ସମ୍ବଲପୁର: ସମ୍ବଲପୁର ଜିଲାରେ ରହିଥିବା ବିଭିନ୍ନ ଖଣି ଅଞ୍ଚଳର ସମସ୍ୟା ଓ ସେଗୁଡିକର ସମାଧାନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ନେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତକାର କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ। ଏ ସର୍ମ୍ପକରେ ରାଜଧାନୀ ନୁଆଦିଲ୍ଲୀରେ ଶୁକ୍ରବାର ବିଧାୟକ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତକାର କରି ଏକ ଚିଠି ପ୍ରଦାନ କରି ବିସ୍ତୃତ ଆଲୋଚନା କରିଛନ୍ତି। ବିଧାୟକ ନାୟକଙ୍କ ପ୍ରଦତ୍ତ ପତ୍ର ଅନୁଯାୟୀ, ତଲାବିରା – ୨ କୋଇଲା ଖଣିର ବିସ୍ଥାପିତ ପରିବାର ମାନଙ୍କୁ ରାଷ୍ଟ୍ରାୟତ୍ତ କମ୍ପାନୀ ଏନଏଲସି ସିଧାସଳଖ ସ୍ଥାୟୀ ନିଯୁକ୍ତି, ଗୃହ ଆଦିର କ୍ଷତିପୂରଣ, ପାନୀୟ ଜଳ ଯୋଗାଣ ଏବଂ ଏକ ସୁପର ସ୍ପେଶାଲିଟି ଡାକ୍ତରଖାନା ନିର୍ମାଣ ନିମନ୍ତେ ଦାବି କରିଛନ୍ତି।
୨୦୧୬ ମସିହାରେ କମ୍ପାନୀକୁ କେନ୍ଦ୍ର ସରକାର ଦ୍ୱାରା ଅନୁମତି ପ୍ରଦାନ ପରେ ବସିଥିବା ଆରପିଡିଏସି ବୈଠକ ଗୁଡିକ ପରେ କମ୍ପାନୀରେ ସିଧାସଳକ ନିଯୁକ୍ତି ପ୍ରଦାନ ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ କମ୍ପାନୀ ପ୍ରତିଶୃତିକୁ ଅବହେଳା କରି ଜମିହରା, କ୍ଷତିଗ୍ରସ୍ତ ପରିବାରଙ୍କୁ ଛୋଟ ଛୋଟ ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବା ସହିତ ଇଚ୍ଛାନୁଯାୟୀ ସେମାନଙ୍କୁ ବାହାର ମଧ୍ୟ କରି ଦେଉଛି। ଆରପିଡିଏସି ବୈଠକରେ ୧ ସେପ୍ଟେମ୍ବର ୨୦୧୫ ଅନୁଯାୟୀ କ୍ଷତିପୂରଣ ଦେବାର ପ୍ରତିଶୃତି କମ୍ପାନୀ ଦେଇଥିବା ବେଳେ ୨୦୦୯ ମସିହା ଅନୁଯାୟୀ କ୍ଷତିପୂରଣ ପାଇଁ ବାଧ୍ୟ କରାଯାଉଛି। ଏହା ସହିତ ଅଞ୍ଚଳର ସ୍ଥାୟୀ ପାନୀୟ ଜଳ ଯୋଗାଣ ଓ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନା ସର୍ମ୍ପକରେ ମଧ୍ୟ କୌଣସି ଆଗ୍ରହ କମ୍ପାନୀ ପକ୍ଷରୁ କରାଯାଉ ନାହିଁ। ଏଣୁ ଶିଘ୍ର ତଲାବିରା ଖଣି ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାର ମାନଙ୍କର ସମସ୍ୟାର ସମାଧାନ ପାଇଁ ବିଧାୟକ ନାୟକ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଅନୁରୋଧ କରିଛନ୍ତି।



