ପ୍ରଥମ ଟେଷ୍ଟମ୍ୟାଚ୍‍: ଭାରତ ‘ଏ’ ୯୮ ରନ୍‍ରେ ପରାସ୍ତ

0

ବେଙ୍ଗାଲୁରୁ: ବାମହାତି ସ୍ପିନର ଜୋନ୍‍ ହଲାଣ୍ଡଙ୍କ ୬ ୱିକେଟ ଦଖଲ ବଳରେ ପ୍ରଥମ ଅନୌପଚାରିକ ଟେଷ୍ଟମ୍ୟାଚ୍‍ରେ ଘରୋଇ ଭାରତ ‘ଏ’କୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ‘ଏ’ ୯୮ ରନ୍‍ରେ ପରାସ୍ତ କରିଛି। ଫଳରେ ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ରେ ଅଷ୍ଟ୍ରେଲିଆ ‘ଏ’ ୧-୦ର ଅପରାଜେୟ ଲିଡ୍‍ ନେଇପାରିଛି। ୨ୟ ଇନିଂସରେ ୨୬୨ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ଭାରତ ‘ଏ’ ବୁଧବାର ୪ର୍ଥ ତଥା ଅନ୍ତିମ ଦିନରେ ୧୬୩ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା।
୨୬୨ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ଭାରତ ‘ଏ’ ୩ୟ ଦିନ ଶେଷରେ ୨ୟ ଇନିଂସରେ ୨ ୱିକେଟ ହରାଇ ୬୩ ରନ୍‍ କରିଥିଲା। ତେବେ ଏକଦା ୨ ୱିକେଟରେ ୧୦୬ ରନ୍‍କରି ଭାରତ ‘ଏ’ ସହଜ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଭାରତ ‘ଏ’ ଭୋଜନ ବିରତି ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫୭ ରନ୍‍ରେ ଶେଷ ୮ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। ଓପ୍‍ନର ମୟଙ୍କ ଅଗ୍ରୱାଲ ଓ ଅଙ୍କିତ ବାୱାନେ ୩ୟ ୱିକେଟ ପାଇଁ ୭୩ ରନ୍‍ ଯୋଗ କରିଥିଲେ। ବାୱାନେ ୨୫ ରନ୍‍କରି ଆଉଟ ହେବା ସହ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ଆର୍‍. ସମର୍ଥ ୮ ରନ୍‍ କରିଥିବା ବେଳେ କେ.ଏସ୍‍. ଭାରତ ଓ କେ. ଗୌତମ ଖାତା ଖୋଲି ପାରିନଥିଲେ। କର୍ଣ୍ଣାଟକର ମୟଙ୍କ ଅଗ୍ରୱାଲ ଗୋଟିଏ ଛକା ଓ ୯ଟି ଚୌକା ସହ ୮୦ ରନ୍‍କରି ଆଉଟହେବା ସହ ଭାରତର ଆଶା ମଉଳି ଯାଇଥିଲା। ଅଷ୍ଟ୍ରେଲିଆର ବାମହାତି ସ୍ପିନର ଜୋନ୍‍ ହଲାଣ୍ଡ ୬ଟି ଓ ବ୍ରେଣ୍ଡନ୍‍ ଡଗେଟ୍‍ ୨ଟି ୱିକେଟ ନେଇଥିଲେ। ଆସନ୍ତା ୮ରୁ ଏଠାରେ ୨ୟ ଟେଷ୍ଟମ୍ୟାଚ୍‍ ଖେଳାଯିବ।

kalyan agarbati
Leave A Reply