www.samajalive.in
Friday, December 12, 2025
14.1 C
Bhubaneswar

ସବୁ ବିଗାଡ଼ିଦେଲେ ଆଇଏସ୍‌ଆଇ ମୁଖ୍ୟ

କାବୁଲ : ପାକିସ୍ତାନ ଆନ୍ତର୍ଜାତିକସ୍ତରରେ ଆମର ସବୁ ସମ୍ମାନ ମାଟିରେ ମିଶାଇଦେଲା। ଏହାର ଗୁଇନ୍ଦା ବିଭାଗ ମୁଖ୍ୟ ଲେଫ୍ଟନାଣ୍ଡ ଜେନେରାଲ ଫୈଜ ହମିଦ ଆମ ମାମଲାରେ ମୁଣ୍ଡ ପୂରାଇ ସବୁ ବିଗାଡ଼ିଦେଲେ। ସେ ହିଁ ସବୁ ସମସ୍ୟାର ମୂଳ। ତାଙ୍କ ଯୋଗୁଁ ତାଲିବାନ ପ୍ରସ୍ତାବିତ ସମଷ୍ଟିଗତ ସରକାର ଗଠନ ସଫଳ ହୋଇ ନାହିଁ। ଏବେ ଏଭଳି କହି ମୁଣ୍ଡ ପିଟୁଛି ତାଲିବାନ। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ନେଇ ଉପୁଜିଥିବା ସମସ୍ୟା ପରିପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାଲିବାନ କମାଣ୍ଡର ତଥା ନୂଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ଫଜିଲ। ଏହି ମନ୍ତବ୍ୟର ଏକ ଅଡିଓ ଟେପ୍‌ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଶୁକ୍ରବାର ଏହି ଟେପ୍‌ ସାମ୍ନାକୁ ଆସିବା ପରେ ତାଲିବାନ ଓ ପାକିସ୍ତାନ ମଧ୍ୟରେ କିଛି ଦିନ ହେଲା ଚାଲିଥିବା ଶୀତଳ ଯୁଦ୍ଧ ସ୍ପଷ୍ଟ ହୋଇଛି।
ମୁଲ୍ଲା ଫଜିଲଙ୍କ କହିବାନୁସାରେ ଆଇଏସ୍‌ଆଇ ମୁଖ୍ୟ ଅଯଥାରେ ତାଲିବାନ ମନ୍ତ୍ରିମଣ୍ଡଳ ଗଠନରେ ହସ୍ତକ୍ଷେପ କରିଛନ୍ତି। ମନ୍ତ୍ରିମଣ୍ଡଳରେ ହକାନୀ ନେଟୱର୍କ ଓ କ୍ବେଟା ସୁରାର ସଦସ୍ୟଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ଦେବା ପାଇଁ ଏହା ଦାବି କରିବା ଫଳରେ ତାଲିବାନକୁ ନ୍ୟୂନ କରାଯାଇଛି। ହମିଦ୍‌ଙ୍କ ଚାପରେ ​‌େ​‌କ୍ବଟା ସୁରା ମୁଖ୍ୟ ଆଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଓ ହକାନୀ ମୁଖ୍ୟଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ କରାଯାଇଛି। ସେ ଆମ ଭାଗୀଦାରୀ ସରକାରରେ ବାଧା ସୃଷ୍ଟି କରିଛନ୍ତି। ପୂର୍ବରୁ ବିଶ୍ବ ସମୁଦାୟଙ୍କ ସମର୍ଥନ ପାଇବା ଆଶାରେ ତାଜିକ, ଉଜ୍‌ବେକ୍‌ ଓ ହାଜରା ସମ୍ପ୍ରଦାୟର ନେତାଙ୍କ ସହ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ, ସିଇଓ ଅବଦୁଲ୍ଲା ଅବଦୁଲ୍ଲାଙ୍କ ଭଳି ଦେଶର କିଛି ପ୍ରତିଷ୍ଠିତ ନେତାଙ୍କୁ ସାମିଲ ପାଇଁ ଯୋଜନା ହୋଇଥିଲା; କିନ୍ତୁ ଏହି ଯୋଜନା ପଞ୍ଜାବୀ ଅତିଥି ହମିଦଙ୍କ ପାଇଁ ପାଣି ଫାଟିକଲା। ଗତ ୭ରେ ହମିଦ କାବୁଲରେ ପହଞ୍ଚି ହକାନୀଙ୍କ ପାଇଁ ସର୍ବାଧିକ ଓକିଲାତି କରିଥିଲେ। ସେ ହିଁ ସମଷ୍ଟିଗତ ସରକାର ଗଠନରେ ବାଧା ସୃଷ୍ଟି କରିଥିଲେ। ଦୋହା ଆଲୋଚନାରେ ସାମିଲ ନେତାଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହମିଦ ଓ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଯୋଗୁଁ ଅନ୍ୟମାନେ ଏହି ଚାପ ଯୋଗୁଁ ବଞ୍ଚିତ ହୋଇଥିଲେ। ଫେସ୍‌ବୁକ୍‌ରେ ପ୍ରସାରିତ ଏହି ଟେପ୍‌କୁ ପରବର୍ତ୍ତୀ ସମୟରେ ଉଡ଼ାଇ ଦିଆଯାଇଛି।

ଗୁପ୍ତ ଦଲିଲ ନେଇ ପଳାଇଛି ପାକିସ୍ତାନ
ଆଫଗାନିସ୍ତାନର ବହୁ ଗୋପନୀୟ ତଥା ସମ୍ବେଦନଶୀଳ ସରକାରୀ ଦଲିଲ ପାକିସ୍ତାନ ନେଇ ପଳାଇଛି। ମାନବୀୟ ସହାୟତା ପ୍ରଦାନ ଆଳରେ ଗୁରୁବାର କାବୁଲରେ ପହଞ୍ଚିଥିବା ପାକିସ୍ତାନର ତିନିଟି ସି-୧୭୦ ବିମାନ ଚତୁରତାର ସହ ଆଫଗାନିସ୍ତାନର ପ୍ରତିରକ୍ଷା ଓ ସୁରକ୍ଷା ବାବଦ ଅତି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ବହୁ ସଂଖ୍ୟକ ବ୍ୟାଗ୍‌ରେ ଭର୍ତ୍ତି କରି ନେଇ ପଳାଇଥିବା ଜଣାପଡ଼ିଛି। ଏଥିରେ ବହୁ କାଗଜାଦି ସହିତ ଡିଜିଟାଲ ଦସ୍ତାବିଜ ଓ କଂପ୍ୟୁଟର ହାର୍ଡ ଡିସ୍କ ରହିଛି। ଏହି କାର୍ଯ୍ୟ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଓ କାବୁଲରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ମନସୁର ଅହମ୍ମଦ ଏଥିପାଇଁ ସମସ୍ତ ସହାୟତା ଯୋଗାଇଥିବା ଏବେ ସ୍ପଷ୍ଟ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପାକିସ୍ତାନ ଯେଉଁଦିନ ଆଫଗାନିସ୍ତାନର ଆର୍ଥିକ ପରିଚାଳନାକୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ଘୋଷଣା କରିଥିଲା ତାହାର ଠିକ୍‌ ପରଦିନ ଏଭଳି ଘଟିଥିବା ପ୍ରକାଶ। ପୂର୍ବତନ ସରକାରଙ୍କ ଅମଳର କର୍ମଚାରୀମାନେ ଏବେ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟରେ ଯୋଗ ଦେଇ ନ ଥିବାବେଳେ ଏହି ସୁଯୋଗ ନେଇ ଆଇଏସ୍‌ଆଇ ଏଭଳି ଚୋରି କରିଛି। ଆଇଏସଆଇ ଏଗୁଡ଼ିକୁ ତାଲିବାନକୁ ଧମକାଇବା ପାଇଁ ବ୍ୟବହାର କରିବ। ଏହି ଘଟଣା ଏବେ ସାରା ବିଶ୍ବ ପାଇଁ ବିପଦର ଘଣ୍ଟି ବଜାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories