www.samajalive.in
Sunday, December 14, 2025
16.1 C
Bhubaneswar

ଆଗକୁ ମେଘର ରାଜତ୍ବ!

ପ୍ରବନ୍ଧ ଲେଖା ହେବା ବେଳକୁ ଓଡ଼ିଶାରେ ମୌସୁମି ପହଞ୍ଚି ସାରିଛି। ପାଣିପାଗ ବିଶେଷଜ୍ଞଙ୍କ ମତ, ଯଦିଓ ଏ ବର୍ଷ କେରଳକୁ ମୌସୁମି ଦୁଇ ଦିନ ବିଳମ୍ବରେ ଆସିଛି, ତଥାପି ମୌସୁମିର ମିଜାଜ ଭଲ ଅଛି। ଭାରତ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମିର ଗୁରୁତ୍ବ ସର୍ବାଧିକ, କାରଣ ଆମେ ପାଉଥିବା ୭୦ ପ୍ରତିଶତ ବାର୍ଷିକ ବୃଷ୍ଟିପାତ ମୌସୁମି ପ୍ରଭାବରେ ହିଁ ସମ୍ଭବ ହୋଇଥାଏ। ଆଶା କରାଯାଉ, ଏ ବର୍ଷ ଅନାବୃଷ୍ଟି ନ ଆସୁ, ଫସଲହାନି ନ ହେଉ; କିନ୍ତୁ ଏ ସବୁ ସହିତ ଆଉ ଏକ ଆଶା ବି ପୋଷଣ କରାଯାଉ: ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ କ୍ରମଶଃ ଅନିୟମିତ ହେଉଥିବା ମୌସୁମି ଯେମିତି କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟି ତଥା ବନ୍ୟା ବିତ୍ପାତର କାରଣ ନ ହେଉ।

ନିକଟରେ ପ୍ରକାଶିତ ଏକ ଅଧ୍ୟୟନ (ସାଇନ୍ସ ଆଡଭାନସେସ/ ୪ ଜୁନ ୨୦୨୧) ଦର୍ଶାଇଛି, ଆଗକୁ ଦକ୍ଷିଣ ଏସିଆ, ବିଶେଷ କରି ଭାରତୀୟ ଉପ-ମହାଦେଶରେ ମୌସୁମି ବର୍ଷା ବଢିବ। ଷ୍ଟିଭେନ୍ସ ସି କ୍ଲିମେକ୍ସ ଏବଂ ତାଙ୍କର ସତୀର୍ଥମାନେ କରିଥିବା ଏହି ଗୁରୁତ୍ବପୂର୍ଣ୍ଣ ଅଧ୍ୟୟନରୁ ଜଣାପଡିଛି, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ଏବଂ ଦକ୍ଷିଣ ଗୋଲାର୍ଦ୍ଧରୁ ଅଧିକ ଜଳୀୟବାଷ୍ପ ଆହରଣ ଆଗାମୀ ବର୍ଷଗୁଡ଼ିକରେ ମୌସୁମି ବୃଷ୍ଟିପାତକୁ ତୀବ୍ର କରିବ। ସମ୍ଭାବନା ଅଧିକ, ଯଦି ବିଶ୍ବ ଉତ୍ତପ୍ତୀକରଣ ଉପରେ ନିର୍ଣ୍ଣାୟକ ନିୟନ୍ତ୍ରଣ ନ ଆସେ, ତେବେ ଆଗକୁ ଏହା ଜାରି ରହିବ। ଗବେଷକମାନେ ଗତ ୯ ଲକ୍ଷ ବର୍ଷର ତଥ୍ୟ ଅନୁଶୀଳନ କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି, ଯାହା ଭିତରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରୁ ଜଳୀୟବାଷ୍ପ ଆହରଣ ସହିତ ମହାଦେଶୀୟ ବରଫ ସ୍ତର ବା କଣ୍ଟିନେଣ୍ଟାଲ ଆଇସ୍ ଭଲ୍ୟୁମ୍‌ର ସମ୍ପର୍କ ରହିଛି।

- Advertisement -

ସେମାନେ ଏ କଥା ମଧ୍ୟ କହିଛନ୍ତି, ବେଶ୍ କେତେ ବର୍ଷ ଧରି ଆମ ଅଲକ୍ଷ୍ୟରେ ଏହା ଘଟି ଆସୁଛି। ବିଶ୍ଳେଷଣରୁ ଜଣାପଡିଛି, ଅତୀତରେ ମୌସୁମି ବୃଷ୍ଟିପାତର ତୀବ୍ରତା ବଢିବା ଅଙ୍ଗାରକାମ୍ଳ ସ୍ତର ସହିତ ଯୋଡି ହୋଇ ରହିଛି। ଏବେ ସ୍ଥିତି ଅଧିକ ସ୍ପର୍ଶକାତର ମନେହେଉଛି। ଦକ୍ଷିଣ ଏସୀୟ ମୌସୁମି ଯେଉଁ ଅଞ୍ଚଳ ସହିତ ସଂଯୁକ୍ତ ସେହି ଅଞ୍ଚଳରେ ରହନ୍ତି ପୃଥିବୀ ଜନ ସଂଖ୍ୟାର ଏକ ପଞ୍ଚମାଂଶ। ତେଣୁ ସମ୍ପୃକ୍ତ ଅଞ୍ଚଳରେ ପାଣିପାଗ/ପର୍ଯ୍ୟାବରଣର ଧାରାବାହିକ ଅସନ୍ତୁଳନ ଚିନ୍ତାର କାରଣ। ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପ ବୃଦ୍ଧି କେବଳ ଯେ ଏହି ଅଞ୍ଚଳରେ ଘଟିଛି ବା ଘଟୁଛି ତାହା ନୁହେଁ, ତେବେ କଥା ହେଉଛି ପୃଥିବୀ ଅର୍ଥନୀତିରେ ନିର୍ଦିଷ୍ଟ ଭୌଗୋଳିକ ଅଞ୍ଚଳର ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଦକ୍ଷିଣ–ପଶ୍ଚିମ ମୌସୁମି ପୃଥିବୀର ଜଳ ଜଳବାୟୁର (ହାଇଡ୍ରୋ କ୍ଳାଇମେଟ) ସବୁଠୁ ପ୍ରଭାବୀ ପ୍ରତିଫଳନ। କ୍ଲିମେନ୍ସ କହନ୍ତି, ଭଲ ବର୍ଷା ହେବା ବା ସାମାନ୍ୟ ଅଧିକ ବର୍ଷା ହେବା କ୍ଷତିକାରକ ନ ହୋଇପାରେ, ତେବେ ଭାରସାମ୍ୟ ହରାଇ ପର୍ଯ୍ୟାବରଣ ବିକ୍ଷୁବ୍ଧ ହୋଇ ସାରିଥିବାବେଳେ ଯଦି ମୌସୁମି କିଛି ଅଞ୍ଚଳରେ ଅତ୍ୟଧିକ ସକ୍ରିୟ ହୁଏ, ଅର୍ଥାତ୍ ପାଣିପାଗ ପ୍ରଭାବରେ ଯଦି ଲଗାଣ ବର୍ଷା ହୁଏ ଓ ବନ୍ୟା ଆସେ ତେବେ ଉଭୟ କୃଷି ଏବଂ ଜନଜୀବନ କ୍ଷତିଗ୍ରସ୍ତ ହେବ।

ପାଠକଙ୍କ ନିମନ୍ତେ ସ୍ପଷ୍ଟ କରୁଛି, କ୍ଲିମେନ୍ସ ଏବଂ ତାଙ୍କର ଟିମ୍ ବେଶ୍ କେତେ ବର୍ଷ ଧରି ଏହି ଅଧ୍ୟୟନ ଜାରି ରଖିଥିଲେ। ନଭେମ୍ବର ୨୦୧୪ରେ ବଙ୍ଗୋପସାଗରର ସମୁଦ୍ର ଚଟାଣରୁ ନମୁନା ସଂଗ୍ରହ କରଯାଇଥିଲା, ଯେଉଁ ନମୁନା ନିୟୁତ ନିୟୁତ ବର୍ଷର ମୌସୁମି ରେକର୍ଡ। ପ୍ରତ୍ୟେକ ବର୍ଷ ଭାରତୀୟ ଉପମହାଦେଶରେ ମୌସୁମି ବର୍ଷାଜଳର ଏକ ଅଂଶ ବଙ୍ଗୋପସାଗରକୁ ବୋହି ଯାଇଥାଏ। ଏହି ପ୍ରବାହ ବଙ୍ଗୋପସାଗରରେ ଆସ୍ତରଣ ସୃଷ୍ଟି କରେ ଯାହା ସମୁଦ୍ର ଜଳର ଲବଣତ୍ବକୁ ହ୍ରାସ କରିବାରୁ କମ୍ ଲବଣାକ୍ତ ପାଣି ଉପରେ ରହେ ଏବଂ ଅଧିକ ଲୁଣିଆ ପାଣି ତଳକୁ ଚାଲିଯାଏ। ହାଲୁକା ଅର୍ଥାତ୍ କମ୍ ଲବଣାକ୍ତ ପାଣି ‘ପ୍ଲାଙ୍କଟନ’ ଓ ଅନ୍ୟାନ୍ୟ ସୂକ୍ଷ୍ମ ଜୀବଙ୍କ ବସତିରେ ପରିଣତ ହୁଏ। ସେମାନେ ଏଥିରୁ ଆବଶ୍ୟକୀୟ ପୋଷକତତ୍ତ୍ବ ଗ୍ରହଣ କରନ୍ତି ଯାହା (କ୍ୟାଲସିୟମ) ଉପଯୋଗ କରି ସେମାନଙ୍କ ସେଲ୍(ଖୋଳପା ପରି ବାହ୍ୟ ଆସ୍ତରଣ) ନିର୍ମାଣରେ ବ୍ୟବହୃତ ହୁଏ।

ଯେତେବେଳେ ଏହି ଜୀବମାନେ ପ୍ରାକୃତିକ ଚକ୍ରରେ ମୃତ୍ୟୁର ସମ୍ମୁଖୀନ ହୁଅନ୍ତି ସେମାନଙ୍କ ଅବଶେଷ (ଖୋଳପା) ଅଧିକ ଲବଣାକ୍ତ ଜଳସ୍ତରକୁ ଖସିଯାଏ। ଗବେଷକମାନେ ସେହି ଆସ୍ତରଣରୁ ନମୁନା ସଂଗ୍ରହ କରିଛନ୍ତି ଏବଂ ଜୀବାଶ୍ମ ଅନୁଶୀଳନ ପରେ ସମୟ କ୍ରମେ ମୌସୁମି ବୃଷ୍ଟିପାତର ଚରିତ୍ର କେମିତି ବଦଳିଛି, ସେ ସମ୍ପର୍କରେ ଜାଣିବାକୁ ସକ୍ଷମ ହୋଇଛନ୍ତି। ଏହା ବାଦ୍ ସେମାନେ ବିଶ୍ଳେଷଣକୁ ନେଇଛନ୍ତି ସମୁଦ୍ରକୁ ବୋହିଆସୁଥିବା ଉଦ୍ଭିଦମାନଙ୍କ ଅବଶେଷକୁ। ଉଦ୍ଭିଦ ଭିନ୍ନତା/ବିବିଧତା ବିଭିନ୍ନ ସମୟରେ କେମିତି ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ପ୍ରକୃତିରେ କିଛି ବି ସମ୍ପୂର୍ଣ୍ଣ ବିଲୋପ ହୁଏ ନାହିଁ। ଯାହା ଆପାତତଃ ଅନ୍ତ ହୋଇଗଲା ଭଳି ଆମେ ଧରି ନେଉ, ସେ ସମସ୍ତର ଶରୀର ଓ ବ୍ୟବହାର ଯାହା ପରିବର୍ତ୍ତିତ ହେଉଥାଏ। କ୍ଲିମେନ୍ସ ଏବଂ ତାଙ୍କର ସହଯୋଗୀମାନେ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ପୋଷଣ କରିବା ପୂର୍ବରୁ ଜୀବାଶ୍ମ ଅଧ୍ୟୟନ, ଅଙ୍ଗାର ଏବଂ ଉଦ୍‌ଜାନ ‘ଆଇସୋଟୋପ’ର ନିର୍ମାଣକୁ ଭେଦିବା ପାଇଁ ଚେଷ୍ଟା କରିଛନ୍ତି। (କୌଣସି ମୌଳିକ ଉପାଦାନର ଦୁଇ ବା ଅଧିକ ରୂପ ଯେଉଁଗୁଡିକର ପରମାଣବିକ ଗୁରୁତ୍ବ ଓ ନାଭିକୀୟ ଗୁଣ ଭିନ୍ନ ହେଲେ ବି ରାସାୟନିକ ଗୁଣ ସମାନ) ଗଭୀର ସମୁଦ୍ର ଚଟାଣର ପ୍ରସ୍ତପ୍ରସ୍ତ ଆସ୍ତରଣ ଭିତରୁ ମୌସୁମି ଇତିହାସର ପୁନର୍ବିନ୍ୟାସ କରିବା କିଛି କମ୍ କଥା ନୁହେଁ।

କ୍ଲିମେନ୍ସ କହିଛନ୍ତି, ମୌସୁମିର ଦୀର୍ଘ ଇତିହାସ ନେଇ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ଥିଲା। କ’ଣ ସବୁ ବାହ୍ୟ କାରଣ ହୋଇ ପାରନ୍ତି ଯାହା ଦୀର୍ଘ ଅବଧି ଧରି ମୌସୁମିକୁ ପ୍ରଭାବିତ କରିବ: ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ, ସୌର ବିକିରଣ ନା ଏସବୁ ବାଦ୍ ଆଉ କିଛି ଆଭ୍ୟନ୍ତରୀଣ କାରଣ ଯାହା ଜଳବାୟୁ ବ୍ୟବସ୍ଥାକୁ ପ୍ରଭାବିତ କରୁଛି, ଯଥା- ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା, ଭୂଭାଗରେ ପ୍ରାକୃତିକ ଭାବରେ ସୃଷ୍ଟି ହେଉଥିବା ବରଫର ପରିମାଣ ଏବଂ ଜଳୀୟବାଷ୍ପ ପରିବହନ କରୁଥିବା ବାୟୁସ୍ରୋତ। ଅଧ୍ୟୟନରୁ ଜଣାପଡିଛି, ଯେଉଁ ସମୟରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ମାତ୍ରା ଯଥେଷ୍ଟ ଅଧିକ ହୋଇଛି ଏବଂ ବରଫର ପରିମାଣ କମିଛି, ସେତେବେଳେ ମୌସୁମି ଦକ୍ଷିଣ ଏସିଆରେ ତୀବ୍ର ଅନୁଭୂତ ହୋଇଛି। ସେମାନଙ୍କର ନମୁନା ଅନ୍ତତଃ ଏତିକି ପ୍ରମାଣିତ କରୁଛି ଯେ ଆଗକୁ ଉତ୍ତପ୍ତୀକରଣ ଏବଂ ପର୍ଯ୍ୟାପ୍ତ ଜଳୀୟ ବାଷ୍ପର ଉପସ୍ଥିତି ଭାରତୀୟ ଉପମହାଦେଶରେ ଅଧିକ ବୃଷ୍ଟିପାତକୁ ପ୍ରୋତ୍ସାହିତ କରିବ।

ପାଠକମାନଙ୍କୁ ଏଇଠି ସୂଚାଇ ଦିଏ ଯେ ଗତ ବର୍ଷ ‘ନେଚର’ରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନ (ମୋଡୁଲେସନ ଅଫ୍‌ ଇଣ୍ଡିଆନ ମନସୁନ) ଇଙ୍ଗିତ କରିଥିଲା, ଭାରତୀୟ ଉପମହାଦେଶରେ ତାପମାତ୍ରା ବୃଦ୍ଧି ଏବଂ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରାଧିକ ଉପସ୍ଥିତି ଆସନ୍ତା ୧୦୦ ବର୍ଷ ମଧ୍ୟରେ ବୃଷ୍ଟିପାତକୁ ତୀବ୍ର କରିବ। ଉଲ୍ଲେଖ ଥିଲା, ୨୨୦୦୦ ବର୍ଷ ଆଗରୁ ମୌସୁମି ବୃଷ୍ଟିପାତ ଦୈନିକ ହାରାହାରି ୩.୩ ମିଲିମିଟର ଥିବାବେଳେ ୧୪୦୦୦ ବର୍ଷ ତଳେ ତାହା ୬.୬ ମି.ମି. ଥିଲା ଏବଂ ବିଂଶ ଶତାବ୍ଦୀରେ ଏହା ସାମାନ୍ୟ ହ୍ରାସ ପାଇ ଦୈନିକ ୬ ମି.ମି ଥିଲା। ଏକଥା ମଧ୍ୟ କୁହାଯାଇଥିଲା: ଏକ ସରଳ ଜଳବାୟୁ ନମୁନା ଅନୁସାରେ ପ୍ରଥମ ଥର ପାଇଁ ଜଳୀୟବାଷ୍ପ ଏବଂ ମେଘର ଭୂମିକା ସୌର ବିକିରଣର ତୀବ୍ରତା ବୃଦ୍ଧିରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନେଉଛି ଏବଂ ବୃଷ୍ଟିପାତ ବୃଦ୍ଧିର କାରଣ ପାଲଟିଛି ବୋଲି ଜଣାପଡିଛି। ଅଙ୍ଗାରକାମ୍ଳ ବୃଦ୍ଧିର ଅନ୍ୟତମ ମୁଖ୍ୟ କାରଣ ହେଉଛି ମନୁଷ୍ୟକୃତ କାର୍ଯ୍ୟକଳାପ, ଯାହା ଜଳୀୟବାଷ୍ପ ବୃଦ୍ଧିର ମଧ୍ୟ କାରଣ।

ବିଶେଷଜ୍ଞମାନଙ୍କ ଆକଳନ, ପ୍ୟାରିସ ରାଜିନାମା ମୁତାବକ ଯଦି ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲସିୟସରେ ସୀମିତ କରା ନ ଯାଏ, ତେବେ ମୌସୁମି ବର୍ଷା ୨୧୦୦ ସୁଦ୍ଧା ୨୪ ପ୍ରତିଶତ ତୀବ୍ର ହେବ। ଭାରତର ଏକ ବୃହତ୍ ଅଞ୍ଚଳରେ ଜଳବାୟୁ ଶରଣାର୍ଥୀଙ୍କ ସଂଖ୍ୟା ବଢିବ। କିଛି ଅଞ୍ଚଳରେ ଦୀର୍ଘ ସମୟ ଧରି ଶୁଖିଲା ପାଗ ହେବ, ତା’ ସହିତ ଆଉ କିଛି ଜାଗାରେ ଅତ୍ୟଧିକ ବର୍ଷା ବନ୍ୟା ଏବଂ ବ୍ୟାପକ ଫସଲ ହାନିର କାରଣ ପାଲଟିବ। ପାଣିପାଗରେ ବ୍ୟତିକ୍ରମ ଭାରତରେ ଆରମ୍ଭ ହୋଇସାରିଛି। ୧୯୫୦ରୁ ୨୦୧୫ ମଧ୍ୟରେ ମଧ୍ୟଭାରତରେ ଅତ୍ୟଧିକ ବର୍ଷା ୩ ଗୁଣ ବଢିଛି। ଯଦିଓ ଦେଶରେ ଶେଷ ୧୦୦ ବର୍ଷ ଭିତରେ ମୋଟ ବୃଷ୍ଟିପାତ ହାର ଖୁବ ଅଧିକ ବଦଳି ନାହିଁ (୧୯୦୧:୧୦୩୦.୮ ମି.ମି., ୧୯୨୧:୧୨୨୫ ମି.ମି., ୧୯୩୧:୧୨୯୨.୮ ମି.ମି., ୧୯୬୧:୧୩୯୯.୨ ମି.ମି. ଓ ୨୦୧୧:୧୧୧୬.୩ ମି.ମି.) ତଥାପି ସ୍ବୀକାର କରିବାକୁ ପଡିବ, ଉପମହାଦେଶରେ ମୌସୁମିର ଚରିତ୍ର ନିଶ୍ଚିତ ବଦଳିଛି। ଏଣେ ତମାମ ପୃଥିବୀରେ ବୃଷ୍ଟିପାତ ଅସ୍ବାଭାବିକ ହେବାରେ ଲାଗିଛି। ଯଦିଓ ମୋଟାମୋଟି ବର୍ଷାଦିନ ସଂଖ୍ୟା କମୁଛି; କିନ୍ତୁ କମ୍ ଦିନରେ ଅଧିକ ବର୍ଷା ହେଉଛି। ପର୍ଯ୍ୟାବରଣ ଅସନ୍ତୁଳନ କାରଣରୁ ପୃଥିବୀ ପାଉଥିବା ବାର୍ଷିକ ବୃଷ୍ଟିପାତର ୫୦ ପ୍ରତିଶତ କେବଳ ୧୧ ଦିନରେ ସମ୍ଭବ ହେଉଛି। ଏବର୍ଷ ପାଇଁ ମୌସୁମି ବର୍ଷାକୁ ନେଇ ଆକଳନ ଭଲ ଅଛି। ଆପଣ ମେଘବନ୍ଦନା କରି ନ ପାରନ୍ତି, ମେଘମହ୍ଲାରର ଆବଶ୍ୟକତା ନ ପଡିପାରେ; କିନ୍ତୁ ପ୍ରକୃତିର ଏକ ବିକ୍ଷୁବ୍ଧ ଆବର୍ତ୍ତ ଭିତରକୁ ଆପଣ ଯେ ଚାଲି ଆସିଛନ୍ତି ଏକଥା ତ ସ୍ବୀକାର କରିବାକୁ ପଡିବ!

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories