ନୂଆଦିଲ୍ଲୀ : ଚଳିତମାସ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଜାପାନ ରାଜଧାନୀ ଟୋକିଓରେ ଆୟୋଜନ ହେବ ବିଶ୍ବର ସର୍ବବୃହତ୍ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ। ଜୁଲାଇ ୨୩ରେ ଏହି ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ଆୟୋଜନ ହେବ। ଏଥିରେ ଭାରତୀୟ ଜାତୀୟ ପତାକା ବହନ କରିବେ ୬ ଥର ବିଶ୍ବ ଚମ୍ପିଆନ୍ ମହିଳା ମୁଷ୍ଟିଯୋଦ୍ଧା ଏମ୍.ସି. ମ୍ୟାରୀ କମ୍ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ। ସୋମବାର ଭାରତୀୟ ଅଲିମ୍ପିକ୍ ମହାସଂଘ (ଆଇଓଏ) ଏହା ଘୋଷଣା କରିଛି। ପୁଣି ଅଗଷ୍ଟ ୮ରେ ହେବାକୁ ଥିବା ଉଦ୍ଯାପନୀ ଉତ୍ସବରେ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଭାରତୀୟ ଜାତୀୟ ପତାକା ବହନ କରିବେ।
ମଣିପୁରର ଏମ୍.ସି. ମ୍ୟାରି କମ୍ ୬ ଥର ବିଶ୍ବ ଚମ୍ପିଆନ୍ ହୋଇଛନ୍ତି। ସେ ମହିଳା ବକ୍ସିଂରେ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ବୋଧହୁଏ ଟୋକିଓ ଅଲିମ୍ପିକ୍ସ ମ୍ୟାରୀ କମ୍ଙ୍କ ଅନ୍ତିମ ଅଲିମ୍ପିକ୍ସ ହେବ। ସେ ମହିଳା ୫୧ କେଜି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ଟୋକିଓରେ ମ୍ୟାରୀ କମ୍ ଭାରତର ସବୁଠାରୁ ବଡ଼ ପଦକ ଆଶା। ମନପ୍ରୀତ୍ଙ୍କ ନେତୃତ୍ବରେ ଭାରତୀୟ ପୁରୁଷ ହକି ଦଳ ନିକଟ ଅତୀତରେ ବେଶ୍ ସଫଳତା ହାସଲ କରିଛି। ଗତ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ ଖେଳିଥିବା ଭାରତୀୟ ପୁରୁଷ ହକି ଦଳ ଏଥର ପଦକ ଜିତିବା ପାଇଁ ବଡ଼ ଦାବିଦାର। ଆଇଓଏ ଆହୁରି କହିଛି ଯେ ଟୋକିଓ ଅଲିମ୍ପିକ୍ସରେ ମୋଟ ୨୦୧ ଜଣ ଭାରତୀୟ ପ୍ରତିଯୋଗୀ ଭାଗନେେବ। ଏମାନଙ୍କ ମଧ୍ୟରେ ୧୨୬ ଜଣ କ୍ରୀଡ଼ାବିତ୍ ଥିବା ବେଳେ ୭୫ ଜଣ ଅଫିସିଆଲ୍ ଅଛନ୍ତି। ୧୨୬ ଜଣ ଭାରତୀୟ କ୍ରୀଡ଼ାବିତ୍ଙ୍କ ମଧ୍ୟରୁ ୫୬ ପ୍ରତିଶତ ପୁରୁଷ ଓ ୪୪ ପ୍ରତିଶତ ମହିଳା ଅଛନ୍ତି। ସେମାନେ ମୋଟ ୮୫ଟି ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଥିଲା ଯେ ଟୋକିଓ ଅଲିମ୍ପିକ୍ସକୁ ଏହା ତା’ର ପ୍ରତିନିଧି ଦଳ ପଠାଇବ ନାହିଁ। ବଦଳରେ ଅଧିକ ସପୋର୍ଟ ଷ୍ଟାଫ୍ ପଠାଇବାକୁ କ୍ରୀଡ଼ା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।
ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ : ପତକା ବହନ କରିବେ ମ୍ୟାରୀ କମ୍ ଓ ମନପ୍ରୀତ
Popular Categories



