କଟକ : ଜାତୀୟ କ୍ରୀଡ଼ା ଦିବସ ଅବସରରେ ରବିବାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସୀ ଉପସ୍ଥିତିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ା ବ୍ୟକ୍ତିତ୍ବ ଓ ପ୍ରଶିକ୍ଷକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଅଲିମ୍ପିକ୍ସ୍ରେ ହକିରେ ଦୀର୍ଘ ୪୧ ବର୍ଷର ପଦକ ଶୂନ୍ୟତାକୁ ଦୂର କରିଥିବା ତଥା ଭାରତୀୟ ହକି ଦଳର ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସଙ୍କୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ଅମିତଙ୍କୁ ଦୁଇଲକ୍ଷ ଟଙ୍କା ଓ ରୁପାର ଉପଢୌକନ ପ୍ରଦାନ କରାଯାଇଥିଲା।
ଏକାଧିକ ଜାତୀୟ ଓ ୪୨ଜଣ ଅନ୍ତର୍ଜାତୀୟ ହକି ଖେଳାଳି ଗଢିଥିବା ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ଶ୍ରୀ ଚୌଧୁରୀଙ୍କୁ ୩ ଲକ୍ଷ ଟଙ୍କା ଓ ରୁପାର ଉଉଢୌକନ ପ୍ରଦାନ କରାଯାଇଥିଲା। ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ସୃଷ୍ଟି କରିଥିବା ଓଡ଼ିଶା ପାରା ବ୍ୟାଡ଼ମିଣ୍ଟନର ଦ୍ରୋଣାଚାର୍ଯ୍ୟ ଭାବେ ପରିଚିତ ପାରା ବ୍ର୍ୟାଡ଼ମିଣ୍ଟନ ପ୍ର୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପ୍ରଦାନ କରଯାଇଥିଲା। ପୁରସ୍କାର ସ୍ବରୂପ ଶ୍ରୀ ଦାସଙ୍କୁ ୧ ଲକ୍ଷ ଟଙ୍କା ଓ ରୁପାର ଉପଢୌକନ ପ୍ରଦାନ କରାଯାଇଥିଲା। ଏଏସ୍ଆଇ ତୈଲୋକ୍ୟନାଥ ପରିଡ଼ାଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ ସାହସୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ଓ ରୁପାର ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତାରେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ଜନ୍ମଦିନରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଫଳତା ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ହକି ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିବା ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଓ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ହାସଲ କରିଥିବା ଅମିତ ରୋହିଦାସଙ୍କ ହକି ପ୍ରତି ରହିଥିବା ନିଷ୍ଠା ଓ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ପ୍ରମୋଦ ଭଗତଙ୍କ ଭଳି ଅଲିମ୍ପିଆନ ଗଢିଥିବାରୁ ପାରା ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ ଓ ସାହସୀ ପୁରସ୍କାର ହାସଲ କରିଥିବା ପୁଲିସ ଏଏସ୍ଆଇ ତୈଲୋକ୍ୟନାଥ ପରିଡ଼ାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଶାର କ୍ରୀଡ଼ା ପ୍ରୋତ୍ସାହନକୁ ସାରା ଦେଶ ପ୍ରଶଂସା କରୁଛି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଇତିହାସ ରଚିଛି। କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବା ନେଇ ଏକାଧିକ ଉତ୍କର୍ଷ କେନ୍ଦ୍ର ନିର୍ମାଣ କରାଯାଇଛି। କ୍ରୀଡ଼ା ଭିତ୍ତିଭୂମି, ପ୍ରୋତ୍ସାହନ ଆଗାମୀ ଦିନରେ ଓଡ଼ିଶାରେ କ୍ରୀଡ଼ା ପ୍ରତି ଯୁବପିଢିଙ୍କ ଆଗ୍ରହ ବଢାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟ ଜନମଙ୍ଗଳ ଓ ଯୁବ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।
କାଳୁଚରଣ, ଅମିତ, ଶିବପ୍ରସାଦ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର
Popular Categories


