www.samajalive.in
Saturday, December 13, 2025
27.1 C
Bhubaneswar

ଆପଣା ମହତ ଆପେ ରଖି !

ପ୍ରତ୍ୟେକ ମହିଳା ଏଭଳି ଏକ ପୃଥିବୀର କାମନା କରେ, ଯାହା ନିନ୍ଦା, ଅପବାଦ, ହିଂସା ଏବଂ ଧରାବନ୍ଧା ଜୀବନ ଶୈଳୀରୁ ଊର୍ଦ୍ଧ୍ବରେ ଥିବ। ସେ ଚାହେଁ ଶାନ୍ତିପୂର୍ଣ୍ଣ ଏବଂ ସାହାଯ୍ୟ ସହଯୋଗର ସୁଯୋଗ ଦେଉଥିବା ଏକ ପୂର୍ଣ୍ଣ ବିକଶିତ ସମାଜ। ଯେଉଁଠି ପୁରୁଷ ନାରୀକୁ ସମ୍ମାନ ଦେଉଥିବ, ନାରୀ ପୁରୁଷ ସହିତ ହାତ ମିଳେଇ କାମ କରିବାର ଅଧିକାର ପାଇଥିବ, ଉଭୟେ ମିଳିତ ଭାବରେ ସବୁ ନିଷ୍ପତ୍ତି ନେବାର ସହଜତା ଅନୁଭବ କରିପାରୁଥିବେ ଏବଂ ଜଣେ ଅନ୍ୟ ଜଣକୁ ଛୋଟ ମନେ ନ କରି ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ପରସ୍ପର ପ୍ରତି ଯତ୍ନବାନ ଥିବେ। ମହିଳାଙ୍କୁ ସେଭଳି ସ୍ତରକୁ ପହଞ୍ଚେଇବା ପାଇଁ, ପ୍ରତି କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। ଏହାପାଇଁ ପ୍ରଥମେ ମହିଳାଙ୍କୁ ନିଜର ଅନ୍ତର୍ନିହିତ ଗୁଣଗୁଡିକୁ ଚିହ୍ନି ତା’ର ପରିପ୍ରକାଶ କରିବାକୁ ହେବ। ନିଜ ମହତ୍ତ୍ୱକୁ ଜାଣିବା ଏବଂ ସାରା ଦୁନିଆକୁ ଜଣେଇବା ଦାୟିତ୍ୱ ସ୍ୱାଭାବିକ ଭାବରେ ମହିଳାଙ୍କର। ତତ୍‌ସହିତ ଏସବୁ ପାଇଁ ଉତ୍ସାହିତ ଏବଂ ପ୍ରେରିତ କରିବାର ଦାୟିତ୍ୱ ଓ କର୍ତ୍ତବ୍ୟ ତାଙ୍କ ପରିବାରର।
ଗାନ୍ଧିଜୀ କହିଥିଲେ, “ନାରୀ ହେଉଛି ପୁରୁଷ ଭଳି ସମାନ ମାନସିକ ଦକ୍ଷତା ରଖୁଥିବା ପୁରୁଷର ସାଥୀ। ପୁରୁଷର ପ୍ରତ୍ୟେକ ଗତିବିଧିରେ ଅଂଶଗ୍ରହଣ କରିବାର ଅଧିକାର ସହିତ ପୁରୁଷ ସହ ସମାନ ସ୍ୱାଧୀନତା ଓ ସ୍ୱତନ୍ତ୍ରତା ଅଧିକାର ମଧ୍ୟ ନାରୀର ରହିଛି।’’ ବାସ୍ତବରେ ଗାନ୍ଧିଜୀଙ୍କର ଏହି ସମାନତା ସମୀକ୍ଷାକୁ ଆଜିର ସମାଜ ଏପରିକି ନାରୀ ନିଜେ ମଧ୍ୟ ଠିକ୍‌ ଭାବରେ ବିଶ୍ଳେଷଣ କରିବାରେ ସକ୍ଷମ ହୋଇନାହିଁ।
ଜଣେ ମହିଳା ଏକକାଳୀନ ଅନେକ ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରଖେ। ଜନନୀ ରୂପେ ସ୍ନେହ ମମତା ଓ କରୁଣାର ଗଙ୍ଗା ବୁହାଇ ଦିଏ ତ, ଭଗିନୀ ରୂପେ ଭାଇକୁ ପ୍ରେମ ବନ୍ଧନରେ ବାନ୍ଧି ପକାଏ, ପତ୍ନୀ ଭାବରେ ସ୍ୱାମୀ ସହ ସଂସାର ଗଢ଼ି ତା’ର ସମଧର୍ମ, ସମକର୍ମରେ ଅଂଶୀଦାର ହୋଇ ତା’ର ଚଲାପଥକୁ କୁସୁମିତ କରେ ତ, ପୁଣି ନିଜ ଔରସରୁ ସୃଷ୍ଟିଟିଏ କରି ତା’ର ଲାଳନପାଳନ ପାଇଁ ସବୁ ଦୁଃଖକଷ୍ଟ ସହିଯାଏ। ଶେଷରେ ବାର୍ଦ୍ଧକ୍ୟର ସୀମାହୀନ ଯନ୍ତ୍ରଣା ଭୁଲି ନିଜ ପରିବାରର ସୁଖଦୁଃଖରେ ନିଜକୁ ହଜେଇ ଦିଏ। ତ୍ୟାଗ ହିଁ ତା’ର ସର୍ବଶ୍ରେଷ୍ଠ ପୁଞ୍ଜି। ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସନ୍ତାନକୁ ମଣିଷଟିଏ କରିବାର କାମନା ଏବଂ ସେଥିରେ ସଫଳତା ହିଁ ତା’ ଜୀବନର ଉଦ୍ଦେଶ୍ୟ ପାଲଟିଯାଏ। ଏସବୁ ଭିତରେ ସେ ଭୁଲିଯାଏ ଯେ ତା’ର ମଧ୍ୟ ମନ ବୋଲି କିଛି ଅଛି। କିଛି ନିଜସ୍ୱ ରୁଚି, ଇଚ୍ଛା, ପସନ୍ଦ, ଆଶା, ସ୍ବପ୍ନ ଯେ ତା’ର ବି ଅଛି ! ଆବଶ୍ୟକତା ଅଛି ତାକୁ ଖୋଜି ବାହାର କରିବା। ଅନ୍ୟମାନଙ୍କ ପାଇଁ ବଞ୍ଚିବା ସହିତ ନିଜ ପାଇଁ ବି କିଛି ସମୟ କାଢ଼ିବା ପ୍ରକୃତ ଅର୍ଥରେ ହେଉଛି ତା’ର ମଣିଷ ଜନ୍ମର ସାର୍ଥକତା। ନିଜକୁ କେବଳ ସନ୍ତାନ ପ୍ରସବକାରିଣୀ ଯନ୍ତ୍ରରେ ପରିଣତ ନ କରି ନିଜର ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାରକୁ ଆଣିବାର ଗୁରୁଦାୟିତ୍ୱ ନିଶ୍ଚୟ ମହିଳାର ନିଜର।
ଧର୍ମାନୁଷ୍ଠାନ, ରାଜନୀତି, ଶିକ୍ଷା, ଆଇନ, ବିଜ୍ଞାନ, ଦେଶର ଗଠନ ଏଭଳି କି ଦେଶର ସୁରକ୍ଷା ସବୁଠାରେ ନିଜର ଅବସ୍ଥିତିକୁ ଜାହିର କରି ଦେଶକୁ ସର୍ବାଧିକ ଉନ୍ନତି ପଥରେ ବାହିନେବାର କ୍ଷମତା ମହିଳା ଭିତରେ ହିଁ ଅନ୍ତର୍ନିହିତ। ନାରୀ ସ୍ୱୟଂସମ୍ପୂର୍ଣ୍ଣା। କିଛି ପରିସ୍ଥିତିରେ ସେ ଅବଳା ରୂପେ ପ୍ରତୀତ ହେଲେ ମଧ୍ୟ ବାସ୍ତବତା କିଛି ଭିନ୍ନ। ସ୍ୱଭାବରେ ସେ ଲଜ୍ଜାଶୀଳା, ତା’ର ଲଜ୍ଜାକୁ ଦୁର୍ବଳତା ମନେକରିବା ସମାଜର ଅବିବେକିତା କୁହାଯାଇପାରେ। ଦରକାର ହେଲେ ପୁରୁଷ ଦ୍ବାରା ଅସାଧ୍ୟ ମନେହେଉଥିବା କାମ ବି ସହଜରେ ସେ କରିଦେଇପାରେ।
ବିଶ୍ୱ ମହାମାରୀରେ ଘଟି ଯାଇଥିବା କ୍ଷୟକ୍ଷତିରୁ ବିଶ୍ୱକୁ ରକ୍ଷା କରିବା ସହିତ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ଦିଗରେ ମଧ୍ୟ ମହିଳାଙ୍କ ଅବଦାନ କମ୍‌ ନୁହେଁ। ସବୁ କ୍ଷେତ୍ରରେ ମହିଳାଙ୍କ ପୂର୍ଣ୍ଣ ଯୋଗଦାନ ଏବଂ ନେତୃତ୍ୱ ବିଶ୍ୱର ସାମୂହିକ ବିକାଶ କରିବାରେ ସହାୟକ ହୋଇପାରିବ, ଏକଥାରେ ଦ୍ବିମତ ନାହିଁ; କିନ୍ତୁ ଯେତେ କହିଲେ କ’ଣ ହେବ, ନିର୍ଣ୍ଣୟ ନେବାର ସମୟ ଆସିଲେ ଯଦି ମହିଳାଙ୍କ ମତକୁ ଅଗ୍ରାହ୍ୟ କରାଯାଏ, ତେବେ ସବୁ ଆଲୋଚନା ଉପରେ ଯବନିକା ପଡିଯିବାଟା ହିଁ ସାର ହୁଏ। ଏହାହିଁ ହେଉଛି ବର୍ତ୍ତମାନ ମହିଳାଙ୍କ ସ୍ଥିତି।
