www.samajalive.in
Sunday, December 14, 2025
16.1 C
Bhubaneswar

ଅବହେଳା କଲେ ଫେରିବ ଲକଡାଉନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି। ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ। ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।
କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ୟ୍ୟନ୍ତ ଟିକା ନେଇନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍‌ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି ହାଇ ରିସ୍କ ଗ୍ରୁପର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି। ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍‌ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି। ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି। କେରଳରେ ଓନାମ୍‌ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିସ୍ଥିତିର ଗୁରୁତ୍ବକୁ ଉପଲବ୍‌ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଏହାଦ୍ବାରା ଆମେ ଭବିଷ୍ୟତରେ ଲକ୍‌ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ।
ପାର୍ବଣ ଋତୁ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା। ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ।
ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର୍ୟ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ।
ପୁଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବିଏମ୍‌ସି ଏବଂ ସିଏମ୍‌ସିର କମିଶନର, ଦେବଗଡ ଓ ପୁରୀର ଜିଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ। ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories