ପୁଣି ଥରେ ତାଲିବାନ୍ର କବ୍ଜାରେ ଆଫ୍ଗାନିସ୍ତାନ। ପୃଥିବୀସାରା ଚହଳ ଓ ଉତ୍କଣ୍ଠା। ଅଗଷ୍ଟ ୧୫, ୨୦୨୧ ଦିନ ଏକ କ୍ଷିପ୍ର ସାମରିକ ଅଭିଯାନ ମାଧ୍ୟମରେ ସମସ୍ତଙ୍କୁ ଚକିତ କରି ତାଲିବାନ ସୈନ୍ୟମାନେ କାବୁଲ ଅଧିକାର କଲେ। ପ୍ରାୟ କୋଡ଼ିଏ ବର୍ଷର ଆମେରିକୀୟ ହସ୍ତକ୍ଷେପ ନିମିଷକେ ଧୂଳିସାତ୍ ହୋଇଗଲା। ଆଫ୍ଗାନିସ୍ତାନ ସରକାରଙ୍କ ପତନ ହେଲା। କିଏ ଇୟେ ତାଲିବାନ୍? କାହିଁକି ଏତେ ଆଲୋଡ଼ନ? ଭାରତ ଉପରେ ଏ ଘଟଣାର ପ୍ରଭାବ କ’ଣ? ଏସବୁ ଯୁକ୍ତିଯୁକ୍ତ ପ୍ରଶ୍ନ। ତାଲିବାନ କହିଲେ ଭାରତରେ ଡିସେମ୍ବର ୨୪, ୧୯୯୯ରେ ଇଣ୍ଡିଆନ ଏୟାର ଲାଇନ୍ସର ଆଇସି ୮୧୪ ବିମାନର ଅପହରଣ କଥା ମନେପଡ଼େ। ସେତେବେଳେ ଆଫଗାନିସ୍ତାନରେ ତାଲିବାନର ଶାସନ। କାନ୍ଦାହାର ବିମାନ ବନ୍ଦରରେ ଯାତ୍ରୀ ଓ ଚାଳକ ମିଶି ଉଡ଼ାଜାହାଜ ଭିତରେ ଶହେଅଶୀ ଜଣ। ଶେଷକୁ ଭାରତରେ ବନ୍ଦୀ ତିନିଜଣ ଆତଙ୍କବାଦୀ ମୌଲାନା ମସୁଦ୍ ଆଜ୍ହାର, ଅହମଦ ଓମାର ସୟିଦ ଏବଂ ମୁସ୍ତାକ ଅହମ୍ମଦ ଜର୍ଗାରଙ୍କୁ ଛାଡ଼ିବାକୁ ପଡ଼ିଥିଲା। ଆଉ ଗୋଟିଏ ଘଟଣା ବି ମନେ ପଡ଼େ। ପାକିସ୍ତାନର ଏଗାର ବର୍ଷର ଝିଅ ମଲାଲା ୟୁସଫ୍ଜାୟୀଙ୍କୁ ସ୍କୁଲରେ ପାଠ ପଢ଼ିବାରୁ ବଞ୍ଚିତ କରିବାପାଇଁ ପାକିସ୍ତାନୀ ତାଲିବାନ ତାଙ୍କୁ ଗୁଳିବିଦ୍ଧ କଲେ। ମଲାଲା ବଞ୍ଚିଗଲେ। ୨୦୧୪ ମସିହାରେ ମଲାଲାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାହେଲା।
ଇତିହାସର କିଛି ପୃଷ୍ଠା ଲେଉଟାଇବା। ସୋଭିଏତ ୟୁନିୟନ ୧୯୭୯ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଆଫଗାନିସ୍ତାନ ଉପରେ ସଶସ୍ତ୍ର ଅଧିକାର ସ୍ଥାପନ କରିିଥିଲା। ସୋଭିଏତ ପ୍ରସ୍ଥାନ ପରେ ଏକ ଅସ୍ଥିର ପରିସ୍ଥିତି ଉପୁଜିଲା। ୧୯୯୪ ମସିହାରେ ମୁଲ୍ଲା ମହମ୍ମଦ ଓମାର (୧୯୬୦-୨୦୧୩) ନାମକ ଜଣେ ବ୍ୟକ୍ତି ‘ତାଲିବାନ୍’ ସଂସ୍ଥା ପ୍ରତିଷ୍ଠା କଲେ। ତାଲିବାନର ଆକ୍ଷରିକ ଅର୍ଥ ହେଲା ‘ଛାତ୍ରଗଣ’ (ତାଲିବ୍ ବା ଛାତ୍ରର ବହୁବଚନ)। ଏହା ଏକ ପସ୍ତୋଭାଷୀ ଶବ୍ଦ। କ୍ରମଶଃ ଏହା ଏକ ଦୁର୍ଦ୍ଧର୍ଷ ଏବଂ ଧର୍ମାନ୍ଧ ସଂଗଠନରେ ପରିଣତ ହେଲା। ତାଲିବାନର ସଦସ୍ୟମାନେ ସୁନ୍ନି ସମ୍ପ୍ରଦାୟର ଇସ୍ଲାମ ଧର୍ମାବଲମ୍ବୀ ଏବଂ ଧର୍ମଚର୍ଯ୍ୟା ପାଇଁ ‘ହା ନାଫି’ ଶିକ୍ଷା ପ୍ରଣାଳୀର ଅନୁଗାମୀ। ପ୍ରଥମ ପର୍ଯ୍ୟାୟରେ ତାଲିବାନ ୧୯୯୬-୨୦୦୧ ଅବଧିରେ ଆଫଗାନିସ୍ତାନରେ କ୍ଷମତାସୀନ ଥିଲେ। ସେ ସମୟରେ ଆଫଗାନସ୍ତାନର ଅଧିକାଂଶ ଭାଗ ତାଲିବାନ ଅଧୀନରେ ଥିଲା। ସେମାନେ ନିଜ ଶାସନର ନାଁ ରଖିଥିଲେ ‘ଇସ୍ଲାମିକ ଏମିରେଟ୍ ଅଫ୍ ଆଫ୍ଗାନିସ୍ତାନ’। ତେବେ ଏହି ତାଲିବାନ ଶାସନାଧୀନ ଆଫ୍ଗାନିସ୍ତାନକୁ ମାତ୍ର ତିନିଟି ଦେଶ ଯଥା ‘ପାକିସ୍ତାନ’, ସାଉଦିଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ ସ୍ବୀକୃତି ପ୍ରଦାନ କରିଥିଲେ। ଆଫଗାନିସ୍ତାନରେ ସୋଭିଏତ ଅଧିକାର ସମୟରେ ସୋଭିଏତ୍ ସେନାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ବିରୋଧୀ ଗୋଷ୍ଠୀଙ୍କୁ ପାକିସ୍ତାନ ଓ ଆମେରିକା ପରୋକ୍ଷରେ ସାହାଯ୍ୟ କରୁଥିଲେ। ବିରୋଧୀ ଗୋଷ୍ଠୀରେ ଧର୍ମାନ୍ଧ ଓ ଆମେରିକା ବିରୋଧୀ ଓସାମାବିନ୍ ଲାଡେନଙ୍କ ଅଲକାଏଦା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ସୋଭିଏତ ୟୁନିୟନର ବିରୋଧ କରୁଥିବା ହେତୁ ଆମେରିକା ଅଲ-କାଏଦା ପ୍ରତି ନରମଭାବ ରଖିଲା। ସୋଭିଏତ୍ ପ୍ରସ୍ଥାନ ପରେ ବିନ୍ଲାଦେନ୍ ତାଙ୍କ ଆମେରିକା ବିରୋଧୀ କାର୍ଯ୍ୟକଳାପ ଆରମ୍ଭ କରିଦେଲେ। ଶେଷକୁ ୨୦୦୧ ମସିହାରେ ଘଟିଲା। ୯/୧୧ ଘଟଣା। ବିନ୍-ଲାଦେନ ଥିଲେ ଏହି ଘଟଣାର ସୂତ୍ରଧର। ଏଣୁ ୨୦୦୧ ମସିହାରେ ଆମେରିକା ଏବଂ ସହଯୋଗୀ ଦେଶ ମିଶି ଆଫଗାନିସ୍ତାନ ଉପରେ ଆକ୍ରମଣ କଲେ। ତାଲିବାନ ଶାସନର ପତନ ହେଲା। ତାଲିବାନ ବିରୋଧୀ ‘ନର୍ଦନ ଆଲାଏନ୍ସ’ କ୍ଷମତାକୁ ଆସିଲେ। ପ୍ରଥମେ ‘ଇସଲାମିକ୍ ଷ୍ଟେଟ୍ ଅଫ୍ ଆଫଗାନିସ୍ତାନ’ ଏବଂ ୨୦୦୪ରୁ ୨୦୨୧ ମସିହା ପର୍ଯ୍ୟନ୍ତ ‘ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ’ ପ୍ରତିଷ୍ଠା ହେଲା। ଶେଷୋକ୍ତ ଦେଶକୁ ପୃଥିବୀର ସବୁ ଦେଶ ସ୍ବୀକୃତି ପ୍ରଦାନ କଲେ। ହମିଦ୍ କରଜାଇ (୨୦୦୪-୧୪) ଏବଂ ଅଶରଫ ଘନି (୨୦୧୪-୨୦୨୧) ଦୁଇ ରାଷ୍ଟ୍ରପତି ଥିଲେ। ଶେଷ ଆଡ଼କୁ ଅମ୍ରୁଲ୍ଲା ସାଲେହ୍ ଉପରାଷ୍ଟ୍ରପତି ଥିଲେ। ମୋଟ ଉପରେ, ୨୦୦୧ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଆମେରିକାର ନେତୃତ୍ବରେ ପଶ୍ଚିମର ଦେଶମାନେ ଆଫଗାନିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ। ଏକ ସାମ୍ବିଧାନିକ ଗଣତନ୍ତ୍ର ସ୍ଥାପନ କରିବାର ପ୍ରୟାସ ହେଲା। ଭାରତ ମଧ୍ୟ ଏହି ସମୟରେ ଆଫଗାନିସ୍ତାନରେ ଯଥେଷ୍ଟ ଅର୍ଥ ଏବଂ ମାନବସମ୍ବଳ ବିନିଯୋଗ କରିଥିଲା।
ଆଫଗାନିସ୍ତାନର ଅନେକ ସଶସ୍ତ୍ର ଲଢ଼ୁଆ ଦଳ ଅଛନ୍ତି। ସେମାନେ ଆଫଗାନିସ୍ତାନର ମୂଳ ବାସିନ୍ଦା ଏବଂ ପ୍ରବଳ ଭାବେ ସ୍ବାଧୀନଚେତା। ସେମାନେ ସୋଭିଏତ୍ ଅଧିକାର ବିରୋଧରେ ଲଢ଼େଇ କରିଥିଲେ। ଏଥର, ଆମେରିକାର, ଅଧିକାର ବିରୋଧରେ ମଧ୍ୟ ଲଢ଼େଇ ଆରମ୍ଭ ହେଲା। ତାଲିବାନ ଆଉଥରେ ସକ୍ରିୟ ହେଲା। ଧରାଯାଏ, ତାଲିବାନର ପୁନରୁତ୍ଥାନ ପଛରେ ପାକିସ୍ତାନ ଓ ଚୀନର ହାତ ଅଛି। ଆମେରିକାରେ, ବିଶେଷତଃ ବିନ୍ ଲାଦେନର ମୃତ୍ୟୁ (୨୦୧୧)ପରେ ଆଫଗାନିସ୍ତାନର ସାମରିକ ଅଭିଯାନ ପ୍ରତି ଜନସମର୍ଥନରେ ଶିଥିଳତା ଆସିବାକୁ ଲାଗିଲା। ଏଣୁ ଆମେରିକା କ୍ରମଶଃ ଆଫ୍ଗାନିସ୍ତାନରୁ ଗୋଡ଼ କାଢ଼ିବାକୁ ଚେଷ୍ଟା କଲା। ରାଷ୍ଟ୍ରପତି ଟ୍ରମ୍ପ (୨୦୧୭-୨୧) ନିର୍ଦିଷ୍ଟ ସମୟସୀମା ଭିତରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯିବାର ଘୋଷଣା କଲେ। କାତାରର ଦୋହାଠାରେ ଫେବୃଆରୀ ୨୯,୨୦୨୦ ତାରିଖ ଦିନ ଆମେରିକା ଏବଂ ତାଲିବାନ୍ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହେଲା। ଏହି ଚୁକ୍ତି ଅନୁସାରେ, ଆଗାମୀ ୧୪ ମାସ ଭିତରେ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହୃତ ହେବେ, ତାଲିବାନ, ଅଲ-କାଏଦାକୁ ପ୍ରଶ୍ରୟ ଦେବ ନାହିଁ ଇତ୍ୟାଦି। ଏ ଚୁକ୍ତିରେ ଗୋଟିଏ କଥା ତ ସ୍ପଷ୍ଟ ହୋଇଗଲା: ଆମେରିକା ତାଲିବାନକୁ ଆଫଗାନ ଜନସାଧାରଣଙ୍କ ‘ପ୍ରତିନିଧି’ ଭାବରେ ସ୍ବୀକାର କରିନେଲା। ଏହି ଚୁକ୍ତି ପରେ ତାଲିବାନ ଆହୁରି ସକ୍ରିୟ ହୋଇ ପଡ଼ିବା ଲକ୍ଷ୍ୟ କରାଗଲା।
ୟା’ ଭିତରେ ଆମେରିକାରେ କ୍ଷମତା ହସ୍ତାନ୍ତର ହେଲା। ଜୋ ବାଇଡେନ ନୂଆ ରାଷ୍ଟ୍ରପତି ହେଲେ। ବାଇଡେନ୍ ଟ୍ରମ୍ପଙ୍କ ପ୍ରାୟ ସବୁନୀତି ବଦଳାଇ ଦେଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଟ୍ରମ୍ପଙ୍କ ଆଫଗାନ୍ ନୀତିକୁ ଅପରିବର୍ତ୍ତିତ ରଖିଲେ। ଅର୍ଥାତ୍ ଦୋହା ସମୟସୀମା ଭିତରେ ଆମେରିକୀୟ ସୈନ୍ୟ ଫେରିଆସିବା ନିଶ୍ଚିତ ହୋଇଗଲା। ୟା ପୂର୍ବରୁ ସେପ୍ଟେମ୍ବର ୨୨, ୨୦୧୬ ଦିନ କାବୁଲ୍ରେ ଆଫ୍ଗାନ ସରକାର ଏବଂ ହେଜବ-ଏ-ଇସଲାମୀ ଗୁଲବୁଦ୍ଦିନ ନାମକ ଏକ ସଶସ୍ତ୍ର ବିରୋଧୀ ଗୋଷ୍ଠୀ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ତାଲିବାନ୍ ପରେ ଏହା ସବୁଠୁ ଶକ୍ତିଶାଳୀ ଗୋଷ୍ଠୀ। ଏମାନେ ସୋଭିଏତ୍ ବିରୋଧୀ ଲଢ଼େଇରେ ଲିପ୍ତ ଥିଲେ ଏବଂ ଆମେରିକାରୁ ସାହାଯ୍ୟ ପାଉଥିଲେ। ଏ ଦୁଇ ଚୁକ୍ତିରୁ ଜଣାପଡ଼େ ଯେ ‘ଆଫଗାନ ସରକାର’ ସଶସ୍ତ୍ର ବିରୋଧୀ ଗୋଷ୍ଠୀଙ୍କ ମୁକାବିଲା ପାଇଁ ସକ୍ଷମ ନଥିଲେ। ବିଡ଼ମ୍ବନା ହେଲା ଆମେରିକା ପ୍ରାୟ କୋଡ଼ିଏ ବର୍ଷରେ ଆଫଗାନିସ୍ତାନରେ ଦୁଇ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥିଲା। ଆଫଗାନିସ୍ତାନର ସୈନ୍ୟ ବାହିନୀ ଏବଂ ପୁଲିସବଳଙ୍କୁ ତାଲିମ ଦେଇଥିଲା। ଆଧୁନିକ ଅସ୍ତ୍ରଶସ୍ତ୍ର ଦେଇଥିଲା। ତଥାପି ସରକାରୀ ପକ୍ଷ ନିଜକୁ ସଶକ୍ତ ମନେ କରୁନଥିଲେ। ଆମେରିକୀୟ ସେନାଙ୍କ ପ୍ରତ୍ୟାବର୍ତ୍ତନର ସମୟ ଯେତେ ନିକଟତର ହେଲା, ତାଲିବାନ ସେତେ ବେଶି ଆକ୍ରମଣଶୀଳ ହେଲା। ଯେଉଁ କ୍ଷିପ୍ରଗତିରେ ତାଲିବାନ କାବୁଲ ଦଖଲ କଲା ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। ୧୫/୧୬ ଅଗଷ୍ଟ ତାରିଖ ସମୟରେ କାବୁଲ ବିମାନଘାଟିର ଅରାଜକତାପୂର୍ଣ୍ଣ ସ୍ଥିତି, ଲୋକେ ଉଡ଼ନ୍ତା ଏରୋପ୍ଲେନ୍ରୁ ତଳେ ଖସିପଡ଼ି ମରିଯିବାର ଲୋମହର୍ଷଣକାରୀ ଦୃଶ୍ୟ ସାରା ପୃଥିବୀକୁ ହତବାକ୍ କରିଦେଲା। ଆମେରିକା ଆଉ କିଛିଦିନ ସୈନ୍ୟବଳ ରଖି ଏକ ବ୍ୟବସ୍ଥିତ ଭାବରେ କାହିଁକି ପ୍ରତ୍ୟାବର୍ତ୍ତନ କଲା ନାହିଁ, ବୁଝି ହେଉ ନାହିଁ। ବାଇଡେନ୍ କହିଲେ, ଆଫଗାନିସ୍ତାନର ସୁରକ୍ଷା ଆଫଗାନ ସୈନ୍ୟଙ୍କ ଦାୟିତ୍ବ, ଆମେରିକାର ନୁହେଁ। ସତ କଥା, ହେଲେ ଆମେରିକା କୋଡ଼ିଏ ବର୍ଷ ଧରି ସେଠି କରୁଥିଲା କ’ଣ? ଏତେ ଆମେରିକୀୟ ସୈନ୍ୟ ପ୍ରାଣବଳି ଦେେଲ କାହିଁକି?
ସଦ୍ୟତମ ଆଫ୍ଗାନ ଘଟଣା ନୂତନ କ୍ଷମତା ସମୀକରଣ ସୃଷ୍ଟି କରୁଥିବା ମନେହୁଏ। ପାକିସ୍ତାନ ସ୍ପଷ୍ଟତଃ ଖୁସି। ଏଣେ ଚୀନ ନିଜକୁ ଆଗାମୀ ଦିନର ବିଶ୍ବ ମହାଶକ୍ତି ଭାବରେ ଦେଖେ। ଆମେରିକାର ପରାଜୟ ଚୀନ ଦେଶର କ୍ଷମତା ପ୍ରଦର୍ଶନ ପାଇଁ ଏକ ସୁଯୋଗ। ତେଣେ, ଆମେରିକାର ପରାଜୟ ରୁଷିଆ ପାଇଁ ଖୁସି ଖବର। ଶେଷକୁ ଆମେରିକା ବିରୋଧୀ ସିଆ ବହୁଳ ଇରାନ୍ ମଧ୍ୟ ଖୁସି। ଏଣୁ ଆଫଗାନିସ୍ତାନ(ତାଲିବାନ)-ପାକିସ୍ତାନ-ଚୀନ-ଇରାନ ମଧ୍ୟରେ ଏକ ସ୍ବାର୍ଥ ବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ବିଶ୍ବ ରାଜନୀତିରେ ଏହା ଏକ ନିର୍ଣ୍ଣାୟକ ଭୂମିକା ପାଳନ କରିପାରେ। ବଡ଼ ପ୍ରଶ୍ନ ହେଲା, ଆଫଗାନ ଘଟଣା ଆମେରିକାର ନିମ୍ନଗତିକୁ ଇଙ୍ଗିତ କରୁଛି କି?
ଭାରତ ପାଇଁ ଏହି ଘଟଣା ନୂଆ ଆହ୍ବାନ ସୃଷ୍ଟି କରିଛି। ଚୀନ ଏବଂ ପାକିସ୍ତାନ ଉଭୟେ ଭାରତର ଶତ୍ରୁ। ପୂର୍ବ ଆଫ୍ଗାନ ସରକାରଙ୍କ ସହ ଭାରତ ଘନିଷ୍ଠ ସମ୍ପର୍କ ରଖିଥିଲା। ବର୍ତ୍ତମାନ କ’ଣ ହେବ? ତାଲିବାନର ପ୍ରଥମ ପ୍ରତିକ୍ରିୟା ହେଲା, ଭାରତ ତା’ର ବିନିଯୋଗ କାମ ସବୁ ଚାଲୁ ରଖୁ। ହେଲେ, ଯଦିଓ ବର୍ତ୍ତମାନ ଅଲ-କାଏଦା ଆଗ ଅପେକ୍ଷା ଦୁର୍ବଳ ଏବଂ ଔପଚାରିକ ଭାବେ ତାଲିବାନ ଓ ଅଲ୍-କାଏଦାର ସମ୍ପର୍କ ନାହିଁ; ତଥାପି ପାକିସ୍ତାନର ଆଇଏସଆଇ, ଅଲକାଏଦା ଏବଂ ତାଲିବାନର ଭିତିରି ସମ୍ପର୍କ ଥିବା ସନ୍ଦେହ କରାଯାଏ। ଭାରତ ପାଇଁ ବଡ଼ ସମସ୍ୟା ହେଲା, ତାଲିବାନ କ୍ଷମତାସୀନ ହେବାପରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବ କି? ତାଲିବାନ ଯଦି କ୍ଷମତାରେ ତିଷ୍ଠିଗଲା, ଭାରତ ତାଲିବାନ ‘ସରକାର’ ସହିତ କିପରି ସମ୍ପର୍କ ବଜାୟ ରଖିବ? ଏଣେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ସମ୍ବିଧାନ ଅନୁସାରେ ସିଏ ହେଲେ ରାଷ୍ଟ୍ରପତି। ଏଣୁ ଏଇଟା କି ସରକାର?
ଉପସଂହାରକୁ ଆସିବା। ରବୀନ୍ଦ୍ରନାଥଙ୍କ କ୍ଷୁଦ୍ରଗଳ୍ପ ‘କାବୁଲିବାଲା’ ଭାରତୀୟଙ୍କ ମନରେ କାବୁଲ/ ଆଫଗାନିସ୍ତାନର ଏକ ସ୍ଥାୟୀ ଛବି ସୃଷ୍ଟି କରି ରହିଛି। ତେବେ ସଦ୍ୟତମ ଘଟଣା ଭାରତ ଏବଂ ପୃଥିବୀ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଐତିହାସିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଭାରତର ଆଫଗାନିସ୍ତାନ ସହ ନିଃସନ୍ଦେହରେ ନିକଟ ସମ୍ପର୍କ ରହିଛି। ତାଲିବାନ ଭିତରେ ମଧ୍ୟ ଅନେକ ବିଭାଜନ ଅଛି। ଉଦାହରଣ ସ୍ବରୂପ ହାକ୍କାନି ଗୋଷ୍ଠୀ। ଆଫଗାନିସ୍ତାନ ପରମ୍ପରାଗତ ଭାବେ ଅସ୍ଥିର, ଆଭ୍ୟନ୍ତରୀଣ କଳହରେ ଲିପ୍ତ ଏବଂ ଭୀଷଣ ସ୍ବାଧୀନଚେତା। ପ୍ରଥମ ପାଳିରେ ତାଲିବାନର କାର୍ଯ୍ୟକଳାପ, ଆମେରିକାର ଅବ୍ୟବସ୍ଥିତ ପ୍ରତ୍ୟାହାର, ଆଫଗାନିସ୍ତାନର ଗୋଳମାଳିଆ ପରିସ୍ଥିତି ପୃଥିବୀସାରା ଦ୍ବନ୍ଦ୍ବ ସୃଷ୍ଟି କରିଛି। ଭାରତକୁ ଅତି ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଭାରତ ବର୍ତ୍ତମାନ ପାଇଁ ‘ଅପେକ୍ଷା କର ଏବଂ ଲକ୍ଷ୍ୟ ରଖିଥାଅ’ ନୀତି ଅବଲମ୍ବନ କରୁଛି। ଦେଖାଯାଉ ଆଗକୁ କ’ଣ ହେଉଛି।
ଶ୍ରୀକାନ୍ତ ଚାଟାର୍ଜୀ
ଖଡ଼ିଆଳ

