛାତ୍ରଛାତ୍ରୀ ଖାଇଥିବାବେଳେ ବିକ୍ଷୋଭକାରୀଙ୍କ ଜିଦ୍‍ ଆଗରେ ମୁଣ୍ଡ ନୁଆଁଇ ଅବଶିଷ୍ଟକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଫିଙ୍ଗିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାକୁ ସ୍ଥାନୀୟ ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ଆଇପିଏସ୍‍ ଅଧିକାରୀ ଏସ୍‍.ଆର ଦରପୁରୀ ତୀବ୍ର ନିନ୍ଦା କରିଛନ୍ତି। ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଅପରପକ୍ଷରେ ଜିଲା ଶିକ୍ଷାଧିକାରୀ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେବାକୁ ରାଜି ହୋଇ ନାହାନ୍ତି।

Leave A Reply