www.samajalive.in
Sunday, December 7, 2025
26.1 C
Bhubaneswar

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜୟଙ୍କ ସାଂଘାତିକ ଅଭିଯୋଗ ; ହତ୍ୟା ପୂର୍ବରୁ ମନ୍ତ୍ରୀ କରୁଥିଲେ ବୁଝାମଣା

-ତଦନ୍ତ ନାଁରେ ପୁଲିସ ଚଳଚ୍ଚିତ୍ର ସୁଟିଂ କରୁଛି: ବିଜୟ
-ସୁରଙ୍କ ଚେତାବନୀ: ଆଗକୁ ହେବ ବିସ୍ଫୋରକ ପରିସ୍ଥିତି
-ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଚାଲ୍: ବ୍ୟୋ‌ମକେଶ
-ଅଦାଲତରେ ଆଜି ହାଜର ହେବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ଭୁବନେଶ୍ୱର : ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦିନକୁ ଦିନ ନୂଆ ନୂଆ ଖିଅ ଖୋଲୁଛି । ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ନେଇ ଶାଣିତ ଆକ୍ରମଣ ଚଳାଇଥିବା ବେଳେ ବିଜେଡ଼ି ଏହାର ଜବାବ ଦେବାକୁ ଯାଇ ପଞ୍ଚାୟତ ନିର୍ବାଚନ ପାଇଁ ଏହାସବୁ ନାଟକ ବୋଲି କହିଛି ।
ମମିତାଙ୍କୁ ହତ୍ୟା ପୂର୍ବରୁ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କର ରାୟପୁରସ୍ଥିତ ବାସଭବନରେ ତାଙ୍କ ଘନିଷ୍ଠ କୁହାଯାଉଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ ଆଣିଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମମିତାଙ୍କ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏଭଳି ଭୟଙ୍କର ଘଟଣା ଆଗରୁ କେବେ ଓଡ଼ିଶାରେ ହୋଇ ନଥିଲା । ଏହାକୁ ନେଇ ପୁଲିସ ଏବେ ନାଟକ ରଚୁଛି। ପୁଲିସ ଯେଉଁ ଭଳି ଭାବରେ ତଦନ୍ତ କରିବା କଥା ତାହା କରୁନାହିଁ; ବରଂ ପୁଲିସ ଡ଼ିଆଇଜି ଓ ଏସପି ଅପରାଧ ଘଟଣାର ତଦନ୍ତ ନାଁରେ ଚଳଚ୍ଚିତ୍ର ସୁଟିଂ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପୁଲିସ ପକ୍ଷରୁ ଯେଉଁ ତଦନ୍ତ କରାଯାଉଛି ତାହା କେବଳ ଜନମାନସକୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ। ଗୋବିନ୍ଦକୁ ଖସେଇ ଦେବାକୁ ଗୃହ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ପୁଲିସ ଆଗରେ ଯଦି ଗୋବିନ୍ଦ ସତ ମାନିଛି, ତେବେ ଆଜି ପର୍ଯ୍ୟନ୍ତ ପୁଲିସ ନ୍ୟାୟିକ ସ୍ବୀକାରୋକ୍ତି କାହିଁକି ହୋଇନାହିଁ। ଅପରାଧ ତଦନ୍ତ ବିଷୟରେ ଯାହାର ସାଧାରଣ ଜ୍ଞାନ ନାହିଁ ସେହିମାନେ ଏହି ମାମଲାର ଦାୟିତ୍ୱ ନେଇଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ, ହାଜତ ବଦଳରେ ୪ ଦିନ ଧରି ବାରାକ୍‌ରେ କାହିଁକି ଗୋବିନ୍ଦକୁ ରଖାଗଲା ? କୌଣସି ଅଭିଯୁକ୍ତକୁ ଧରିଲେ ତାକୁ ହାଜତରେ ରଖାଯିବା କଥା; ଜେରା କରିବା ପରେ ସେ ହାଜତ ବଦଳରେ ବାରାକ୍‌ରେ ରହିଲା କିଭଳି? ବର୍ତ୍ତମାନ ଏହି ଘଟଣାକୁ ଦୁର୍ବଳ କରିବା ପାଇଁ ପୁଲିସ ଲାଗି ପଡିଛି। ମାଟିତଳୁ ଯେଉଁ ପାଉଁଜି ଓ ସୁନା ଚେନ୍‌ ଉଦ୍ଧାର କରାଯାଇଛି, ତାହାର ଚିହ୍ନଟ ଓ ତା’ର ଟିଆଇ ପରେଡ଼ କାହିଁକି କରାଯାଉନାହିଁ ? ଦୁଇ ମାସ ଧରି ଏହି ଘଟଣା ଚାଲିଛି। ମମିତାକୁ ବୁଝେଇ ସମାଧାନ କରିବା ଲାଗି ବିଭିନ୍ନସ୍ତରରେ ଚେଷ୍ଟା କରାଯାଉଥିଲା । ଏ କଥା ପୁଲିସ ଏବଂ ସ୍ଥାନୀୟ ଲୋକେ ଜାଣିଛନ୍ତି। କେବଳ ମନ୍ତ୍ରୀ ସେଠାକୁ ଯାଇନାହାନ୍ତି; ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ରାୟପୁର କାହିଁକି ସେମାନଙ୍କୁ ନେଇ ଯାଇଥିଲେ, ତା’ର ତଦନ୍ତ ହେଲେ ସବୁ ସତ ପଦାକୁ ଆସିପାରିବ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ସତ ଘଟଣା ଗୁଡିକୁ ସରକାରୀ ସ୍ତରରେ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ଚାଲିଛି। ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ତଦନ୍ତ ବିବରଣୀ ପ୍ରଦାନ କରାଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ ନିଜେ ଅନୁଧ୍ୟାନ କରନ୍ତୁ। ସରକାରଙ୍କ କେତେକ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଲୁଚାଉଛନ୍ତି। ମୁଖ୍ୟମନ୍ତ୍ରୀ ଏସବୁ ଅନୁଧ୍ୟାନ କରି ଚୁପ ବସିଲେ ଚଳିବ ନାହିଁ, ଠୋସ୍ ପଦ‌େ‌କ୍ଷପ ନେବାର ଆବଶ୍ୟକତା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ମମିତା ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିଛୁ। ଗୋବିନ୍ଦ ସାହୁ ତା’ ନିଜ ମାଲିକାନାରେ ଥିବା ଜମି ଉପରେ ନିର୍ମାଣ କରିଥିବା ଏକ ଘରୋଇ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଗଲା କେମିତି ? କିଏ ଦେଇଛି ଆଉ କ’ଣ ପାଇଁ ଦେଇଥିଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି ଓ ଅନ୍ୟାନ୍ୟ ସରକାରୀ ଅନୁଦାନ କେଉଁ କେଉଁ ବାବଦରେ କେତେ ଟଙ୍କା ଯାଇଛି ତାହାର ଅନୁସନ୍ଧାନ କରାଯାଉ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ୫୭ ଜଣ ବିଜେଡ଼ି ବିଧାୟକ ମନ୍ତ୍ରୀ ଅପରାଧ ସହିତ ଜଡ଼ିତ ଅଛନ୍ତି। ଆଗକୁ ବଡ଼ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ। ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ। ମନ୍ତ୍ରୀଙ୍କ ବିରୋଧରେ ବହୁତ ପ୍ରମାଣ ରହିଛି; ମାତ୍ର ସରକାର ପଦକ୍ଷେପ ନେଉ ନାହାନ୍ତି। ଆଗାମୀ ଦିନରେ କମିସନରେଟ ପୁଲିସ ଓ ପରେ ସଚିବାଳୟ ଘେରାଉ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।
