କାବୁଲ୍ ବୋମା ବିସ୍ଫୋରଣ କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ବକୁ ଆଗାମୀ ଦିନର ଭୟାବହତାର ସୂଚନା ଦେଉଛି
ଉଗ୍ରବାଦୀ ଗୋଷ୍ଠୀ ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବାପରେ ସେଠାରୁ ଆମେରିକୀୟ ସେନାଙ୍କ ସଂପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ପାଇଁ ଆଉ ଗୋଟିଏ ଦିନ ବାକି। ଦୀର୍ଘ ୨୦ ବର୍ଷର ଯୁଦ୍ଧ ଚଳାଇ ରଖିଥିବା ଆମେରିକା ମାତ୍ର କିଛିଦିନ ଭିତରେ ଯେପରି ନିଜକୁ ନିଜେ ହରାଇଦେଇଛି, ତାହା ବର୍ତ୍ତମାନ ସମଗ୍ର ବିଶ୍ବରେ ଆଲୋଚ୍ୟ ବିଷୟ। ଆଫଗାନିସ୍ତାନବାସୀଙ୍କୁ ତାଲିବାନ ଯେତେ ଆଶ୍ବାସନା ଦେଲେ ମଧ୍ୟ ତାକୁ ସେମାନେ ବିଶ୍ବାସ କରିପାରୁନାହାନ୍ତି; କାରଣ ଏହି ମୌଳବାଦୀ ଗୋଷ୍ଠୀର କାରନାମା ଅତୀତରେ ଦେଖିଛନ୍ତି ଓ ନିର୍ଯାତନା ଅଙ୍ଗେ ନିଭାଇଛନ୍ତି। ଗତ ଗୁରୁବାର କାବୁଲ୍ ବିମାନ ବନ୍ଦର ନିକଟରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣ ଆଫଗାନମାନଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ, ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୧୮୨ଜଣଙ୍କ ପ୍ରାଣହାନି ଘଟିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଥିରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରତିଶୋଧପରାୟଣ ସ୍ବରରେ ଚେତାଇ ଦେଇଥିଲେ। ଇତିମଧ୍ୟରେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ଇସ୍ଲାମିକ୍ ଷ୍ଟେଟ୍ର ଖୋରାସାନ ଗୋଷ୍ଠୀ (ଆଇଏସ୍-କେ)ର ଆଡ୍ଡା ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସମେତ ବହୁ ଆତଙ୍କବାଦୀଙ୍କୁ ନିପାତ କରିଥିବା ଆମେରିକା ସେନା ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ ଉପରେ ତାଲିବାନର ନିୟନ୍ତ୍ରଣ ହୋଇଯିବା ପରେ ଯେଉଁ ସନ୍ତ୍ରାସ ଆଶଙ୍କା କରାଯାଉଥିଲା, ଧୀରେଧୀରେ ତାହା ସତ୍ୟ ହେବାକୁ ଲାଗିଛି। ଜନସାଧାରଣଙ୍କ ଉପରେ ମଧ୍ୟଯୁଗୀୟ ଧର୍ମୀୟ ଆଇନକାନୁନ ଲଦି ଦିଆଯାଇଥିବାବେଳେ ସେମାନେ ଭୟାତୁର ବାତାବରଣ ଭିତରେ ରହୁଛନ୍ତି। ବହୁ ଲୋକ ଆଫଗାନିସ୍ତାନରୁ ଜୀବନ ବିକଳରେ ବାହାର ଦେଶକୁ ପଳାୟନ କରିବାପାଇଁ ଘରଦ୍ବାର ଛାଡ଼ି ବିମାନ ବନ୍ଦରକୁ ଦୌଡ଼ୁଛନ୍ତି। ତାଲିବାନ ବିମାନ ବନ୍ଦରକୁ ଯାଉଥିବା ରାସ୍ତାଗୁଡ଼ିକୁ ମଧ୍ୟ ବନ୍ଦ କରିଦେଇଛି, ଯେପରିକି କେହି ବିମାନରେ ପଳାଇପାରିବେ ନାହିଁ। ତାଲିବାନକୁ ଆଇଏସ୍ ଓ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସମର୍ଥନ ଦେଉଛନ୍ତି ବୋଲି କୁହାଯାଉଥିବାବେଳେ କାବୁଲ୍ ବୋମା ବିସ୍ଫୋରଣ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକୁ ଜନ୍ମ ଦେଇଛି। ଆଇଏସ୍କୁ ପ୍ରଶ୍ରୟ ଦେଉଥିବା ତାଲିବାନ ଆଫଗାନମାନଙ୍କୁ ହତ୍ୟା କରୁଥିବା କଥାକୁ କ’ଣ ଗ୍ରହଣ କରିପାରିବ? କିନ୍ତୁ ନାଁ ଅଲଗା ହେଲେ ବି ଏହି ଦୁଇଗୋଷ୍ଠୀର ଚରିତ୍ର ତ ସମାନ। ତେଣୁ ସେମାନେ ଆମେରିକୀୟ ସୈନ୍ୟ ହୁଅନ୍ତୁ କି ଆଫଗାନ୍ ଲୋକ ହୁଅନ୍ତୁ, ଯିଏ ବି ଗୁଳିଗୋଳା, ବୋମାରେ ମରିଗଲେ ସେମାନଙ୍କର ଯାଏ ଆସେ କେତେ? ପ୍ରକୃତରେ ସେଠାରେ ଯେଉଁ ଦୁଃଖଦ ସ୍ଥିତି ଉପୁଜିଛି, ତାହା ସମଗ୍ର ମାନବ ଜାତି ନିମନ୍ତେ ଏକ କଳଙ୍କିତ ଅଧ୍ୟାୟ।
ସଂପ୍ରତି ଆଫଗାନିସ୍ତାନରେ ଭୟ ଓ ଆତଙ୍କର ବାତାବରଣ ଭିତରେ ପ୍ରତି ମୁହୂର୍ତ୍ତରେ ମାନବାଧିକାରର ହତ୍ୟା ହେଉଥିବାବେଳେ ମିଳିତ ଜାତିସଂଘ ଭଳି ଆନ୍ତର୍ଜାତିକ ସଂଗଠନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାନବିକ ଅଧିକାର ଦୃଷ୍ଟିରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜଧାନୀ କାବୁଲରେ ଏକ ସୁରକ୍ଷିତ ସ୍ଥାନ ତିଆରି କରିବାକୁ ଜାତିସଂଘକୁ ଫ୍ରାନ୍ସ ଓ ବ୍ରିଟେନ ନିବେଦନ କରିଛନ୍ତି। ଏହାରି ଜରିଆରେ ଶାସନ କ୍ଷମତାକୁ ହାତକୁ ନେଇଥିବା ତାଲିବାନ ଉପରେ ଆନ୍ତର୍ଜାତିକ ଚାପ ପକାଇବାକୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରଁ କହିଛନ୍ତି। ଏହା ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆଫଗାନିସ୍ତାନରେ ବହୁ ବିଦେଶୀ ଲୋକ ଓ ଦେଶ ଛାଡ଼ି ବାହାରକୁ ଆସିବାକୁ ଚାହୁଁଥିବା ଆଫଗାନମାନେ ଅଟକି ରହିଛନ୍ତି। କାବୁଲ୍ ବିସ୍ଫୋରଣ ପରେ ଆମେରିକା ପୁଣିଥରେ ଲୋକଙ୍କୁ ସେଠାରୁ ଉଦ୍ଧାର କରି ଅନ୍ୟ ଦେଶକୁ ପଠାଇବା କାର୍ଯ୍ୟ ଆରମ୍ଭ କରିଛି। କଣ୍ଟ ଅନୁସାରେ ଆଉ ଦିନକ ଭିତରେ ହିଁ ଏହି କାର୍ଯ୍ୟ କରାଯାଇପାରିବ। ତେବେ ଆଜି (ସୋମବାର) ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ଏହାର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ଫ୍ରାନ୍ସ, ବ୍ରିଟେନ, ଆମେରିକା, ରୁଷିଆ ଓ ଚୀନର ପ୍ରତିନିଧି ଉପସ୍ଥିତ ରହିବେ ବୋଲି କୁହାଯାଇଛି। ବର୍ତ୍ତମାନ ଆଫଗାନିସ୍ତାନ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବାବେଳେ ଏହି ବୈଠକ ଅତି ମହତ୍ତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନକୁ ନେଇ ପରିଷଦର ଶେଷ ବୈଠକ ୧୬ ଅଗଷ୍ଟରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହା ପରଠାରୁ ସେଠାରେ ଅନିଶ୍ଚିତତା, ହିଂସା, ରକ୍ତପାତର ବାତାବରଣ ଲାଗି ରହିଛି। ଏବେ ଆଇଏସ୍ର ରକ୍ତାକ୍ତ ପଦପାତ ଆଗାମୀ ଦିନର ଭୟାବହତାର ସଙ୍କେତ ଦେଇଛି ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଆତଙ୍କବାଦୀ ଗୋଷ୍ଠୀମାନେ ନିଜନିଜ ସ୍ବାର୍ଥରକ୍ଷା ପାଇଁ ଯଦି ପରସ୍ପର ମଧ୍ୟରେ ଯୁଝିବେ, ତେବେ ତା’ର ପରିଣତି ଭୟଙ୍କର ହୋଇପାରେ। ନିଃସନ୍ଦେହ ଯେ, ଏହି ଲଢ଼େଇ ଭିତରେ ନିରୀହ ଆଫଗାନ ନାଗରିକମାନେ ହିଁ ବଳି ପଡ଼ିବେ। ଅପରପକ୍ଷେ, ଆଫଗାନମାନଙ୍କୁ ସୁରକ୍ଷା ଦେବା ନାଁରେ ସେଠାକାର ବହୁମୂଲ୍ୟ ପ୍ରାକୃତିକ ଓ ଖଣିଜ ସଂପଦକୁ ହାତେଇବାର ଖେଳ ବହୁ ପୁରୁଣା। ବର୍ତ୍ତମାନର ସବୁଠୁ ଚିନ୍ତା, ଆମେରିକା ସିଧାସଳଖ ଯୁଦ୍ଧ ବନ୍ଦ କରି ଛଦ୍ମ ଯୁଦ୍ଧ ଯଦି ଆପଣାଇବ, ତେବେ ସାଧାରଣ ଆଫଗାନ ନାଗରିକ ହିଁ ତା’ର କୁଫଳ ଭୋଗିବେ। ଆମେରିକାର ଦୋମୁହଁା ନୀତି ପାଇଁ ତାଲିବାନ ଆଜି ବଳୀୟାନ ହୋଇଛି ଓ ପାକିସ୍ତାନ ମଧ୍ୟ ତାକୁ ସମର୍ଥନ ଯୋଗାଉଛି। ଭାରତ ପାଇଁ ମଧ୍ୟ ଏ ସ୍ଥିତି କମ୍ ଚିନ୍ତାଜନକ ନୁହେଁ। ଆତଙ୍କବାଦର ଏହି ନୂଆ ସ୍ଥିତି ସହ ଲଢ଼ିବାକୁ ହେଲେ ଭାରତକୁ ନୂତନ ରଣନୀତି ଆପଣାଇବା ଜରୁରୀ ହୋଇପଡ଼ିଛି।


