ସହକାରୀ ରେଞ୍ଜରଙ୍କୁ ଗାଡ଼ି ମଡ଼ାଇ ହତ୍ୟା

0

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବାଲି ମାଫିଆମାନେ ଗାଡି ଚପାଇ ଜଙ୍ଗଲ ବିଭାଗର ଜଣେ ସରକାରୀ ରେଞ୍ଜରଙ୍କୁ ହତ୍ୟା କରିଛନ୍ତି। ମୃତ ସହକାରୀ ରେଞ୍ଜର ଜଣଙ୍କ ହେଉଛନ୍ତି ସୁବେଦାର ସିଂହ କୁଶୱାହ। ଶୁକ୍ରବାର ସକାଳେ କୁଶୱାହ ବେଆଇନ ଭାବେ ବାଲି ବୋଝେଇ କରି ଯାଉଥିବା ଏକ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଟ୍ରାକ୍ଟରଟି ତାଙ୍କୁ ଚପାଇ ଦେଇଥିଲା। କୁଶୱାହ ମୋରେନା ଜିଲା ଘିରୋନା ମନ୍ଦିର ନିକଟ ଜଙ୍ଗଲ ବିଭାଗ ପୋଷ୍ଟରେ କାର୍ଯ୍ୟରତ ଥିଲେ। ପୁଲିସ କହିବା ଅନୁଯାୟୀ କୁଶୱାହଙ୍କ ଉପରେ ଗାଡି ଚପାଇ ଦେବା ପରେ ଟ୍ରାକ୍ଟର ଚାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି। ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି। ମୋରେନା ପୁଲିସ ମୁଖ୍ୟ ଅମିତ ସାଙ୍ଘିଙ୍କ କହିବା ଅନୁଯାୟୀ ଜଙ୍ଗଲ ଅଧିକାରୀ ଜଣଙ୍କ ଟ୍ରାକ୍ଟରଟିକୁ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ଏହାର ଚାଳକ ଗାଡିକୁ ଅଟକାଇବା ପରିବର୍ତ୍ତେ ଏହାର ବେଗ ବଢାଇଥିଲେ। ଫଳରେ କୁଶୱାଲ ଟ୍ରାକ୍ଟରର ପଛ ଚକା ତଳେ ଚାପି ହୋଇଯାଇଥିଲେ। ଫରେଷ୍ଟ ଗାର୍ଡମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେଇଥିଲେ; ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସରକାରୀ କର୍ମଚାରୀଙ୍କ ଉପରେ ବାଲି ମାଫିଆଙ୍କ ଦମନ ଲୀଳାର ଏହା ହେଉଛି ସଦ୍ୟ କାରନାମା। ଚଳିତବର୍ଷ ମାର୍ଚ୍ଚରେ ବାଲି ମାଫିଆମାନେ ସନ୍ଦୀପ ଶର୍ମା ନାମକ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିଲେ। ସନ୍ଦୀପ ପୁଲିସ ଓ ବାଲି ମାଫିଆଙ୍କ କଳା କାରନାମା ସମ୍ପର୍କରେ ରିପୋର୍ଟ ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ସେହିପରି ସୋନିଆ ମୀନା ନାମକ ଜଣେ ଆଇଏଏସ୍ ଅଫିସରଙ୍କୁ ବାଲି ମାଫିଆମାନେ ଧମକ ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୬ରେ ନରେନ୍ଦ୍ର ଶର୍ମା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କୁ ଟ୍ରାକ୍ଟର ଚପାଇ ହତ୍ୟା କରାଯାଇଥିଲା। ସେହିପରି ୨୦୧୨ ମାର୍ଚ୍ଚରେ ନରେନ୍ଦ୍ର କୁମାର ନାମକ ଜଣେ ଆଇପିଏସ୍ ଅଫିସରଙ୍କୁ ଅନୁରୂପ ଭାବେ ହତ୍ୟା କରାଯାଇଥିଲା।

kalyan agarbati
Leave A Reply