ଅପରପକ୍ଷରେ ବିରୋଧୀ ଅଭିଯୋଗର ଜବାବ ଦେବାକୁ ଯାଇ ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚାଲିଛି। ସମାଜର କୌଣସି ବ୍ୟକ୍ତିକୁ ଯେତେବେଳେ ନ୍ୟାୟ ମିଳିବାର ଆବଶ୍ୟକତା ଥାଏ, ସେହି ସମୟରେ ବିରୋଧୀ ଦଳ ମାନେ ହୀନ ରାଜନୀତି କରନ୍ତି। ସେମାନେ କେବଳ ପୀଡ଼ିତାଙ୍କୁ ଉପେକ୍ଷିତ କରନ୍ତି ନାହିଁ; ବରଂ ସାଢ଼େ ୪କୋଟି ଓଡ଼ିଆଙ୍କ ଆଗରେ ମଳିନ ପଡିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀ ମାନେ ନିର୍ବାଚନି ଚାଲ୍ ଖେଳୁଛନ୍ତି। ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ଉଦ୍ୟମ କରୁଛନ୍ତି। ସେଥିରୁ ସେମାନେ ନିବୃତ୍ତ ରୁହନ୍ତୁ। ରାଜ୍ୟ ସରକାର ସବୁବେଳେ ନ୍ୟାୟ ପ୍ରଦାନ କରିବାରେ ବିଶ୍ୱାସ କରନ୍ତି ବୋଲି ଶ୍ରୀ ରାୟ ପ୍ରତିକ୍ରିୟା ରଖିଛନ୍ତି।
ଅଦାଲତରେ ଆଜି ହାଜର ହେବ ଗୋବିନ୍ଦ
ରାତ୍ରିରେ ଡାକ୍ତରୀ ମାଇନା ,-ପରୀକ୍ଷାଗାରକୁ ଗଲା ଜବତ ସାମଗ୍ରୀ
ବଲାଙ୍ଗିର : ୫ ଦିନିଆ ଜିମା ଅବଧି ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଙ୍ଗୋମୁଣ୍ଡା ଅଦାଲତରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ହାଜର କରାଯିବାର ଥିଲା। ରବିବାର ଛୁଟି ଥିବାରୁ ତାହା ସମ୍ଭବ ହୋଇପାରିନି। ସୋମବାର ଅଦାଲତ ଖୋଲିବା ପରେ ଗୋବିନ୍ଦକୁ ଅଦାଲତରେ ହାଜର କରାଯିବ ବୋଲି ଜଣାପଡିଛି।
ଶନିବାର ବିଳମ୍ବିତ ରାତିରେ ଗୋବିନ୍ଦକୁ ରିଜର୍ଭ ପୁଲିସ୍‌ ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଗୋବିନ୍ଦର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ପରୀକ୍ଷା କରିଥିଲେ। ପରେ ସେଠାରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ଗତ ୪ ଦିନ ଧରି ପୁଲିସ୍‌ ଗୋବିନ୍ଦକୁ ବିଭିନ୍ନ ପ୍ରସଙ୍ଗରେ ପଚରା ଉଚରା କରୁଛି। ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ତଦନ୍ତ ଚାଲିଥିବାରୁ ଡିଆଇଜି ଡା. ଦୀପକ କୁମାର, ଜିଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଓ ଅନ୍ୟ ପୁଲିସ୍‌ ଅଧିକାରୀ ଗଣମାଧ୍ୟମ ଠାରୁ ଦୂରରେ ରହୁଛନ୍ତି। ରିଜର୍ଭ ପୁଲିସ୍‌ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରବେଶ ପଥରୁ ଫେରାଇ ଦିଆଯାଉଥିବା ବେଳେ ଭିତରକୁ ଛାଡ଼ୁନାହାନ୍ତି। ଗୋବିନ୍ଦ ଏଠାରେ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସିନ୍ଧେକେଲା ଥାନାରେ ପୁଲିସ୍‌ ପକ୍ଷରୁ ୧୦ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ମମିତା ହତ୍ୟା ଘଟଣାରେ ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଇ ଦିଆଯାଇଥିବା ପ୍ରକାଶ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories