ଆଠମଲ୍ଲିକ-ଧଳପୁର ମହାନଦୀ ବ୍ରିଜ ନୂଆ ସଡକ ପାଇଁ ଜନଶୁଣାଣି

୬ଗାଁ ଲୋକଙ୍କ ସହମତି, ଜମି ମୂଲ୍ୟାଙ୍କନ ବୃଦ୍ଧି ପାଇଁ ପ୍ରସ୍ତାବ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ପୁରୁଣାକଟକଠାରୁ ଖରଶଙ୍କୁଲେଇ ପର୍ଯ୍ୟନ୍ତ ଏକ ନୂଆ ସଡକ ନିର୍ମାଣ ପାଇଁ ବୁଧୁବାର ଶାକୁସିଙ୍ଗା ଶିବମନ୍ଦିରରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର, ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ହରଭଙ୍ଗା ବିଡିଓ ସୁବାଷ ଯାନୀ, ବୌଦ୍ଧ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ପୁରୁଣାକଟକ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଚୈତନ୍ୟ ଦେହୁରୀ, ସର୍ଭେ ସଂସ୍ଥା ସପନା, ବୌଦ୍ଧ ଜମି ଅଧିଗ୍ରହଣ ଅଧିକାରୀ ଅମୂଲ୍ୟ କୁମାର ସାହୁ, ଧଳପୁର ସରପଞ୍ଚ ପ୍ରଣୟ ବାରିକ୍‍, ଧଳପୁର ପଂଚାୟତର ଟଭାପଦର, ଚନ୍ଦ୍ରଶେଖରପୁର, ପଲଶାକୁଟୁଣୀ, ସାକୁଶିଙ୍ଗା, ପରମାନନ୍ଦପୁର, ଖରଶଙ୍କୁଲେଇ ଭଳି ୬ଟି ଗ୍ରାମର ଗ୍ରାମବାସୀ ଯୋଗଦାନ କରିଥିଲେ। ବୈଠକରେ ପୁରୁଣାକଟକ ଠାରୁ ଧଳପୁର ମହାନଦୀ ପୋଲକୁ ସଂଯୋଗ ପାଇଁ ଏକ ନୂଆ ସଡକ ନିର୍ମାଣ ସମ୍ପର୍କରେ ଲୋକଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ସିଧାସଳଖ ଆଲୋଚନା ହୋଇଥିଲା। ଏଥିରେ ଗାଁ ଲୋକେ ପୂର୍ଣ୍ଣ ସହମତି ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତ ଲୋକେ ଜମି ମୂଲ୍ୟାଙ୍କନ ବୃଦ୍ଧି ପାଇଁ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୂଚନା ଥାଉ କି, ଆଠମଲ୍ଲିକ-ଧଳପୁର ମହାନଦୀ ବ୍ରିଜକୁ ସିଧାସଳଖ ସଂଯୋଗ ପାଇଁ ପୁରୁଣାକଟକ ଠାରୁ ଭାୟା କାନପୁର-ପିତାମ୍ବରପୁର-ଫୁଲଝରୀ-ଇନ୍ଦ୍ରପୁର-ରାଜିଂ-ଜିରାଡ-ଟଭାପଦର- ଚନ୍ଦ୍ରଶେଖରପୁର-ପଲଶାକୁଟୁଣି-ସାକୁଶିଙ୍ଗା-ପରମାନନ୍ଦପୁର- ଖରଶଙ୍କୁଲେଇ ପର୍ଯ୍ୟନ୍ତ ଦୀର୍ଘ ୧୧.୩୨୮ କିଲୋମିଟରର ନୂଆ ସଡକ ପୂର୍ତବିଭାଗ ଦ୍ୱାରା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି। ନୂଆ ସଡକ ନିର୍ମାଣ ପାଇଁ ସମୁଦାୟ ୯୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ସେଥିରୁ ୬୩ ଏକର ବେସରକାରୀ ଏବଂ ୨୯ ଏକର ସରକାରୀ ଜମି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡୁଛି। ଉକ୍ତ ରାସ୍ତା ଉପରେ ଥିବା ୧୨ଟି ଗ୍ରାମବାସୀଙ୍କ ୬୩ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ଆଜି ପ୍ରଥମ ଦଫାରେ ଟଭାପଦର, ଚନ୍ଦ୍ରଶେଖରପୁର, ପଲଶାକୁଟୁଣୀ, ସାକୁଶିଙ୍ଗା, ପରମାନନ୍ଦପୁର, ଖରଶଙ୍କୁଲେଇ ଭଳି ୬ଗୋଟି ଗାଁ ଲୋକଙ୍କୁ ନେଇ ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ପୁରୁଣାକଟକରେ କାନପୁର, ପିତାମ୍ବରପୁର, ଫୁଲଝରୀ, ଈନ୍ଦ୍ରପୁର, ରାଜିଂ, ପୁରୁଣାକଟକ ଭଳି ଅନ୍ୟ ୬ଗୋଟି ଗାଁ ଲୋକଙ୍କୁ ନେଇ ଦ୍ୱିତୀୟ ଜନଶୁଣାଣି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Comments are closed.