୧୬୮ ଲୋକପ୍ରତିନିଧିଙ୍କ ମଧ୍ୟରୁ ୫୪ଜଣଙ୍କ ନାମରେ ମାମଲା

0

ଭୁବନେଶ୍ୱର: ଜାତୀୟ ସ୍ତରରେ ଶହେ ଲୋକପ୍ରତିନିଧିରେ ୨୧ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ଓଡ଼ିଶାରେ ଏହି ହାର ୨୭ପ୍ରତିଶତ। ଶାସନ ବ୍ୟବସ୍ଥାରେ ଅପରାଧିକ ମାମଲା ଥିବା ଲୋକ ପ୍ରତିନିଧିଙ୍କ ସଂଖ୍ୟା ବଢ଼ୁଥିବାରୁ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି। ଅପରାଧ ପୃଷ୍ଠଭୂମି ଥିବା ଲୋକେ ନିର୍ବାଚନ ପ୍ରତିଯୋଗିତା ପାଇଁ ଅନୁମତି ପାଇଲେ ସେମାନେ ଅସାଧୁ ଉପାୟରେ ଭୋଟ ସଂଗ୍ରହ ପାଇଁ ଲୋକଙ୍କ ଉପରେ ବଳପ୍ରୟୋଗ କରିବେ। ଏହାଦ୍ୱାରା ନିର୍ବାଚନରେ ହିଂସା ବଢ଼ିବ। ତେଣୁ ନିର୍ବାଚନରେ ଅପରାଧିକ ପୃଷ୍ଠଭୁମି ଥିବା ବ୍ୟକ୍ତିବିଶେଷଙ୍କୁ ଟିକଟ ନଦେବା ପାଇଁ ଓଡ଼ିଶା ଇଲେକ୍ସନ ୱାଚ(ଓଇଡ଼ବ୍ଲୁ) ଏବଂ ଆସୋସିଏସନ ଫର ଡ଼ୋମୋକ୍ରାଟିକ ରିଫର୍ମସ(ଏଡ଼ିଆର) ସବୁ ରାଜନୈତିକ ଦଳର ଦୃଷ୍ଟି ଆକର୍ଷଣ କରିଛି।
ଏଡିଆର ଏବଂ ଓଡ଼ିଶା ଇଲେକ୍ସନ ୱାଚ ଦ୍ୱାରା ୨୧ଜଣ ସାଂସଦ ଓ ୧୪୭ଜଣ ବିଧାୟକଙ୍କ ସମେତ ଓଡ଼ିଶାର ସମସ୍ତ ୧୬୮ଜଣ ସାଂସଦ/ବିଧାୟକ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୫୪ଜଣ(୩୨%)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସତ୍ୟପାଠରେ ଏହି ୫୪ ଜଣ ସାଂସଦ/ବିଧାୟକଙ୍କ ଭିତରୁ ୪୧ ଜଣ(୨୪%) ସେମାନଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ଅଛି।
ଲୋକସଭାର ୫୪୩ଜଣ ସାଂସଦଙ୍କ ଭିତରୁ ୧୮୪ଜଣ(୩୪%) ଏବଂ ସମସ୍ତ ବିଧାନସଭା/କେନ୍ଦ୍ରଶାସିତ ଅଞ୍ଚଳର ୪୦୭୮ଜଣ ବିଧାୟକଙ୍କ ଭିତରୁ ୧୩୫୩ ଜଣ (୩୩%) ସେମାନଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୫୪୩ଜଣ ଲୋକସଭା ସାଂସଦଙ୍କ ଭିତରୁ ୧୧୭ ଜଣ (୨୨ପ୍ରତିଶତ) ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୦୭୮ଜଣ ବିଧାୟକଙ୍କ ଭିତରୁ ୮୬୦ଜଣ(୨୧ପ୍ରତିଶତ)ଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ସେମାନଙ୍କ ଭିତରୁ ୬୪ ଜଣ(୬%)ଙ୍କ ବିରୋଧରେ ଅପହରଣ ମାମଲା ଏବଂ ପ୍ରାୟ ୪୮ଜଣ ସାଂସଦ ଓ ବିଧାୟକ ସେମାନଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ଥିବା ଘୋଷଣା କରିଛନ୍ତି।
ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଲେକ୍ସନ ୱାଚର ସଚିବ ରଞ୍ଜନକୁମାର ମହାନ୍ତି କହିଥିଲେ ଯେ ଅପରାଧ ପୃଷ୍ଠଭୂମି ଥିବା ଏବଂ ଜଘନ୍ୟ ଅପରାଧରେ ଜଡ଼ିତ ଲୋକଙ୍କୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିବାରୁ ବାଦ୍‍ ଦେବାର ଆବଶ୍ୟକତା ରହିଛି। ପ୍ରତି ନିର୍ବାଚନରେ ହିସା ବଢ଼ୁଛି। ମୁକ୍ତ ନିର୍ବାଚନ ସମ୍ଭବ ହେଉନି। ଆଗାମୀ ଦିନରେ ହିଂସାମୁକ୍ତ ନିର୍ବାଚନ ପାଇଁ ଶୁଳ୍କମୁକ୍ତ ଟେଲିଫୋନ ନମ୍ବର, ହ୍ୱାଟ୍‍ସଆପ କାର୍ଯ୍ୟକାରୀ ହେବ ଏବଂ ଏହା ଜରିଆରେ ହିଂସା ସଂକ୍ରାନ୍ତ ଖବର ନିର୍ବାଚନ ଆୟୋଗଙ୍କୁ ଦିଆଯାଇପାରିବ।
ଓଡ଼ିଶା ଇଲେକ୍ସନ ୱାଚ ନିର୍ବାଚନ ପ୍ରକ୍ରିୟାରେ ଭୋଟରଙ୍କୁ ସଚେତନ କରାଇବା ନିମନ୍ତେ ଏଡ଼ିଆର ସହଯୋଗରେ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରିଛି। ବିଶେଷ କରି ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଯୁବ ବର୍ଗ ଓ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ସହିତ ନୈତିକତା ଆଧାରରେ ଭୋଟଦାନ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ଖୁବ୍‍ ଶୀଘ୍ର ରାଜ୍ୟ ବ୍ୟାପି ‘ମୋ ଭୋଟ ମୋ ଦେଶ: ମୋ ଭୋଟ ସଉଦା ନୁହେଁ’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ରାଜ୍ୟର ୩୦ଟି ଜିଲାର ବିଭିନ୍ନ ଗ୍ରାମ ଓ ସହରରେ ଆୟୋଜିତ ହେବ। ବିଭିନ୍ନ ଦୃଶ୍ୟ-ଶ୍ରାବ୍ୟ, ଲୋକନୃତ୍ୟ, ପଥପ୍ରାନ୍ତ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୋଷ୍ଟର, କର୍ମଶାଳା, ସଚେତନତା ସଭା ସହିତ ମୋବାଇଲ ଭ୍ୟାନ ପ୍ରଚାର ଅଭିଯାନ ଚାଲିବ। ଏଥିସହିତ ଓଇଡ଼ବ୍ଲ୍ୟୁ ଏବଂ ଏଡ଼ିଆର ‘ହମ ବଦଲେଙ୍ଗେ ଅପନା ଭାରତ’ ଶୀର୍ଷକରେ ଏକ ଅଭିଯାନ ଆରମ୍ଭ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର କୋର ଟିମ ସଦସ୍ୟ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡ.ସେବା ମହାପାତ୍ର, ଦୂରଦର୍ଶନର ପୂର୍ବତନ ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ, ସମାଜସେବୀ କ୍ଷମାକର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati
Leave A Reply