www.samajalive.in
Friday, December 12, 2025
15.1 C
Bhubaneswar

ଟାଟା ପାୱାର ସହ ମିଶି ଲୋକଙ୍କୁ ଲୁଟୁଛନ୍ତି ସରକାର – କଂଗ୍ରେସ

ଭୁବନେଶ୍ୱର: ଟାଟା ପାୱାର କମ୍ପାନୀର ବହୁବିଧ ଶୋଷଣ ଓ ଦାଦାଗିରି ପଛରେ ସରକାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଓ ସମର୍ଥନ ରହିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କରୋନା କାଳରେ ଲକ୍‌ଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ହୋଇରହିଥିବା ବେଳେ ସରକାର ଟାଟାପାୱାର କମ୍ପାନୀ ହାତକୁ ବିଦ୍ୟୁତ ସରବରାହ ଓ ବଂଟନ ବ୍ୟବସ୍ଥାକୁ ଟେକିଦେଲେ। ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ଥରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇପାରିବାର ବ୍ୟବସ୍ଥା ଥିବାବେଳେ କେବଳ ଟାଟାପାୱାରକୁ ହିଁ ଫାଇଦା ଦେବାକୁ ଦୁଇଦୁଇଥର କରି ୮୦ ପଇସା ବୃଦ୍ଧି କରିଦିଆଗଲା। ଲୋକେ କରୋନା କଟକଣା ଯୋଗୁଁ ପଦାକୁ ବାହାରି ପାରୁନଥିବା ଆଳରେ ଏପରି ସୁଚିନ୍ତିତ ଓ ବ୍ୟବସ୍ଥିତ ଷଡଯନ୍ତ୍ର ରଚିଛନ୍ତି ସରକାର। ୫୧ ପ୍ରତିଶତ ଅଂଶଧନର ମାଲିକ ଟାଟାପାୱାର ଏବେ ନିଜକୁ ସର୍ବଶକ୍ତିମାନ ମନେକରୁଛି ଏବଂ ଗ୍ରାହକଙ୍କୁ ମନଇଛା ଶୋଷଣ କରୁଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି।

- Advertisement -

ବିଳମ୍ବରେ ବିଲ ଦେବା ଯୋଗୁଁ ଗ୍ରାହକଙ୍କ ଠାରୁ ଚଢ଼ାଦରରେ ଶୁଳ୍କ ଆଦାୟ କରାଯାଉଛି ଏବଂ ୨୭ ଲକ୍ଷ ଗ୍ରାହକଙ୍କ ଠାରୁ ଏହି ଅସତ୍ ଉପାୟରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି ବୋଲି ସେ ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି) ଏଥି ନେଇ ନୀରବଦ୍ରଷ୍ଟା ଓ ମୁକସାଖୀ ସାଜିବା ପଛରେ ଓଡ଼ିଶା ସରକାରଙ୍କର ବଡ଼ ବଡ଼ ଅଫିସର ଓ ରାଜନେତାଙ୍କ ସଂପୃକ୍ତି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ଭିତିଭୂମି ବିକାଶରେ ଲେଶ ମାତ୍ର ଅବଦାନ ନଥିବା ଟାଟାପାୱାର କମ୍ପାନୀର ଏହି ଶୋଷଣ ରାକେର୍ଟରେ ସରକାର ନିଜେ ମଧ୍ୟ ଅଭିଯୁକ୍ତ ବୋଲି ଦଳପକ୍ଷରୁ କୁହାଯାଇଛି। ତେବେ କେବଳ ସେତିକି ନୁହେଁ, ବିନା ସୂଚନାରେ ଘଂଟା ଘଂଟା ବିଦ୍ୟୁତ କାଟିବା, ଅଭିଯୋଗ ପ୍ରତି ଆଦୌ ଗୁରୁତ୍ୱ ନଦେବା ସହିତ ଉପଭୋକ୍ତାମାନଙ୍କୁ କଥା କଥାରେ ଧମକ ଦେବା ମନଇଛା ବିଦ୍ୟୁତ ସଂଯୋଗ କାଟିଦେବା ଟାଟାପାୱାରର ଦାଦାଗିରିର ନମୂନା ବୋଲି କୁହାଯାଇଛି।

କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ଡ ଗ୍ରାମର ଜଣେ ଗରିବ ଗର୍ଭବତି ମହିଳାଙ୍କୁ ୯ ହଜାର ଟଙ୍କା ଲାଂଚ ମାଗିବା ଓ ତାହା ଦେବାରେ ଅସମର୍ଥ ହେବାରୁ ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ ପାଇଥିବା ସସ୍ମିତା ପ୍ରଧାନଙ୍କୁ ଧମକ ଦେଖାଇ ବଳପୂର୍ବକ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବାର ପ୍ରମାଣ ଉପସ୍ଥାପନ କରିଥିଲେ। ଅନଲାଇନରେ ପାଠପଢ଼ିବାକୁ ସରକାର କହୁଥିବା ବେଳେ ତାଙ୍କ ପିଲାମାନେ ବିନା ବିଦ୍ୟୁତରେ ଅନ୍ଧାରରେ ପାଠ ପଢ଼ିପାରୁ ନାହାଁନ୍ତି। ଜନସାଧାରଣଙ୍କ ଏପରି ଦୁର୍ଦ୍ଦଶା ବେଳେ, ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବା ବେଳେ ଟାଟାପାୱାର ଓ ଓଡ଼ିଶା ସରକାରଙ୍କ ଏହି ଷଣ୍ଢୁଆସି ଆକ୍ରମଣ ଓ ବୋଝ ଉପରେ ନଳିତା ବିଡ଼ା ନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ପ୍ରବକ୍ତା ରଜନୀ କୁମାର ମହାନ୍ତି ବିଦ୍ୟୁତ ସରବରାହ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କ୍ଷତିର ବିବରଣୀ ପ୍ରଦାନ କରିଥିଲେ। ଦିଲ୍ଳୀରେ ଏହି କ୍ଷତିର ପରିମାଣ ମାତ୍ର ୧୯.୨୫ ଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୨୮.୨୪% କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦ୍ରସରକାରଙ୍କ ଉଦୟ ଯୋଜନାରେ ଏହି କ୍ଷତିକୁ ୧୫% ଯାଏ ହ୍ରାସ କରିବାକୁ ନିର୍ଦ୍ଧାରିତ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କୁ ଏହି ଲକ୍ଷସ୍ଥଳରେ ପଂହଚିବାକୁ ଆଉ କେତେବର୍ଷ ଲାଗିବ ବୋଲି ସେ କହିଥିଲେ ଏବଂ ଏଥିଯୋଗୁଁ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ପ୍ରୋତ୍ସାହନ ରାଶି ବାବଦରେ ରାଜ୍ୟ ଯେଉଁ ସହାୟତାରୁ ବଂଚିତ ହେବ ସେଥିପାଇଁ ରାଜ୍ୟ ସରକାର ଦାୟି ରହିବେ ବୋଲି ସେ ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories