ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ବୁଧବାର ଶବ୍ଦ ବା ଧ୍ୱନି ପ୍ରଦୁଷଣର କୁପ୍ରଭାବ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କର ପୌରୋହିତ୍ୟରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ଧ୍ୱନି ପ୍ରଦୁଷଣ ପାଇଁ ଶରୀରରେ ପଡୁଥିବା କୁପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷକରି ଯାନିଯାତ୍ର, ପର୍ବପର୍ବାଣୀ, ବିବାହ ଉତ୍ସବ ଆଦିରେ ଯେଉଁଭଳି ଉଚ୍ଚ ଶବ୍ଦଯୁକ୍ତ ଆତସବାଜି, ଡିଜେ ଓ ମାଇକ୍ ଆଦି ବ୍ୟବହାର କରାଯାଉଛି ତାର ବହୁ କୁପ୍ରଭାବ ବୟସ୍କ ଲୋକ ତଥା ଶିଶୁଙ୍କ ଉପରେ ମଧ୍ୟ ପଡୁଛି। ଏହି ଶବ୍ଦ ପ୍ରଦୁଷଣର କୁପ୍ରଭାବ ପଶୁପକ୍ଷୀଙ୍କ ଉପରେ ପଡିବା ସହ ପରିବେଶ ଉପରେ ଏହାର ସୁଦୁରପ୍ରସାରୀ କୁପ୍ରଭାବ ପଡୁଛି। ଆଜିର ଶିଶୁ ଓ ଛାତ୍ରଛାତ୍ରୀ ଆଗାମୀ ବିଶ୍ୱର ଭବିଷ୍ୟତ ଏବଂ ସେମାନଙ୍କ ପାଇଁ ଏକ ନିରାପଦ ପ୍ରଦୁଷଣ ବିହୀନ ସୁସ୍ଥ ବାତାବରଣର ଆବଶ୍ୟକତା ରହିଛି ବୋଲି ଡାକ୍ତର ମିଶ୍ର କହିବା ସହ ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ଶବ୍ଦ ନିୟନ୍ତ୍ରଣରେ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଆଗାମୀ ପାର୍ବଣ ଋତୁରେ ସମସ୍ତେ ବିପଦଜନକ ଆତସବାଜି ଓ ଡିଜେ ଶବ୍ଦ କିପରି କମ୍ ହେବ ସେ ଦିଗରେ ଯୁବ ରେଡକ୍ରସର ସ୍ୱେଚ୍ଚାସେବୀ ଓ ବିଦ୍ୟାର୍ଥୀ ଜନସେଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ରେଡକ୍ରସ ସ୍ୱେଚ୍ଛାସେବୀ ସାଥୀ ଏଥିରେ ଯୋଗଦାନ କରିଥିଲେ।



