କେବଳ କୁଜଙ୍ଗ ବ୍ଲକ ହାସଲ କରିଛି ଏଭଳି ୩ଟି ଅଲୋଡ଼ା କୀର୍ତ୍ତି
ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ପଛରେ କିଏ ?
ଜଗତସିଂହପୁର/କୁଜଙ୍ଗ,୧୧/୯ : ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଲୋଡା କୀର୍ତ୍ତି ସ୍ଥାପନ କରିଛି। ଏହି ବ୍ଲକରୁ ଅତୀତରେ ଦୁଇ ପରିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ସୌଭାଗ୍ୟକୁ ବଞ୍ଚି ଯାଇଥିଲେ। ହେଲେ ତୃତୀୟ ବ୍ୟକ୍ତି ଭାବେ ଆତ୍ମହତ୍ୟା ଉଦ୍ୟମ କରିଥିବା ମନ୍ତ୍ରୀପାଟଣାର ଦୁଷ୍ମନ୍ତଙ୍କ ଜୀବନ ଚାଲିଯାଇଛି। କୁଜଙ୍ଗ ବ୍ଲକର ବ୍ୟକ୍ତିବିଶେଷ ହିଁ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବା ଉଦ୍ୟମ ଏକ ସଂଯୋଗମାତ୍ର ନା ଏହା ପଛରେ କିଛି ରହସ୍ୟ ରହିଛି ସେନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି।
ନିଜର ଭଙ୍ଗାଗୋଡ଼ର ଚିକିତ୍ସାପାଇଁ ପ୍ରଶାସକଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ବିଫଳ ହେବାପରେ ଦୁଷ୍ମନ୍ତ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣେଇଲେ। ଏଭଳି କରିବା ପୂର୍ବରୁ ସେ ନିଶ୍ଚୟ ବହୁବାର ଚିନ୍ତା କରିଥିବେ। ନିଜର କୁନି ଝିଅ, ପତ୍ନୀ ଓ ବୃଦ୍ଧ ବାପା ଓ ମା’ଙ୍କ ଭବିଷ୍ୟତ ଚିନ୍ତା ତାଙ୍କ ମନକୁ ନିଶ୍ଚୟ ଆନ୍ଦୋଳିତ କରିଥିବ। ଭଙ୍ଗାଗୋଡ଼ରେ କିଭଳି ପରିବାର ପୋଷିବେ ବୋଲି ଚିନ୍ତାକରି ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଅପରପକ୍ଷରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ଦେଖାଇବାକୁ ସେ ବିଧାନସଭା ସମ୍ମୁଖରେ ଏଭଳି ଉଦ୍ୟମ କରିଛନ୍ତି ଏକଥା ବି କେତେକାଂଶରେ ସତ; କିନ୍ତୁ ପରିବାର ଲୋକଙ୍କ ବୟାନକୁ ତର୍ଜମା କଲେ ତାଙ୍କୁ ମରିବା ପାଇଁ ଏକପ୍ରକାର ବାଧ୍ୟ କରାଯାଇଛି। ତାଙ୍କୁ ବ୍ୟବହାର କରିବାକୁ ଉଦ୍ୟମ କରି କିଛି ବ୍ୟକ୍ତି ଏଭଳି କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଯେ ମିଥ୍ୟା ତାହା କୁହାଯାଇପାରିବନି। ଦୁଷ୍ମନ୍ତଙ୍କ ମା’ଙ୍କ ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। ପୂର୍ବରୁ ଏହି ବ୍ଲକରେ ଦୁଇଟି ପରିବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗତ ୨୦୨୦ ନଭେମ୍ବର ୨୮ ତାରିଖରେ ନିଜ ପୁଅ ଅମୃତ ଦାସ ମୃତ୍ୟୁ ମାମଲାରେ ନ୍ୟାୟ ପାଇବାପାଇଁ ମା’ ସୁଲୋଚନା ଓ ଅମୃତଙ୍କ ଭାଇ ସୁବ୍ରତ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ସଡ଼କ ଦୁର୍ଘଟଣାରେ ଅମୃତଙ୍କର ମୃତ୍ୟୁ ହୋଇଥିବା ପୁଲିସ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗରେ ଏଯାଏ ଅଟଳ ଅଛନ୍ତି। ସେହିଭଳି ପଙ୍କପାଳ ମଦ ଦୋକାନର କର୍ମଚାରୀ ଉଲ୍ଲାସ ଜେନାଙ୍କୁ ପୋଡି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ନ୍ୟାୟ ନ ମିଳିବାରୁ ଗତ ୨୦୨୧ ଫେବୃଆରୀ ୧୮ ତାରିଖରେ ତାଙ୍କର ଭାଇ ଉମେଶ ଓ ତାପସ ଏବଂ ମା’ ଜ୍ୟୋସ୍ନା ମଧ୍ୟ ବିଧାନସଭା ସମ୍ମୁଖରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଦୁଇଟି ଘଟଣାରେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା। ଯାହା ଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା।
ଅତୀତରେ କୁଜଙ୍ଗର ଦୁଇଟି ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ ଫସର ଫାଟିବା ଘଟଣାରୁ ବୋଧେ ଶିଖି ଦୁଷ୍ମନ୍ତ ପୂରା ପ୍ରସ୍ତୁତି ଅନୁସାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହା ଫଳରେ ନିଜର ଯୋଜନାରେ ସେ ସଫଳ ହୋଇଗଲେ। ଅତୀତରେ ଦୁଇଟି ପରିବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତେବେଳେ ପୁଲିସ କିମ୍ବା ପ୍ରଶାସନ ଚିନ୍ତାକଲାନି ଯେ ଦୁଇଟି ପରିବାର କୁଜଙ୍ଗରୁ ବିଧାନସଭାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ସାହସ ଯୋଗାଡ କଲେ କେମିତି? କିଏ ଓ କେଉଁମାନେ ସେମାନଙ୍କ ପଛରେ ଥିଲେ? ଏଭଳି କରିବାକୁ ସେମାନଙ୍କୁ ସାହସ ଦେଇଥିଲେ। ଯଦି ଅତୀତର ଦୁଇଟି ଘଟଣାକୁ ପୁଲିସ ଓ ଗୁଇନ୍ଦା ବିଭାଗ ଗୁରୁତର ସହ ନେଇ ଏହା ପଛରେ କାହାର ହାତ ଅଛି ତାହା ଅନୁସନ୍ଧାନ କରିଥାନ୍ତେ ତାହେଲେ ହୁଏତ ଦୁଷ୍ମନ୍ତ ଆଜି ସେଭଳି ସମାନ ପନ୍ଥା ଆପଣେଇବାକୁ ଚିନ୍ତା କରିନଥାନ୍ତେ। ଅଥବା ଯେଉଁମାନେ ଦୁଷ୍ମନ୍ତଙ୍କୁ ଶିଖାଇ ଏଭଳି କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ସେମାନେ ଏଭଳି କରିବାକୁ ସାହସ କରିନଥାନ୍ତେ। ଏବେ ବି ସମୟ ଶେଷ ହୋଇନି। କେବଳ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ ରହସ୍ୟ ଉନ୍ମୋଚନ କାହିଁକି, ଅତୀତର କୁଜଙ୍ଗ ବ୍ଲକର ଦୁଇଟି ପରିବାରର ଆତ୍ମହତ୍ୟା ଉଦ୍ୟମ ପଛରେ କାହାର ହାତ ଓ ପରାମର୍ଶ ଥିଲା ତାହାର ବି ତଦନ୍ତ ହେବା ଆବଶ୍ୟକ। ନହେଲେ ଆଗକୁ ନିଜର ହକ୍ ହାସଲ ପାଇଁ ହେଉ ଅବା ସରକାରୀ ଯୋଜନାରୁ ବଞ୍ଚିିତ ଲୋକେ ମଧ୍ୟ ଏଭଳି ସମାନ ପନ୍ଥା ଆପଣେଇବାକୁ ପଛେଇବେ ନାହିଁ।
Comments are closed.