କୋରାପୁଟ: ନକ୍ସଲ ପ୍ରଭାବିତ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବରଗଡ ଓ ବୌଦ୍ଧ ଜିଲ୍ଲାରେ ୪୮୩ଟି ମୋବାଇଲ ଟାଓାର ସ୍ଥାପନ କରାଯିବ ବୋଲି ଟେଲିକମ ବିଭାଗର ବରିଷ୍ଠ ଡିଡିଜି ବି.କେ.ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଂଚଳରେ ୮୫ଟି ମୋବାଇଲ ଟାଓର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ରିଲାଏନ୍ସ ଜିଓ ଏହି କାର୍ଯ୍ୟ କରିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ସର୍ଭେ କରାଯିବ ଓ ୧୮ ମାସ ମଧ୍ୟରେ କାର୍ଯ୍ୟ ସଂପନ୍ନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଏଥି ପୂର୍ବରୁ ଫେଜ -୧ରେ ୨୨ଟି ଜିଲ୍ଲାରେ ୨୫୬ଟି ମୋବାଇଲ ଟାଓାର ସ୍ଥାପନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ମୋବାଇଲ ଟାଓାର ସ୍ଥାପନ ସମୟରେ ଜିଲ୍ଲା ପୁଲିସ ସହାୟତା କରିବ ବୋଲି କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଟେଲିକମ ବିଭାଗର ଏଡିଜି ଗ୍ରାମୀଣ ଅନଶୁଲ ଅଗ୍ରଓାଲ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନକ୍ସଲ ପ୍ରଭାବିତ କୋରାପୁଟ ଜିଲ୍ଲାରେ ୮୫, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୨୮, ରାୟଗଡା ଜିଲ୍ଲାରେ ୩୩, ନବରଙ୍ଗପୁର ଜିଲ୍ଲାରେ ୨୨, କନ୍ଧମାଳ ଜିଲ୍ଲାରେ୯୬, କଳାହାଣ୍ଡି ଜିଲ୍ଲାରେ ୬୬, ନୂଆପଡା ଜିଲ୍ଲାରେ ୪୯, ବରଗଡ ଓ ବୌଦ୍ଧ ଜିଲ୍ଲାରେ ୨ଟି ଲେଖାଏଁ ମୋବାଇଲ ଟାଓାର ସ୍ଥାପନ କରାଯିବ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାର ୧୮୫ଟି ଗ୍ରାମ ପଂଚାୟତରେ ବ୍ରଡବ୍ୟାଣ୍ଡ ସ୍ଥାପନ କରାଯାଇଥିବା ଜଣାପଡିଛି।



