www.samajalive.in
Sunday, December 7, 2025
18.1 C
Bhubaneswar

ଗାନ୍ଧିଜୀ, ଅମ୍ଳଜାନ ଓ ଦେଶରକ୍ଷା

“ଯୋଉ ମଣିଷ ନିଃଶ୍ବାସପ୍ରଶ୍ୱାସ ପ୍ରକ୍ରିୟାରେ ଆବଶ୍ୟକ ପଡୁଥିବା ଅମ୍ଳଜାନ ପାଇଁ ଯଦି ପମ୍ପ୍‌ ବା ଯନ୍ତ୍ର ଉପରେ ନିର୍ଭର କରେ ସେ ମୃତପ୍ରାୟ। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଭାରତ ମୃତ ଅବସ୍ଥାରେ ଅଛି।” ଏହାକୁ ପଢିବା ପରେ ଯେ କୌଣସି ବ୍ୟକ୍ତି ଭାବିପାରେ ଯେ କୋଭିଡ୍‌ର ଭୟାବହ ଦ୍ବିତୀୟ ଲହରୀରେ ଅମ୍ଳଜାନ ନ ମିଳିବା ଯୋଗୁଁ ବହୁ ଲୋକଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ଜଣେ ସମ୍ବେଦନଶୀଳ ଲେଖକ ଏହାକୁ ଲେଖିଥିବେ; କିନ୍ତୁ ଏହାକୁ ଲେଖିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କର ଏକ ଲେଖାରେ ଯାହାକି ‘ୟଙ୍ଗ ଇଣ୍ଡିଆ’ରେ ୬ ଜୁଲାଇ ୧୯୨୧ରେ ପ୍ରକାଶ ପାଇଥିଲା। ତା’ର କିଛି ମାସ ପରେ ୫ ମାର୍ଚ୍ଚ ୧୯୨୨ରେ ‘ନବଜୀବନ’ରେ ସେ ଲେଖିଥିଲେ “ଭାରତ ଯଥେଷ୍ଟ ଅମ୍ଳଜାନ ପାଉନାହିଁ ଏବଂ ସେହି କାରଣରୁ ଅଣନିଃଶ୍ୱାସୀ ହୋଇଯାଉଛି ।”

ଗାନ୍ଧୀଙ୍କ ଲେଖିବାର ପ୍ରାୟ ଶହେ ବର୍ଷ ପରେ ବାସ୍ତବରେ ଭାରତରେ ଏପ୍ରିଲ ଓ ମେ ୨୦୨୧ରେ ମେଡିକାଲ ଅମ୍ଳଜାନର ଉତ୍କଟ ଅଭାବରୁ ଅଣନିଃଶ୍ୱାସୀ ହୋଇଗଲା ଶତାଧିକ ଲୋକ ପ୍ରାଣ ହରାଇଲେ। ଯେଉଁ ଭାରତକୁ ଆତ୍ମନିର୍ଭର କରିବା ପାଇଁ ସରକାର ବାରମ୍ବାର ଡିଣ୍ଡିମ ପିଟିଲେ ଓ କୋଭିଡ ବିରୋଧରେ ଜାନୁଆରୀ ମାସରେ ଅସାମୟିକ ବିଜୟ ଘୋଷଣା କଲେ, ସେହି ଭାରତର କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ନ ପାରିବାରୁ ସମଗ୍ର ଦେଶରେ ଲୋକେ ଅସହାୟରେ ତ୍ରାହିତ୍ରାହି ଡାକିଲେ। ଶ୍ମଶାନରେ ଶବ ଦାହ କରିବା ପାଇଁ ଜାଗା ଓ କାଠ ମିଳିଲାନି ଓ ଗଙ୍ଗା ନଦୀରେ ହଜାରହଜାର ଶବ ଭାସିବା ଦୃଶ୍ୟ ସମଗ୍ର ବିଶ୍ୱକୁ ଦୋହଲାଇ ଦେଲା। ଭାରତ ଇତିହାସରେ ପ୍ରଥମଥର ପାଇଁ ଅମ୍ଳଜାନ ଅଭାବରୁ ଏମିତି ପ୍ରଳୟଙ୍କରୀ ପରିସ୍ଥିତି ସୃଷ୍ଟି ହେଲା ଯେ ଦିଲ୍ଲୀ ଓ ଭାରତର ଅନ୍ୟ ରାଜ୍ୟର ବହୁ ପ୍ରସିଦ୍ଧ ଡାକ୍ତରଖାନା ଅମ୍ଳଜାନ ପାଇଁ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ। ଗାନ୍ଧିଜୀ ୧୯୨୧ ଓ ୧୯୨୨ରେ ଯାହା ଲେଖିଥିଲେ ତାହା ୨୦୨୧ ଭାରତ ପାଇଁ ଯନ୍ତ୍ରଣାଦାୟୀ ସତ୍ୟ ହୋଇଛି।

- Advertisement -

ତେବେ ଆମକୁ ବୁଝିବାକୁ ପଡିବ ଯେ ଗାନ୍ଧିଜୀ ଭାରତରେ ଅମ୍ଳଜାନ ଅଭାବକୁ ନେଇ ଯାହା ୧୯୨୧ ଓ ୧୯୨୨ ରେ ଲେଖିଥିଲେ ତାହା କେଉଁ ପରିପ୍ରେକ୍ଷୀରେ ଲେଖିଥିଲେ। ତା’ର ଦୁଇଟି ପରିପ୍ରେକ୍ଷ ଥିଲା। ୧୯୧୮ରେ ଆମେରିକାରେ ଆରମ୍ଭ ହୋଇଥିବା ଇନଫ୍ଲୁଏନଜ଼ା ମହାମାରୀର ଚତୁର୍ଥ ଲହରୀ ୧୯୨୧ରେ ଭାରତରେ ସରିଥିଲା। ସେହି ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଥିଲା ଓ ଭାରତରେ ତା’ର ପ୍ରଭାବ ଏତେ ଅଧିକ ଥିଲା ଯେ ଦ୍ବିତୀୟ ଲହରରେ ଏକ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ବିଶେଷଜ୍ଞ ମତ ଦିଅନ୍ତି। ସେହି ସମୟରେ ମଧ୍ୟ ନଦୀମାନଙ୍କରେ ଶବ ଭସାଇ ଦିଆଯାଉଥିଲା। ଆମେରିକାରେ ୨୦୦୪ରେ ପ୍ରକାଶିତ ଜନ୍‌ ବେରୀଙ୍କ ବହି “ଦି ଗ୍ରେଟ ଇନଫ୍ଲୁଏନ୍‌ଜ଼ା : ଦି ଷ୍ଟୋରୀ ଅଫ ଦି ଡେଡଲିଏଷ୍ଟ ପାଣ୍ଡେମିକ ଇନ ହିଷ୍ଟ୍ରି”ରେ ଏ କଥା ଲେଖା ଅଛି।

ସେହି ମହାମାରୀ ଯୋଗୁଁ ଲୋକଙ୍କ ମୃତ୍ୟୁ କଥା ଅନବରତ ପ୍ରସାର ହେଉଥିଲା ଓ ମହାତ୍ମା ଗାନ୍ଧୀ ୨୩ ନଭେମ୍ବର ୧୯୧୮ରେ ହୀରାଲାଲ ଗାନ୍ଧୀଙ୍କୁ ଏକ ଚିଠିରେ ଲେଖିଥିଲେ, “ମୁଁ ଜାଣି ଦୁଃଖିତ ହେଲି ଯେ ତୁମର ପରିବାର ଇନଫ୍ଲୁଏନ୍‌ଜ଼ା ଦ୍ୱାରା ପୀଡ଼ିତ ହୋଇଥିଲା ଓ ଜଣକର ମଧ୍ୟ ମୃତ୍ୟୁ ଘଟିଥିଲା; କିନ୍ତୁ ଏହି ପ୍ରକାର ଖବର ସବୁ ସ୍ଥାନରୁ ଆସୁଛି ଓ ତାହାଦ୍ୱାରା ମନ ଆଉ ପ୍ରଭାବିତ ହେଉ ନାହିଁ ।”

ଦ୍ବିତୀୟ ପରିପ୍ରେକ୍ଷ ହେଲା ଲୋକମାନ୍ୟ ତିଲକଙ୍କ ୧୯୨୦ରେ ମୃତ୍ୟୁ ହେବା ପରେ ତାଙ୍କର ଦେଇଥିବା ଡାକରା “ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର” କୁ କାର୍ଯ୍ୟରେ ପରିଣତ କରି ଭାରତକୁ ଗୋଟିଏ ବର୍ଷ ମଧ୍ୟରେ ୧୯୨୧ ସୁଦ୍ଧା ସ୍ୱାଧୀନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି। ତିଲକ ସ୍ୱରାଜ ପାଣ୍ଠି ପାଇଁ ସମଗ୍ର ଭାରତରୁ ଏକ କୋଟି ଟଙ୍କା ସଂଗ୍ରହ କରି ଭାରତକୁ ଏକ ବର୍ଷ ମଧ୍ୟରେ ସ୍ୱାଧୀନ କରିବା ପାଇଁ ଗାନ୍ଧୀ ଭାରତର ସବୁ ପ୍ରାନ୍ତ ଗସ୍ତ କଲେ ଓ ଲୋକଙ୍କ ସହଯୋଗ ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇଲେ। ସେହି ସମୟରେ ସ୍ୱାଧୀନତାର ଅର୍ଥ ବୁଝାଇବା ପାଇଁ ସେ ଅମ୍ଳଜାନ ଶବ୍ଦକୁ ବ୍ୟବହାର କରି କହିଥିଲେ ଯେ ମଣିଷର ଜୀବନ ଯେମିତି ପରିବେଶରୁ ଅମ୍ଳଜାନ ନେଇ ନିଃଶ୍ୱାସପ୍ରଶ୍ୱାସ ନେଲେ ସ୍ୱତନ୍ତ୍ର ଓ ସ୍ୱାଧୀନ ହୋଇଥାଏ ତାହା ଅମ୍ଳଜାନ ପମ୍ପ ଉପରେ ନିର୍ଭର କଲେ ବିପନ୍ନ ହୋଇଥାଏ।

ସେମିତି ଗାନ୍ଧୀ କହିଲେ, ଭାରତର ସ୍ୱାଧୀନତା ହାସଲ କରି ଭାରତକୁ ବିଦେଶର ବଜାର ଉପରେ ନିର୍ଭର କରି ରଖିଲେ ତାର ସ୍ୱାଧୀନତା ବିପନ୍ନ ହେବ। ଅର୍ଥାତ୍‌ ମଣିଷ ଯେମିତି ନିଜ ଶକ୍ତି ବଳରେ ପରିବେଶରୁ ନିଃଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ପାଇଁ ଅମ୍ଳଜାନ ନିଏ ସେମିତି ଭାରତର ସ୍ୱାଧୀନତା ଅକ୍ଷୁଣ୍ଣ ରଖିବା ପାଇଁ ଦେଶକୁ ନିଜ ଶକ୍ତି ଉପରେ ନିର୍ଭର କରିବାକୁ ପଡିବ। ଗାନ୍ଧୀ ଏକଥା କହିବାର ଠିକ୍‌ ଶହେ ବର୍ଷ ପରେ ଭାରତରେ କୋଭିଡର ଦ୍ବିତୀୟ ଲହରୀରେ ଅମ୍ଳଜାନ ନପାଇ ଲୋକେ ମୃତ୍ୟୁବରଣ କଲେ ଓ ଏପ୍ରିଲରେ ଏକ ବିଦେଶୀ ପତ୍ରିକାରେ ଲେଖାର ଶୀର୍ଷକ ଥିଲା: “ଭାରତ ନିଃଶ୍ବାସପ୍ରଶ୍ୱାସ ନେବା ପାଇଁ ଧଇଁସଇଁ ହେଉଛି”।

ଏମିତି ବିପଦପୂର୍ଣ୍ଣ ଓ ଜୀବନ ମରଣ ପରିସ୍ଥିତରେ ମଧ୍ୟ କିଛି ନେତା ଭୟ ଓ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଆସନ୍ନ ମୃତ୍ୟୁମୁଖରେ ପକାଉଥାନ୍ତି। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ଯେ ତାଙ୍କ ପ୍ରଦେଶରେ ଅମ୍ଳଜାନ ଓ ହସ୍ପିଟାଲ ଶଯ୍ୟାର ଅଭାବ ନାହିଁ ଏବଂ ଯଦି ଏ ବିଷୟ ନେଇ କେହି ଲୋକଙ୍କୁ ବିଭ୍ରାନ୍ତ କରିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାହା ଏକ ଧମକପୂର୍ଣ୍ଣ ବୟାନ ଥିଲା। ସେହି ପ୍ରଦେଶରେ ଜଣେ ଲୋକ ଯେତେବେଳେ ଗୋଟିଏ ଟ୍ୱିଟ୍‌ କରି ଜଣାଇଲେ ଯେ ଅମ୍ଳଜାନ ସିଲିଣ୍ଡର ଦରକାର, ସେହି ଟ୍ୱିଟ୍‌କୁ ସେଠିକାର ପୁଲିସ ବିଭ୍ରାନ୍ତିକର ବୋଲି କହିଲା। ଏହିପରିଭାବେ ଜୋର ଜବରଦସ୍ତ କରି ଲୋକଙ୍କ ସ୍ୱରକୁ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦବାଇ ଦେଇ କୋଭିଡ୍‌ ମହାମାରୀର ପ୍ରତିକାର କରାଯାଇ ପାରିବ ନାହିଁ।

ମହାତ୍ମା ଗାନ୍ଧୀ ଯେମିତି ସ୍ୱାଧୀନତାର ଅର୍ଥ ଅମ୍ଳଜାନ ଶବ୍ଦକୁ ବ୍ୟବହାରକରି ବୁଝାଇଥିଲେ ସେମିତି ୨୮ ଡିସେମ୍ବର ୧୯୨୧ରେ କଂଗ୍ରେସର ଏକ ଅଧିବେଶନରେ ଭାଷଣ ଦେଇ କହିଥିଲେ ଯେ ‘ଅଭିବ୍ୟକ୍ତିର ସ୍ୱାଧୀନତା ଓ ସଂଗଠନ କରିବା ଅଧିକାର ଦୁଇଟି ଫୁସ୍‌ଫୁସ୍‌ ଯାହାକି ନିତାନ୍ତ ଆବଶ୍ୟକ ନିଃଶ୍ବାସପ୍ରଶ୍ୱାସ ପ୍ରକ୍ରିୟାରେ ଅମ୍ଳଜାନ ନେବା ପାଇଁ’। ସେ ଏକଥା କହିଥିଲେ ଯେତେବେଳେ ବ୍ରିଟିଶ ସରକାର ଲୋକଙ୍କର ଅଧିକାର ଉପରେ ଆକ୍ରମଣ କରୁଥିଲା। ଅଭିବ୍ୟକ୍ତିର ସ୍ୱାଧୀନତା ଯାହାକୁ ଗାନ୍ଧୀ ଏକ ଫୁସ୍‌ଫୁସ୍‌ ବୋଲି ବିଚାର କରିଥିଲେ ଓ ତାହା କିପରି ଅମ୍ଳଜାନ ନେବା ପାଇଁ ଅପରିହାର୍ଯ୍ୟ ବୋଲି ୧୯୨୧ରେ ଦର୍ଶାଇଥିଲେ, ସେହି ସ୍ୱାଧୀନତାର ପରିଧି ରାଜଦ୍ରୋହ ଓ ଅନ୍ୟ ଗୁରୁତର ଅଭିଯୋଗ ଦ୍ୱାରା ହ୍ରାସ ପାଇଛି।

ଏହି କୋଭିଡ୍‌ ମହାମାରୀର ଦ୍ବିତୀୟ ଲହରରେ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ କହିଥିଲେ ଯେ ସେ ଯଦି କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ତ୍ରୁଟି ଦେଖାଇବା ପାଇଁ ଅଧିକା କହିବେ, ତେବେ ତାଙ୍କ ଉପରେ ରାଜଦ୍ରୋହର ଅଭିଯୋଗ ଲଗାଇ ଦିଆଯିବ; ଅର୍ଥାତ୍‌ ତାଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚପାଇ ଦିଆଯିବ।

୧୯୧୮-୧୯୨୧ର ଇନଫ୍ଲୁଏନ୍‌ଜ଼ା ମହାମାରୀ ସମୟରେ ବ୍ରିଟିଶ ସରକାର ମଧ୍ୟ ଲୋକଙ୍କ ଯେଉଁ ସ୍ୱଳ୍ପ ଅଭିବ୍ୟକ୍ତିର ସ୍ୱାଧୀନତା ଥିଲା ତାକୁ ଦବାଇ ଦେଉଥିଲେ। ସେହି ସନ୍ଦର୍ଭରେ ଗାନ୍ଧୀ ଉପରୋକ୍ତ ୨୮ ଡିସେମ୍ବର ୧୯୨୧ ଭାଷଣରେ ସତର୍କ କରାଇଦେଇଥିଲେ ଯେ ଯେଉଁ ଅଧିକାରୀ ଅଭିବ୍ୟକ୍ତିର ସ୍ୱାଧୀନତା ଛଡାଇନେବ ସେହି ଅଧିକାରୀର ପତନ ଅବଶ୍ୟମ୍ଭାବୀ। ଗାନ୍ଧୀଙ୍କ ସେହି ଉକ୍ତି ୨୦୨୧ରେ ଭାରତ ପାଇଁ ପ୍ରଯୁଜ୍ୟ, କାରଣ ବର୍ତ୍ତମାନ ଭାରତରେ ବିଭିନ୍ନ ଗୁରୁତର ଅଭିଯୋଗ ଲଗାଇ ଅଧିକାରୀମାନେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆକ୍ରମଣ କରୁଛନ୍ତି ଓ ତଦ୍ଦ୍ବାରା ସେହି ସ୍ୱାଧୀନତା ଯାହାକି ଏକ ଫୁସ୍‌ଫୁସ୍‌ ଭାବେ କାର୍ଯ୍ୟ କରି ଅମ୍ଳଜାନ ଦେହରେ ପ୍ରସାରଣ କରେ, ତାକୁ ଦୁର୍ବଳ କରି ଦିଆଯାଉଛି।

ଏହା ଏକ ଶିକ୍ଷଣୀୟ ବିଷୟ ଯେ ମହାତ୍ମା ଗାନ୍ଧୀ ୧୯୩୧ ମସିହାରେ ଗୋଲ ଟେବୁଲ ବୈଠକରେ ଅଂଶ ଗ୍ରହଣ କରି ଅମ୍ଳଜାନ କଥା ଏକ ଭିନ୍ନ ପରିପ୍ରେକ୍ଷୀରେ କହିଥିଲେ। ଯେତେବେଳେ ସେହି ବୈଠକରେ ଜଣେ ବ୍ରିଟିଶ କର୍ମଚାରୀ ପ୍ରସ୍ତାବ ଦେଲେ ଯେ ବ୍ରିଟିଶ ଶାସନ ରାଜ୍ୟମାନଙ୍କୁ ସ୍ୱାୟତ୍ତତା ଦିଆଯିବ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସବୁ ବ୍ରିଟିଶ ସରକାରଙ୍କ ପାଖରେ ରହିବ, ଗାନ୍ଧୀ କହିଲେ ଯେ ସେମିତି କରିବା ଅର୍ଥ ଜଣେ ଡାକ୍ତର ଅମ୍ଳଜାନ ସିଲିଣ୍ଡର ଧରି ଗୋଟିଏ ମୃତ ଶରୀରକୁ ଅମ୍ଳଜାନ ଦେବା ଭଳି ହେବ। ସେ ସତର୍କ କରାଇ କହିଲେ ଯେ ସେମିତି ପରିସ୍ଥିତିରେ ଅମ୍ଳଜାନ ସିଲିଣ୍ଡର କୌଣସି କାର୍ଯ୍ୟରେ ଆସିବ ନାହିଁ ଓ ଆଶଙ୍କା କଲେ ଯେ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ବଢ଼ିବଢି ଚାଲିବ; କିନ୍ତୁ ସେ ଏ କଥା ବି କହିଥିଲେ ଯେ ବ୍ରିଟିଶ ସରକାରର ଯେତେ ଅତ୍ୟାଚାର ବଢିବ ସେହି ଅତ୍ୟାଚାର ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ, ସ୍ୱାଧୀନତା ପ୍ରାପ୍ତି ପାଇଁ ଅମ୍ଳଜାନ ଭଳି କାମ କରିବ। ବାସ୍ତବରେ ଅତ୍ୟାଚାର କେବେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦବାଇ ଦେଇ ପାରିନଥିଲା।

ତେଣୁ କୋଭିଡ ମହାମାରୀ ସମୟରେ ଅମ୍ଳଜାନ ପାଇଁ ଲୋକଙ୍କ ଆକୁଳ ନିବେଦନକୁ ଗ୍ରହଣ ନ କରି ଯଦି ଉତ୍ତର ପ୍ରଦେଶରେ ପୁଲିସ ତାକୁ ବିଭ୍ରାନ୍ତିକର ପ୍ରଚାର ଆଖ୍ୟା ଦେଇ କାର୍ଯ୍ୟାନୁଷ୍ଠାନ କଲା ତେବେ ତାହା ଲୋକଙ୍କୁ ଭୟଭୀତ କରି ସବୁବେଳେ ରଖିପାରିବ ନାହିଁ। ଗାନ୍ଧୀଙ୍କ ଭାଷାରେ ସେମିତି ପରିସ୍ଥିତରେ ଅତ୍ୟାଚାର ଅମ୍ଳଜାନ ଭଳି କାମ କରିବ ଓ ଲୋକେ ତାଙ୍କର ସଂଘର୍ଷ ଜାରି ରଖିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories