ବ୍ରହ୍ମପୁର: ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପରିସରରୁ ବୁଧବାର ୨ଟି ସ୍ବାସ୍ଥ୍ୟ ସଚେତନତା ରଥକୁ ଉଦ୍ଘାଟନ କରାଯାଇଛି। ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସେଭ୍ ଦି ଚିଲ୍ଡ୍ରେନ ତରଫରୁ ତଥା ହିନ୍ଦୁସ୍ଥାନ ୟୁନିଲିଭର, ବ୍ରହ୍ମପୁର ମହାନଗର ନିଗମ ଏବଂ ଏଚ୍ବିସିସି ଏଥିରେ ସହଯୋଗ କରିଛି। ଏହି ରଥ ବ୍ରହ୍ମପୁର ତଥା ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳକୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଭ୍ରମଣ କରିବ। ଭ୍ରମଣ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବିଶେଷକରି ହାତ ଧୋଇବା ସଂପର୍କରେ ସଚେତନ କରାଯିବ। ହାତ ନ ଧୋଇ ଖାଇବା ଫଳରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ୧୦ଟି ପର୍ଯ୍ୟନ୍ତ କିପରି ହାତକୁ ସଫା କରାଯିବ, ସେନେଇ ବୁଝାଯିବ। ଉଭୟ ରଥରେ ହାତ ଧୋଇବା ପାଇଁ ପାଣି, ସାବୁନ ଉପଲବ୍ଧ ରହିଛି। ଏହି ଅବସରରେ ସଚେତନତା ସଂପର୍କିତ ଫଟୋ ଚିତ୍ରକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ସେଭ୍ ଦି ଚିଲଡ୍ରେନ ଏବଂ ବ୍ରହ୍ମପୁର ମହାନଗର ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ।



