www.samajalive.in
Sunday, December 7, 2025
23.1 C
Bhubaneswar

ଆରମ୍ଭ ହେଲା ‘ଆୟୁଷ କୋଭିଡ-୧୯’ ପରାମର୍ଶ ହେଲ୍ପଲାଇନ

ନୂଆଦିଲ୍ଲୀ : କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ନିମନ୍ତେ ଏକ ସମର୍ପିତ ପରାମର୍ଶ ହେଲ୍ପଲାଇନ ‘ଆୟୁଷ କୋଭିଡ-୧୯’ ନାମରେ କାର୍ୟ୍ୟକ୍ଷମ ହୋଇଛି । ‘ଆୟୁଷ’ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଚିକିତ୍ସାଭିତ୍ତିରେ କରୋନା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ନିଶୁଳ୍କ ୧୪୪୪୩ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏହା ସପ୍ତାହର ସାତଦିନ ଯାକ ସକାଳ ୬ଟା ଠାରୁ ରାତି ୧୨ଟା ପର୍ୟ୍ୟନ୍ତ କାମ କରିବ। ଏହି ନମ୍ବରରେ ଆୟୁର୍ବେଦ, ହୋମିଓପାଥି, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ ଏବଂ ସିଦ୍ଧ ପଦ୍ଧତିର ଚିକିତ୍ସା ବିଶାରଦମାନେ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହ ପରାମର୍ଶ ଦେବେ। ଏଥି ସହିତ ରୋଗର ଉପଚାର ଏବଂ ରୋଗୀର ନିକଟତମ ଆୟୁଷ ଚିକିତ୍ସାଳୟ ସମ୍ପର୍କରେ ମଧ୍ୟ ସୂଚନା ଦେବେ। ରୋଗୀମାନେ କରୋନା ରୋଗରୁ ଆରୋଗ୍ୟଲାଭ କରିବା ପରେ ସେମାନଙ୍କ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଓ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେବେ। ବର୍ତ୍ତମାନ କଥୋପକଥନ ମାଧ୍ୟମରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏହି ସେବା ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ଏହି ସେବା ଉପଲବ୍ଧ ହେବ। ବର୍ତ୍ତମାନ ଏକକାଳୀନ ୧୦୦ଜଣଙ୍କ ସହିତ କଥାବାର୍ତ୍ତା ହୋଇପାରିବାର ବ୍ୟବସ୍ଥା ହୋଇଛି। ଭବିଷ୍ୟତରେ ଏହି କ୍ଷମତାକୁ ବୃଦ୍ଧି କରାଯିବ ।
ଆୟୁଷ ମନ୍ତ୍ରଣାଳୟ କରୋନାର ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରୋଜେକ୍ଟ ଷ୍ଟେପ୍ ୱାନ ନାମକ ଏକ ବେସରକାରୀ ସଂଗଠନର ସହାୟତାରେ ଏହି ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆୟୁଷ ଚିକିତ୍ସା ପଦ୍ଧତିରେ ଥିବା ଚିକିତ୍ସା ପ୍ରଣାଳୀଗୁଡିକ ସମଗ୍ର ଦେଶରେ ଆଦୃତ ଏବଂ ରୋଗୀର ଚିକିତ୍ସା ଓ ସୁସ୍ଥ ରହିବାର ବ୍ୟବସ୍ଥାର ସର୍ବ ପୁରାତନ ପ୍ରଚଳିତ ପଦ୍ଧତି।
ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତିଗୁଡିକର ସ୍ୱତନ୍ତ୍ର୍ୟେ ରହିଛି । ତେଣୁ ଏହି ମହାମାରୀ ସମୟରେ ଏଗୁଡିକ ବେଶ୍ ଲୋକପ୍ରିୟ ହୋଇଛି। କରୋନା ଚିକିତ୍ସା କ୍ଷେତ୍ରରେ ଏହି ପଦ୍ଧତିଗୁଡିକ ଉପାଦେୟ, ପ୍ରଭାବଶାଳୀ, ନିରାପଦ, ସୁବିଧାଜନକ, ସହଜଲବ୍ଧ ଏବଂ ଅଳ୍ପ ଖର୍ଚ୍ଚରେ ପ୍ରୟୋଗ କରିହେବ। ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମଣ କ୍ଷେତ୍ରରେ ବନୌଷଧିରୁ ପ୍ରସ୍ତୁତ ଆୟୁଷ-୬୪ ନାମକ ଆୟୁର୍ବେଦ ଔଷଧ ଏବଂ କବାସୁରକୁଦିନୀର୍ ନାମକ ସିଦ୍ଧ ପଦ୍ଧତିର ଔଷଧ ଅତ୍ୟନ୍ତ ଉପାଦେୟ ଓ ପ୍ରଭାବଶାଳୀ ଥିବା ଦେଖାଯାଇଛି। ସାଧାରଣଲୋକଙ୍କ ଉପକାର ଉଦ୍ଦେଶ୍ୟରେ ଆୟୁଷ ମନ୍ତ୍ରଣାଳୟ ଏହି ଔଷଧ ଦୁଇଟିର ବ୍ୟାପକ ପ୍ରଚାର କରୁଛି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories