www.samajalive.in
Saturday, December 13, 2025
23.1 C
Bhubaneswar

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦ୍ୱାରା ଜୈବମଣ୍ଡଳ ସନ୍ତୁଳିତ ରହିପାରିବ : ଆରସିସିଏଫ୍ ଡ. ଅରୁଣ ମିଶ୍ର

ରାଉରକେଲା: ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ସହ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରାଉରକେଲା ସ୍ଥିତ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ଅରୁଣ କୁମାର ମିଶ୍ର କହିଛନ୍ତି। ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରୁଛନ୍ତି। ଜନସାଧାରଣ ଏ ଦିଗରେ ସଚେତନ ହୋଇ ଜୀବଜନ୍ତୁଙ୍କ ସୁରକ୍ଷା ସହିତ ବନ ତଥା ପରିବେଶର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ଜରୁରୀ। ରାଉରକେଲା ବନମଣ୍ଡଳ ଏବଂ ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ୍ ସେଂଟର ଠାରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ମିଶ୍ର ଏହା କହିଛନ୍ତି।

- Advertisement -

ସେ କହିଛନ୍ତି ଯେ, ଆମେ ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀଙ୍କ ବସବାସ ଅଂଚଳରେ ପ୍ରବେଶ କରି ସେମାନଙ୍କ ପରିବେଶକୁ ନଷ୍ଟ କରୁଥିବାରୁ, ସେମାନେ ଅନିଛା ସତ୍ୱେ ଗାଁ ଏବଂ ସହରାଭିମୁଖୀ ହେଉଛନ୍ତି। ପରିଣାମ ସ୍ୱରୂପ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି। ତେଣୁ ପ୍ରତ୍ୟେକ ଏ ଦିଗରେ ସଚେତନ ରହି ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ. ମିଶ୍ର ପାୱାର ପଏଂଟ ପ୍ରେଜେଂଟେସନ ଜରିଆରେ ଦେଶର ବିଭିନ୍ନ ଅଂଚଳରେ ଥିବା ଜୈବ ମଣ୍ଡଳ, ନ୍ୟାସନାଲ ପାର୍କ, ଅଭୟାରଣ୍ୟ ତଥା ସେଠାରେ ରହୁଥିବା ଜୀବଜନ୍ତୁ ଓ ସେଠାକାର ପରିବେଶ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଉରକେଲା ବନ ମଣ୍ଡଳ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଜୀବଜନ୍ତୁମାନଙ୍କୁ ସମସ୍ତେ ସୁରକ୍ଷା ଦେଲେ ଆଗାମୀ ପିଢ଼ି ଚିଡ଼ିଆଖାନା ସହିତ ବଣ ଜଙ୍ଗଲରେ ସେମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ, ଅନ୍ୟଥା ଭବିଷ୍ୟତରେ ଏମାନଙ୍କୁ ବଣ ଜଙ୍ଗଲରେ ଦେଖିବାର ସୁଯୋଗ ମିଳିବ ନାହିଁ ବୋଲି କହିଥିଲେ। ରାଉରକେଲା ବନଖଣ୍ଡ ତରଫରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମେନ୍ତ ୧୨୦ଟି ସ୍କ୍ୱାର୍ଡ଼ ଗଠନ କରାଯିବା ସହ ହାତୀମାନେ ନିଜ ଅଂଚଳରୁ ଯେପରି ବାହାରକୁ ଆସି ନ ପାରିବେ ସେଥିପାଇଁ ସୋଲାର ଫେନ୍ସିଂ, ଗର୍ତ୍ତ ଖୋଳାଯିବା କାର୍ଯ୍ୟ ଚାଲିଛି।

ବିଶ୍ରା ବନାଂଚଳରେ ୯ଟି ନୀଳ ଗାଈ ରହିଥିବାର ଶ୍ରୀ ସେଠୀ କହିଥିଲେ ଓ ଏମାନଙ୍କୁ ସ୍ଥାନୀୟ ବାସିନ୍ଦାମାନେ ସୁରକ୍ଷା ଦେବାକୁ ସେ ପରାମର୍ଶ ଦେଇଥିଲେ। ବନ୍ଧମୁଣ୍ଡା ସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ସହକାରୀ ଆଂଚଳିକ ମ୍ୟାନେଜର ନିଶାନ୍ତ କୁମାର ଅତିଥି ଭାବେ ଯୋଗଦେଇ ହାତୀମାନେ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ରେଳ ବିଭାଗ ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ରେଳ ଚଳାଚଳକୁ ନିୟନ୍ତ୍ରଣ କରାଯାଇଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ତଥା ବର୍ତମାନ ସୁନ୍ଦରଗଡ଼ର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଭଗବାନ ପତି ଯୋଗଦେଇ ତାଙ୍କ ଅଭିଭାଷଣରେ ତାଙ୍କ ଚାକିରି ଜୀବନ ଭିତରେ ଜଙ୍ଗଲ ସୁରକ୍ଷା ତଥା ବନ୍ୟପ୍ରାଣୀଙ୍କ ପାଇଁ ଗ୍ରହଣ କରିଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ରାଉରକେଲା ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନ ବିଭାଗର ଡିଜିଏମ୍ ଡାକ୍ତର ଏ.ବିଶ୍ୱାସ ବନ୍ୟଜନ୍ତୁଙ୍କ ଚିକିତ୍ସା ଓ ସେମାନଙ୍କର ଜୀବନୀ ଉପରେ ସମ୍ୟକ ସୂଚନା ଦେଇଥିଲେ। ଉତ୍ସବରେ ବନ ବିଭାଗ ପକ୍ଷରୁ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଫସଲ, ଘର ଆଦିର ପୀଡ଼ିତ ୮ ଜଣ ବ୍ଯକ୍ତିକୁ କ୍ଷତିପୂରଣ ବାବଦରେ ୧୦ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବନ ବିଭାଗର ୧୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ୨ ଜଣ ସାପ ଧରାଳୀଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କର ସାହସିକତା, କୌଶଳ ଓ ଜୀବନରକ୍ଷା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସପ୍ତାହ ପାଳନ ଅବସରରେ ୟୁଥ୍ ମୁଭମେଂଟ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମଂଚରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ମୂଳକ ନୃତ୍ୟ ନାଟିକା ବିବେକାନନ୍ଦ ଦାସଙ୍କ ନିର୍ଦ୍ଦେଶନାରେ କଳାକାରମାନେ ମଂଚସ୍ଥ କରିଥିଲେ। ପରେ ବାଙ୍କି ବନାଂଚଳର ଅଧିକାରୀ ଅଜୟ କୁମାର ଖେସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ ବିଭାଗର ବହୁ କର୍ମଚାରୀ, ବନ ସୁରକ୍ଷା ସମତିର ସଦସ୍ୟ/ସଦସ୍ୟା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories