ଟୋକିଓ ଅଲିମ୍ପିକ୍‌ସ: ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ -୨୦୨୦ରେ ଭାରତରୁ ୧୦୦ରୁ ଉର୍ଦ୍ଧ୍ବ ଆଥ୍‌ଲେଟ୍‌ଙ୍କ ସହ ୧୯୦ଜଣିଆ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଭାରତୀୟ ଅଲିମ୍ପିକ୍‌ସ ସଂଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଛନ୍ତି। ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଟୋକିଓ ଅଲିମ୍ପିକ୍‌ସ ଲାଗି ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ ଅବସରରେ ବାତ୍ରା କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍‌ସ ଲାଗି ୧୦୦ଜଣ ଆଥ୍‌ଲେଟ୍‌ ଏବେ ସୁଦ୍ଧା ଯୋଗ୍ୟତା ହାସଲ କରିଛନ୍ତି। ଆଗକୁ ଆଉ ୨୫ରୁ ୩୫ଜଣ ଆଥ୍‌ଲେଟ୍‌ ଯୋଗ୍ୟତା ହାସଲ କରିବାର ସମ୍ଭାବନା ରହିଛି। ଖେଳାଳିଙ୍କ ସଂଖ୍ୟା ତୁଳନାରେ ଅଫିସିଆଲ କର୍ମକର୍ତ୍ତାଙ୍କ ସଂଖ୍ୟା କମ୍‌ ରହିବ। ଅଲିମ୍ପିକ୍‌ସ ନିୟମ ଅନୁଯାୟୀ ୧୦୦ଜଣରେ ୩୦ଜଣ ଅଫିସିଆଲଙ୍କ ଆଗମନ ହେବ।

ଏଥିପାଇଁ ମଧ୍ୟ ଭାରତୀୟ ଅଲିମ୍ପିକ୍‌ସ ସଂଘ ପ୍ରସ୍ତୁତ ରହିଛି। ଦଳଗତ ଅଫିସିଆଲଙ୍କ ବ୍ୟତୀତ ଅତିରିକ୍ତ ଅଫିସିଆଲଙ୍କୁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବନି ବୋଲି ବାତ୍ରା କହିଛନ୍ତି। ୨୦୧୨ ଲଣ୍ଡନ ଅଲମ୍ପିକ୍‌ସରେ ଭାରତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ବିଜୟୀ ହୋଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଭାରତର ଅଲମ୍ପିକ୍‌ସରେ ଶ୍ରେଷ୍ଠ ସଫଳତା ରହିଛି। ଟୋକିଓ ଅଲମ୍ପିକ୍‌ସରେ ଉକ୍ତ ରେକର୍ଡକୁ ଭାରତ ଅତିକ୍ରମ କରିବ ବୋଲି ବାତ୍ରା କହିଛନ୍ତି।

Comments are closed.