ଭୁବନେଶ୍ବର: ବିଧାନସଭା ଆଗରେ କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ।
ସେ କହିଛନ୍ତି, ଯଦି ସବୁ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଇଥିଲା, ତାହେଲେ ସବୁ ରାତି ଅଧରେ କାହିଁକି କରାଗଲା। ରାତିରେ ଶବ ବ୍ୟବଚ୍ଛେଦ କରାଗଲା କିନ୍ତୁ ଗାଁକୁ ମୃତଦେହ କାହିଁକି ନିଆଗଲା ନାହିଁ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି। ସ୍ବାସ୍ଥ୍ୟ ସେବାର ଦଳ, ଜାତି, ଧର୍ମ ନାହିଁ, ଏହା ହେଉଛି ଜଣକର ମୌଳିକ ଅଧିକାର। ରାଜ୍ୟ ସରକାର ଗର୍ବ ଅହଂକାର ଛାଡ଼ି ଆୟୁଷ୍ମାନ ଭାରତ ଲାଗୁ କରନ୍ତୁ ବୋଲି କହିଛନ୍ତି ମନମୋହନ। ଏଥିସହ ଦୁଷ୍ମନ୍ତଙ୍କ ଝିଅ ନାଁରେ ୩୦ ଲକ୍ଷ ଓ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ପ୍ରଦାନ କରାଯାଉ ଏବଂ ତାଙ୍କ ପତ୍ନୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯାଉ ବୋଲି ମନମୋହନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଦୁଇ ଥର ଅସ୍ତ୍ରୋପଚାର କରାଯାଇଥିଲା। ତେବେ କରୋନା ଆଳରେ ୨୦୨୦ ଜୁଲାଇ ୧୫ ତାରିଖରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ ପରଠାରୁ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇବା ପାଇଁ ସେ ଦୁଇଟି ଘରୋଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ସେହି ଡାକ୍ତରଖାନାଗୁଡ଼ିକ ବିଏସ୍କେୱାଇ କାର୍ଡ ଗ୍ରହଣ କରିବାକୁ ମନା କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ ଲଗାଇବା ପରେ ନିରାଶ ହୋଇ ସେ ବୁଧବାର ବିଧାନସଭା ସମ୍ମୁଖରେ ହାତ କାଟି ଦେବା ସହିତ ବିଷ ପିଇ ଦେଇଥିଲେ। ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଶାସନ ତରଫରୁ ତରବରିଆ ଭାବେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଥିଲା।



