କିସ୍ ବିଶ୍ୱବିଦ୍ୟାଳୟର ନୂଆ କୁଳାଧିପତି ସତ୍ୟ ସୁନ୍ଦର ତ୍ରିପାଠୀ, କୁଳପତି ଦୀପକ ବେହେରା
ଭୁବନେଶ୍ୱର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍(କିସ୍) ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା କଟକ ଜିଲାର ଅଧିବାସୀ ସତ୍ୟ ସୁନ୍ଦର ତ୍ରିପାଠୀ କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି। ମିଳିତ ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ତଥା ଗ୍ଲୋବାଲ୍ ଆଲଏନ୍ସ ଫର୍ ସଷ୍ଟେନେବଲ୍ ପ୍ଲାନେଟ୍ର ମହାସଚିବ ଶ୍ରୀ ତ୍ରିପାଠୀ ୧୯୯୮ରୁ ଦୀର୍ଘ ଦୁଇ ଦଶନ୍ଧୀ ଧରି ଜାତିସଂଘରେ ବିଭିନ୍ନ ପଦପଦବୀରେ ରହି ସେବା ଯୋଗାଇ ଦେଇ ଆସୁଛନ୍ତି। ଜାତିସଂଘର ଶତତ ବିକାଶ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନ, ମାନବ ଅଧିକାର, ଗଣତାନ୍ତ୍ରିକ ସରକାର ଓ ଆଇନ ବ୍ୟାପାର ଉପରେ କାର୍ଯ୍ୟ କରିଆସୁଛନ୍ତି। ଅର୍ଥନୀତି ଓ ଆଇନ୍ କ୍ଷେତ୍ରରେ ମଧ୍ୟ ତାଙ୍କର ଦୀର୍ଘ ୪୦ବର୍ଷର ଅଭିଜ୍ଞତା ରହିଛି।
ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ସମ୍ବଲପୁର ଜିଲ୍ଲାର ଅଧିବାସୀ ପ୍ରଫେସର ଦୀପକ ବେହେରା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜନ କରିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭରସିଟିରେ ଫୁଲବ୍ରାଇଟ୍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
ସେହିପରି ପ୍ରାକ୍ତନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ଡ. ଉପେନ୍ଦ୍ର ତ୍ରିପାଠୀ କିସ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଭାବେ ଯୋଗ ଦେଇଛନ୍ତି। ଡ. ତ୍ରିପାଠୀ ଭାରତ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ନିଜର କାର୍ଯ୍ୟ ଦକ୍ଷତା ସକାଶେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।
ଶିକ୍ଷାବିତ୍ ତଥା ଜଣେ ଦକ୍ଷ ଗବେଷକ ଭାବେ ଦୀର୍ଘ ଅଭିଜ୍ଞତା ଥିବା ତାମିଲ୍ନାଡୁସ୍ଥିତ ରାଜୀବ ଗାନ୍ଧୀ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୁଥ ଡେଭେଲପ୍ମେଣ୍ଟର ଡେଭେଲପ୍ମେଣ୍ଟ ବିଭାଗ ପ୍ରାକ୍ତନ ଡିନ୍ କେନ୍ଦୁଝର ଜିଲ୍ଲାର ଅଧିବାସୀ ପ୍ରଫେସର ପୀତବାସ ସାହୁ କିସ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଯୋଗ ଦେଇଛନ୍ତି। ଜନଜାତି ବିକାଶ, ରିଜିଓନାଲ୍ ଷ୍ଟଡିଜ୍, ଗ୍ରାମ ଉନ୍ନୟନ, ଶତତ ବିକାଶ ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୦ବର୍ଷରୁ ଊଦ୍ଧ୍ୱର୍ ଅବଧିର ଅଭିଜ୍ଞତା ରହିଛି। ଏହା ବ୍ୟତୀତ ତାଙ୍କର ୟୁଏନ୍ଡିପି, ଡବ୍ଲୁଏଫ୍ପି, ଏନ୍ଡଆର୍ଏଡି, ବିଶ୍ୱବ୍ୟାଙ୍କ ଓ ଡିଏଫ୍ଆଇଡି ଆଦି ଅନୁଷ୍ଠାନରେ କାର୍ଯ୍ୟ କରିବାର ଦକ୍ଷତା ରହିଛି।
ସେହିପରି ତାମିଲନାଡ଼ୁ କ୍ୟାଡର୍ର ଅବସରପ୍ରାପ୍ତ ଭାରତୀୟ ପୋଲିସ୍ ପ୍ରଶାସନିକ ଅଧିକାରୀ ଡ. କାହ୍ନୁ ଚରଣ ମାହାଲି ଅବସର ପରେ କିସ୍ ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଭାବେ ଯୋଗ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଏକ ଜନଜାତି ପରିବାରରେ ଜନ୍ମିତ ଏହି ଓଡ଼ିଆ ବ୍ୟକ୍ତି ଜଣେ ଦକ୍ଷ ପ୍ରଶାସକ ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। ଉଭୟ ପୋଲିସ୍ ପ୍ରଶାସନିକ ସେବା ସହ ଭାରତୀୟ ବନ ସେବା ବିଭାଗରେ ଡ. ମାହାଲିଙ୍କର ଦୀର୍ଘ ୩୪ ବର୍ଷର ଅଭିଜ୍ଞତା ରହିଛି।
କିସ୍ରେ ଏହି ସମସ୍ତ ସମ୍ମାନଜନକ ପଦପଦବୀରେ ଯୋଗ ଦେଇଥିବା ଲବ୍ଧ ପ୍ରତିଷ୍ଠିତ ପ୍ରଶାସକ ତଥା ଶିକ୍ଷାବିତ୍ମାନଙ୍କୁ କିସ୍ ଛାତ୍ର ସଂଘ, କିସ୍ ପୁରତନ ଛାତ୍ର ସଂଘ, କିସ୍ ଆଦିବାସୀ ଅଭିଭାବକ ସଂଘ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
କିସ୍କୁ ବିଶ୍ୱରେ ଶୀର୍ଷରେ ପହଞ୍ଚାଇବା ପାଇଁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। ଏଭଳି ଲବ୍ଧ ପ୍ରତିଷ୍ଠିତ ବିଦ୍ୱାନଙ୍କ ଯୋଗଦାନ ଫଳରେ ଆଗମୀ ଦିନରେ କିସ ବିଶ୍ୱବିଦ୍ୟାଳୟ ଜନଜାତି ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଉଛି।
Comments are closed.