www.samajalive.in
Sunday, December 14, 2025
19.1 C
Bhubaneswar

ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ କଲେ ବର୍ଷେ ଜେଲ୍‌

ଆବେଦନପତ୍ର ସଂଗ୍ରହ କରିପାରିବେନି ରାଜନୈତିକ ଦଳର ଏଜେଣ୍ଟ

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଚିଠା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରକ୍ରିୟାରେ ୨୦୧୯ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ବର୍ଷ ହେଉଥିବା ଯୁବକଯୁବତୀ ସେମାନଙ୍କ ନାମ ତାଲିକାଭୁକ୍ତ କରିବାକୁ ଫର୍ମ-୬ରେ ଆବେଦନ କରିପାରିବେ। ଆବେଦନ ସହ ସେମାନେ ରଙ୍ଗିନ ପାସପୋର୍ଟ ଫଟୋ, ବାସସ୍ଥାନ ଓ ବୟସ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରିବେ। ମହିଳା, ଭିନ୍ନକ୍ଷମ ଏବଂ ଅନୁସୂଚିତ ଜାତି ଓ ଜନଜାତିର ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରିବା , ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିକାରୁ ବାଦ ଦେବା ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ନେଇ ଗୁରୁତ୍ବ ଦିଆଯିବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜନସାଧାରଣ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର, ବ୍ଲକ ମ୍ୟୁନିସିପାଲିଟି ଓ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଭୋଟରଙ୍କୁ ସହାୟତା ପ୍ରଦାନ ନେଇ ରାଜ୍ୟ ନର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଟୋଲ ଫ୍ରି ନମ୍ବର ୧୯୫୦ କାର୍ଯ୍ୟକ୍ଷମ କରାଯାଇଛି। ଭୁବନେଶ୍ବର ପାଇଁ ୦୬୭୪-୧୯୫୦ରେ ଭୋଟରମାନେ ଅଭିଯୋଗ କରିପାରିବେ। ପ୍ରତ୍ୟେକ ଭୋଟର ନିଜ ନାମ ପଞ୍ଜିକୃତ ହୋଇଛି କି ନା ଏବଂ ଏହା କେଉଁ କେନ୍ଦ୍ରରେ ଅଛି ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ www.ceoorissa.nic.in/www.nvsp.inରେ ଦେଖିପାରିବେ। ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଯୋଗ୍ୟ ଭୋଟର ଫର୍ମ-୬ ସହ ପ୍ରମାଣପତ୍ର ବୁଥସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ କିମ୍ବା ବ୍ଲକ ଓ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିଥିବା ଭୋଟର ସହାୟତା କେନ୍ଦ୍ରର ସାହାଯ୍ୟ ନେଇପାରିବେ।
ଏହାବ୍ୟତୀତ ଉପରୋକ୍ତ ୱେବସାଇଟକୁ ଯାଇ ଆବେଦନକାରୀ ଅନଲାଇନରେ ଦରଖାସ୍ତ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
୨୦୧୯ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ତେବେ ନାମାଙ୍କନପତ୍ର ଦାଖଲ ପର୍ଯ୍ୟନ୍ତ ତାଲିକାରେ ସଂଶୋଧନ କରାଯାଇପାରିବ ବୋଲି ସେ କହିଛନ୍ତି। ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କ ନାମ ବାଦ କରିବା ନିମନ୍ତେ ଫର୍ମ-୭ରେ ଦରଖାସ୍ତ କରାଯାଇପାରିବ। କୌଣସି ଭୋଟରଙ୍କର ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ ସ୍ଥାନରୁ ନାମ ବାଦ ଦେବାକୁ ଏହି ଫର୍ମରେ ଆବେଦନ କରାଯିବ। ଅନଲାଇନରେ ମଧ୍ୟ ଏହି ଆବେଦନ କରାଯାଇପାରିବ।
ଲୋକ ପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୭ରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ବ୍ୟକ୍ତି ଏକାଧିକ ବିଧାନସଭା ନିର୍ବାଚନମଣ୍ଡଳୀ ବା ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ କରିବା ବେଆଇନ। ଏହା ଏକ ଦଣ୍ଡନୀୟ ଅପରାଧ। ଏଥିନିମନ୍ତେ ୧ ବର୍ଷ ଜେଲ ବା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।
ସେହିପରି ଭୋଟର ତାଲିକା ଓ ପରିଚୟ ପତ୍ରରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮ରେ ଆବେଦନ କରାଯାଇପାରିବ। ଭୋଟର ନିର୍ବାଚନମଣ୍ଡଳୀ ଭିତରେ ବାସସ୍ଥାନ ପରିବର୍ତ୍ତନ କରିଥିଲେ ଫର୍ମ-୮(କ)ରେ ଆବେଦନ କରିବେ।
ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟମାନେ ଚିଠା ଭୋଟର ତାଲିକା ତନଖି, ମତଦାତାଙ୍କୁ ତାଲିକାଭୁକ୍ତ କରିବା ପାଇଁ ସଚେତନ କରିବାକୁ କୁହାଯାଇଛି। ସେମାନେ ଆବେଦନ ପତ୍ର ସଂଗ୍ରହ କରିପାରିବେନି। ମୋଟ ୩୦ଟିରୁ ଅଧିକ ଆବେଦନ ଫର୍ମ ଦାଖଲ କରିପାରିବେନି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଭିନ୍ନକ୍ଷମ ଥିବା ତାଲିକା ଦିଆଯାଇଛି। ସେମାନଙ୍କୁ ସାମିଲ କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ବହୁ ଭୋଟର ସ୍ଥାନାନ୍ତରିତ ହୋଇ ଆସୁଛନ୍ତି। ଏକାଧିକ ଜାଗାରେ ସେମାନଙ୍କ ନାମ ରହିଛି। ସେମାନଙ୍କୁ ଚିହ୍ନଟ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ସେମାନଙ୍କୁ ସାତ ଦିନ ଆଗରୁ ନୋଟିସ ଦେଇ ଶୁଣାଣି କରାଯିବ। ଏହି ଭୋଟର ମାନେ ଶୁଣାଣିକୁ ନଆସିଲେ ଲଟକା ଜାରି ହେବ। ଏଥିପାଇଁ ଥିବା ପ୍ରକ୍ରିୟାର ଅନୁପାଳନ ନକରି ଭୋଟରଙ୍କୁ ବାଦ ଦେଲେ ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁଲ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଯୁବ ଭୋଟରଙ୍କୁ ଭୋଟର ତାଲିକାଭୁକ୍ତ କରିବା ନିମ​‌େ​‌ନ୍ତ ସଚେତନତା କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରାଯାଇଛି।
ଦାବି ଓ ଆପତ୍ତିର ଫଇସଲା ନଭେମ୍ବର ୩୦ ତାରିଖ ପୂର୍ବରୁ ଶେଷ ହେବ। ୨୦୧୯ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories