www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡକୁ ବିକଳ୍ପ ବିଦ୍ୟୁତ୍‍ ଲାଇନ ସଂଯୋଗୀକରଣ ଉଦ୍‍ଘାଟିତ

ଆଠଗଡ: ଆଠଗଡବାସୀଙ୍କର ଦୀର୍ଘ ବର୍ଷ ଧରି ବିଦ୍ୟୁତ୍‍ ସମସ୍ୟା ଜନିତ ଦୁଃଖ ଦୂର ହେଲା। ଆଠଗଡକୁ ଏକ ବିକଳ୍ପ ବିଦ୍ୟୁତ୍‍ ଲାଇନ ସଂଯୋଗୀକରଣ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। ୨୨କିମି ଦୂରରେ ଥିବା ନୂଆପାଟଣାସ୍ଥିତ ୧୩୨କେଭି ବିଦ୍ୟୁତ୍‍ ଗ୍ରୀଡରୁ ଆଠଗଡ ସବ୍‍ଷ୍ଟେସନକୁ ୩୩କେଭି ଲାଇନରେ ବିଦ୍ୟୁତ୍‍ ଯୋଗାଣ ହେଉଥିଲା। ଏହି ଏକମାତ୍ର ବିଦ୍ୟୁତ୍‍ ଲାଇନରେ ଅନେକ ସମୟରେ ବିଶେଷକରି ସାମାନ୍ୟ ବର୍ଷା, ପବନ, ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ଲକ୍ଷାଧିକ ଲୋକ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହେଉଥିଲେ। ଆଠଗଡକୁ ଅନ୍ୟଏକ ବିକଳ୍ପ ବିଦ୍ୟୁତ୍‍ ଲାଇନ ଖୁଣ୍ଟୁଣୀଠାରୁ ସଂଯୋଗ କରିବା ପାଇଁ ପ୍ରାୟ ୭ବର୍ଷ ହେଲା ଦାବି ହୋଇଆସୁଥିଲା।

ଏ ସଂପର୍କରେ ଦୈନିକ ‘ସମାଜ’ରେ ଏକାଧିକବାର ଖବର ପ୍ରସାରଣ ହେବା ପରେ ପ୍ରାୟ ୨ବର୍ଷ ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଖୁଣ୍ଟୁଣୀ ନିକଟବର୍ତ୍ତୀ ନୂତନ ମଥୁରାପୁର ଗ୍ରୀଡରୁ ବିଦ୍ୟୁତ୍‍ ଯୋଗାଣ ଲାଗି ବିଦ୍ୟୁତ୍‍ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ। ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଏବଂ ମଥୁରାପୁର ଠାରୁ ଆଠଗଡ ମଧ୍ୟରେ ଦେଢ କିମି ବିଦ୍ୟୁତ୍‍ ଲାଇନ ଟଣାରେ କିଛିଟା ସମସ୍ୟା ଦେଖା ଦେବାରୁ ଏହି ନୂତନ ବିଦ୍ୟୁତ୍‍ ସଂଯୋଗୀକରଣ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ୨ମାସ ପୂର୍ବରୁ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ବିଦ୍ୟୁତ୍‍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ବିଦ୍ୟୁତ୍‍ ଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଡା ନିର୍ଦ୍ଦେଶ ଦେବା ପରେ ଏହି କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ କରାଯାଇଥିଲା।

- Advertisement -

ଏପରିକି ଆଠଗଡକୁ ବିକଳ୍ପ ବିଦ୍ୟୁତ୍‍ ଲାଇନ ଯୋଗାଣ ପାଇଁ ଉତ୍କଳ ସାମ୍ବାଦିକ ସଂଘ, ଆଠଗଡ ଶାଖା ପକ୍ଷରୁ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା। ଶେଷରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଆଠଗଡବାସୀଙ୍କ ପାଇଁ ନୂଆପାଟଣା ଗ୍ରୀଡ ସହିତ ଖୁଣ୍ଟୁଣୀସ୍ଥିତ ମଥୁରାପୁର ଗ୍ରୀଡରୁ ବିକଳ୍ପ ଲାଇନ୍‍ ଯୋଗାଣ ସମ୍ଭବପର ହୋଇଛି। ଗୁରୁବାର ମଥୁରାପୁର ଓ ଆଠଗଡ ଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ନୂତନ ବିଦ୍ୟୁତ୍‍ ସଂଯୋଗକୁ ଉଦ୍‍ଘାଟନ କରି ଆଠଗଡବାସୀଙ୍କ ବିଦ୍ୟୁତ୍‍ ସମସ୍ୟା ଦୂର ହେଲା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଟାଟା ପାୱାର ବିତରଣ କମ୍ପାନୀର ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ସହକାରୀ ଯନ୍ତ୍ରୀ ପିତବାସ ସାହୁ, ସମରେନ୍ଦ୍ର ବେହେରା ଓ ଖୁଣ୍ଟୁଣୀ ସହକାରୀ ଯନ୍ତ୍ରୀ ନେପାଳସିଂହ ତାରଜନ୍‍ଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ମହିଳା ସଂଗଠିକା ରଞ୍ଜିତା ଭକ୍ତା, ପୂର୍ବତନ କାଉନସିଲର ଶିଶିର ପ୍ରସାଦ ମାନସିଂହ, ଶିବଶଙ୍କର ଜେନା, ସୁଧାଂଶୁ ଶେଖର ଦଳାଇ, ଯୁବ ସଂଗଠକ ପ୍ରକାଶ ରାଉତ, ଲଳିତେନ୍ଦୁ ସେନାପତି, ପୂର୍ବତନ ନଗରପାଳ ଲଳିତ ମୋହନ ନାୟକ, ପ୍ରଦୀପ୍ତ ଦାସ, ନୃସିଂହ ସାହୁ, ବିନୋଦ ମାଝି, ମହେନ୍ଦ୍ର ପରିଡା, ଦୁଲାଲ ଦାସ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories