ନୂଆଦିଲ୍ଲୀ: ବିଶ୍ୱର ସୁପ୍ରସିଦ୍ଧ ବନ୍ୟପ୍ରାଣୀ ଗବେଷକ ଏବଂ ପ୍ରକୃତିପ୍ରେମୀ ସାର୍ ଡେଭିଡ ଆଟେନବର୍ଗ ପୃଥିବୀ ପାଇଁ ଆହୁରି ଜଟିଳ ସମସ୍ୟା ଆସୁଥିବା ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ପାଞ୍ଚରୁ ଦଶବର୍ଷ ମଧ୍ୟରେ କୋଭିଡ-୧୯ ମହାମାରୀ ଠାରୁ ମଧ୍ୟ ବୃହତ୍ତର ସମସ୍ୟା ଆସୁଛି। ବିଶ୍ୱର ସମସ୍ତ ରାଷ୍ଟ୍ର ଜଳବାୟୁ ପ୍ରସଙ୍ଗକୁ ଅଗ୍ରାଧିକାର ଦେଇ ସେ ଦିଗରେ ଆଗାମୀ ଛଅମାସ ମଧ୍ୟରେ ପଦକ୍ଷେପ ନେବାକୁ ଆଟେନବର୍ଗ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି୨୬)ର ପିପୁଲ୍ସ ଆଡଭୋକେଟ ଭାବରେ ରାଷ୍ଟ୍ରଗୁଡିକୁ ଏଥିପାଇଁ ପ୍ରେରିତ କରିବା ଦାୟିତ୍ୱ ଆଟେନବର୍ଗଙ୍କୁ ଦିଆଯାଇଛି। ଏହି ସମ୍ମିଳନୀ ଆଗାମୀ ନଭେମ୍ବର ମାସରେ ଗ୍ଲାସଗୋଠାରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ ଏହି ସମ୍ମିଳନୀରେ ଆନ୍ତର୍ଜାତିକ ରାଜିନାମା କରିବାଠାରୁ ଆଉ ଭଲ ସୁଯୋଗ ମିଳିବ ନାହିଁ। ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲସିୟସରୁ କମ୍ ରଖିବା ନିମନ୍ତେ ୨୦୧୫ରେ ସ୍ୱାକ୍ଷରିତ ପ୍ୟାରିସ ରାଜିନାମା ପରବର୍ତ୍ତୀ ସମୟରେ ସିଓପି୨୬କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଶିଖର ସମ୍ମିଳନୀ ଭାବରେ ବିବେଚନା କରାଯାଉଛି। ଏଭଳି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଷ୍ଟ୍ରଗୁଡିକ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହେବା କେତେ ଗୁରୁତ୍ୱପୂର୍ଣ୍ଣ ତାହା କୋଭିଡ ମହାମାରୀ ଆମକୁ ଦେଖାଇ ଦେଇଛି ବୋଲି ଆଟେନବର୍ଗ କହିଛନ୍ତି। ଆଗକୁ ୫ରୁ ୧୦ ବର୍ଷ ମଧ୍ୟରେ ଆହୁରି ଜଟିଳ ସମସ୍ୟା ଆସିବାକୁ ଅଛି। ସେଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି।
ଆଗାମୀ ୫-୧୦ ବର୍ଷ ମଧ୍ୟରେ କୋଭିଡ ଠାରୁ ମଧ୍ୟ ବୃହତ୍ତର ସମସ୍ୟା ଆସିବ: ଡେଭିଡ ଆଟେନବର୍ଗ
Popular Categories