କୋଭିଡ୍‌-୧୯ ବିରୋଧରେ ହୋଇଥିବା ଲଢେଇରେ ମହିଳା ଚିକିତ୍ସକ, ବିଶେଷଜ୍ଞ, ବୈଜ୍ଞାନିକ ଏବଂ ସଫେଇ କର୍ମଚାରୀମାନେ ଆଗଧାଡିରେ ରହି ଲଢ଼େଇ କରିଛନ୍ତି। ସେମାନେ ଦେଖାଇ ଦେଇଛନ୍ତି ଯେ ଯେଉଁ କ୍ଷେତ୍ରରେ ମହିଳା ନେତୃତ୍ୱ ନେଉଛି, ସେଇଠି ଫଳାଫଳ ସକାରାତ୍ମକ ରହିଛି। ବିଶେଷକରି ଯୁବ ମହିଳାମାନେ ସାମାଜିକ ନ୍ୟାୟ, ସମାଜସେବା, ମହିଳା ସୁରକ୍ଷା ଓ ସଶକ୍ତୀକରଣ ଏବଂ ପରିବେଶ ସୁରକ୍ଷା ଦିଗରେ ଅଗ୍ରଣୀ। ଏସବୁ ସତ୍ତ୍ୱେ ଦୁଃଖର ବିଷୟ ଯେ ପୂରା ବିଶ୍ୱରେ ସଂସଦ(ପାର୍ଲାମେଣ୍ଟ)ରେ ୩୦ବର୍ଷରୁ କମ୍‌ ମହିଳାଙ୍କ ସଂଖ୍ୟା ମାତ୍ର ୧%। ଏହି ପରିସଂଖ୍ୟାନରୁ ଜଣାପଡୁଛି ମହିଳାଙ୍କ ସ୍ଥିତି କ’ଣ?
ବିଶ୍ୱର ସବୁ କୋଣରେ ଅଳ୍ପେ ବହୁତେ ମହିଳା ଅବହେଳିତ। ତେଣୁ କେବଳ ସଭା, ସମିତିର ଆୟୋଜନ ନ କରି ମହିଳା ପରସ୍ପର ଭିତରେ ତା’ ସହିତ ହେଉଥିବା ଅସୁବିଧା, ତା’ର ସମସ୍ୟା ବିଷୟରେ ଆଲୋଚନା କରୁ। ଘରେ, ବାହାରେ, କାର୍ଯ୍ୟସ୍ଥଳରେ କିମ୍ବା ସମାଜରେ ଯେଉଁଠି ବି ସେ କିଛି ସମସ୍ୟାର ସମ୍ମୁଖୀନ ହେଉଛି, ତା’ର ପ୍ରତିକାରର ବ୍ୟବସ୍ଥା ପାଇଁ ନିଜେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁ ଏବଂ ତତ୍‌ସଂଲଗ୍ନ ନାନା ପଦକ୍ଷେପ ନେଉ। ନିରବ ରହି ସବୁ ସହିଯିବା ଏବଂ ସମ୍ମାନ ହାନି ଭୟରେ ତା’ର ବିରୋଧ ନ କରିବା, ଏଭଳି ପରିସ୍ଥିତିରେ ‘ନିଆଁରେ ଘିଅ ଢାଳିବା’ ଭଳି କାମ କରେ। ମହିଳା ସଶକ୍ତୀକରଣ ପ୍ରତି ଘର ଭିତରେ ଥିବା ଚାରିକାନ୍ଥରୁ ଆରମ୍ଭ ହେଉ। ପ୍ରତ୍ୟେକ ପରିବାରର ପ୍ରତିଟି ମହିଳା, ସେଇ ପରିବାର ଭିତରେ ରହୁଥିବା ଝିଅ, ଭଉଣୀ, ବୋହୂ, ସ୍ତ୍ରୀ, ମାଆର ଅସୁବିଧାକୁ ଆଗେ ଦୂର କରନ୍ତୁ। ନିଜ ପ୍ରତି ​‌େ​‌ହଉଥିବା ଅନ୍ୟାୟକୁ ବିରୋଧ କରିବା ପୂର୍ବରୁ ତାକୁ ପ୍ରକାଶ କରିବାର ସାହସ ତା’ ଭିତରେ ଜାଗ୍ରତ ​‌େ​‌ହଉ। ମହିଳାଟିଏ ପ୍ରଥମେ ନିଜେ ନିଜକୁ ଭଲ ପାଉ, ନିଜର ଯତ୍ନ ନେଉ, ନିଜର ଗରିମା ପାଇଁ ପଦକ୍ଷେପ ନେବା ଶିଖୁ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ବର
ଦୂରଭାଷ:୬୩୭୦୫୧୬୪୭୮

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories