ୟୁରୋକପ୍‌ – ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ, ଡେନମାର୍କ

ବାକୁ: ୟୁରୋକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶନିବାର ଶେଷ ଦୁଇ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ବାକୁର ଅଲିମ୍ପିକ୍‌ସ ଷ୍ଟାଡ଼ିୟମରେ ଡେନମାର୍କ ଓ ଚେକ୍‌ ଗଣରାଜ୍ୟ ମୁହାଁମୁହିଁ ହେବା ବେଳେ ରୋମର ଅଲିମ୍ପିକ୍‌ସ ଷ୍ଟାଡ଼ିୟମରେ ଇଂଲଣ୍ଡ-ୟୁକ୍ରେନକୁ ଭେଟିବ।

ଚେକ୍‌ ଗଣରାଜ୍ୟ ତୁଳନାରେ ଡେନମାର୍କ ଶକ୍ତିଶାଳୀ ମନେ କରାଯାଉଥି​‌ଲେ ମଧ୍ୟ ଉକ୍ତ ଦଳ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି। ଗ୍ରୁପ -ଡିରେ ସ୍ଥାନ ପାଇଥିବା ଚେକ୍ ଗଣରାଜ୍ୟ ୩ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହି ଶେଷ ୧୬ରେ ପହଞ୍ଚିଥିଲା। ପ୍ରି- କ୍ବାର୍ଟର ଫାଇନାଲରେ ଦଳ ୨-୦ ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳ ଡେନମାର୍କକୁ ପରାସ୍ତ କରି ସେମିଫାଇନାଲ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଗ୍ରୁପ-ବି ରେ ସ୍ଥାନ ପାଇଥିବା ଡେନମାର୍କ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ପରାଜୟ ସହ ୩ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହି ପ୍ରି- କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। ପ୍ରି- କ୍ବାର୍ଟର ଫାଇନାଲରେ ଦଳ ୱେଲ୍‌ସକୁ ୪-୦ ଗୋଲରେ ପରାସ୍ତ କରି କ୍ବାର୍ଟରକୁ ଉନ୍ନୀତ ହୋଇଛି।

ଚେକ୍‌ ଗଣରାଜ୍ୟରେ ପ୍ରତୀକ୍‌ ସିଚେକ୍ ଓ ଡେନମାର୍କ ନିକଟରେ କାସ୍ପର ଡୋଲବର୍ଗଙ୍କ ଭଳି ଖେଳାଳି ରହିଥିବାରୁ ମ୍ୟାଚ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଛି। ଅନ୍ତିମ କ୍ବାର୍ଟର ଫାଇନାଲରେ ଇଂଲଣ୍ଡ ଓ ୟୁକ୍ରେନ ମୁହଁାମୁହିଁ ହେବେ। ରୁନିଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ପ୍ରି- କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ପରାସ୍ତ କରି ଚମ୍ପିଆନ ହେବା ନେଇ ସୁଯୋଗ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଅପରାଜୟ ଥିବା ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ଚେକ୍‌ ଗଣରାଜ୍ୟ ଓ କ୍ରୋଏସିଆକୁ ପରାସ୍ତ କରିଥିବାବେଳେ ସ୍କଟଲାଣ୍ଡ ସହିତ ମ୍ୟାଚ ଡ୍ର ରଖିଥିଲା। ଦଳ କ୍ବାର୍ଟର ଫାଇନାଲରେ ୟୁକ୍ରେନକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ୟୁକ୍ରେନ ମଧ୍ୟ ସେମିଫାଇନାଲ ଲକ୍ଷ୍ୟ ରଖିଛି। ଗ୍ରୁପ -ସି​‌ ରେ ରହିଥିବା ୟୁକ୍ରେନ ମାତ୍ର ଗୋଟିଏ ମ୍ୟାଚ ଜିତି ଶେଷ ୧୬ରେ ପ୍ରବେଶ କରିଥିଲା। ପ୍ରି- କ୍ବାର୍ଟର ଫାଇନାଲରେ ଦଳ ସ୍ବିଡେନକୁ ୨-୧ ଗୋଲରେ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି। କ୍ବାର୍ଟର ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରିବାକୁ ୟୁକ୍ରେନ ପ୍ରସ୍ତୁତ ରହିଛି। ଦଳରେ ଫୋର୍ସବର୍ଗ, ଓଲିସନ ଓ ଲାର୍ସନଙ୍କ ଭଳି ଖେଳାଳି ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Comments are closed.