www.samajalive.in
Sunday, December 7, 2025
26.1 C
Bhubaneswar

କେବଳ ସୀମାନ୍ତ ନୁହେଁ, କଳାହାଣ୍ଡିର ହଜାର ହଜାର ଏକର ଜମିରେ ଆନ୍ଧ୍ର ଚାଷୀଙ୍କ ମାଲିକାନା

ଲାଞ୍ଜିଗଡ: ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର କବଜା ଓ ଦାଦାଗିରି ତଥା ନାଲିଆଖି ନେଇ ସାରା ରାଜ୍ୟରେ ଉଠିବା ପଡ଼ିବା ସ୍ଥିତ ଦେଖାଦେଇଛି। ଏପରିକି କୋଟିଆ ଭଳି ଗାଁରେ ପଶି ଆସି ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ, ରାଜନୀତି ଓ ନିର୍ବାଚନ ପାଇଁ ମସୁଧା ରଖିଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି କଡ଼ା ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅପରପକ୍ଷରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଟ୍ୱିଟ୍‍ କରି କୋଟିଆ ପ୍ରତି ନିଜର ରଣନୀତି ସ୍ପଷ୍ଟ କରିଛନ୍ତି। ଏସବୁ ଭିତରେ କିନ୍ତୁ ଅନେକ କଥା ଲୁଚି ଯାଉଛି। କାରଣ ଦୀର୍ଘ ବର୍ଷ ହେଲା କୁକୁଡା ପାଇଁ ଆନ୍ଧ୍ର ବ୍ରଏଲର ଓ ମାଛ ତଥା ଅଣ୍ଡା ପାଇଁ ଆନ୍ଧ୍ର ଉପରେ ଅତିଶୟ ନିର୍ଭରଶୀଳ ହୋଇ ପଡିଥିବା ଆମ ଓଡିଶାର ଲୋକେ ଜାଣନ୍ତି ନାହିଁ ଯେ, ଓଡିଶାର ଜନଜୀବନର ଖାଦ୍ୟଶୈଳୀ ଓ ଖାଦ୍ୟାଭ୍ୟାସକୁ ନିୟନ୍ତ୍ରଣ କଲାଭଳି ଆନ୍ଧ୍ରର ବଡବଡ ଚାଷୀ, ବେପାରୀମାନେ ଓଡିଶାର ଲକ୍ଷଲକ୍ଷ ଏକର ଜମି ନିଜ କବଜାକୁ ନେଇ ସାରିଲେଣି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଅବ୍ୟବହୃତ ଜମିଗୁଡିକୁ ସେମାନେ ଅତି କମ୍‍ ଦାମ ଦେଇ କିଣି ନେଉଥିବାବେଳେ ସ୍ଥାନୀୟ ଦଲାଲମାନଙ୍କୁ ହାତ କରି ଅତି ସୁବିଧାରେ ରେଜିଷ୍ଟ୍ରେସନ ଓ ମ୍ୟୁଟେସନ୍‍ କରାଇ ନେଉଛନ୍ତି।

ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଏକର ଜମିର ମାଲିକାନା ଏବେ ଆନ୍ଧ୍ର ବାସିନ୍ଦାଙ୍କ ହାତକୁ ଚାଲିଗଲାଣି। ଆନ୍ଧ୍ର ଚାଷୀ ଓ ବେପାରୀମାନଙ୍କ ଚକ୍ରାନ୍ତ ଯୋଗୁଁ ଜିଲ୍ଲାର ଚାଷୀମାନେ ଏବେ ଜମିହୀନ ହେବାରେ ଲାଗିଥିବାବେଳେ ଜମି ବିକାରୁ ମିଳିଥିବା ଟଙ୍କା ସରିଯିବା ପରେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଜମି ମରାମତି ଯୋଜନାରେ ଆନ୍ତରିକତାର ଅଭାବ ଓ ମନରେଗା ଯୋଜନାରେ ବିଳମ୍ବ ପାଉଣା ଯୋଗୁଁ ଏଠାକାର ଚାଷୀମାନେ ହତୋତ୍ସାହିତ ହୋଇ ପଡୁଥିବାବେଳେ ପଡିଆ ଜମିଗୁଡିକୁ ଏହି ଆନ୍ଧ୍ର ଚାଷୀ ଓ ବେପାରୀମାନଙ୍କ ହାତକୁ ଟେକି ଦେଉଥିବା ଜଣାପଡିଛି। ସ୍ଥାନୀୟ ଚାଷୀ ଓ ଦଲାଲମାନଙ୍କ ଚତୁରତା ତଥା ଆନ୍ଧ୍ର ମାଲିକଙ୍କ ମଧ୍ୟରେ ଠିକ୍‍ ବୁଝାମଣା ଯୋଗୁଁ ତହସିଲଦାରମାନେ ଚାହିଁଲେ ବି କିଛି ପଦକ୍ଷେପ ନେଇପାରୁନାହାନ୍ତି। ଏହିପରି ଭାବେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ଧ୍ର ବେପାରୀମାନେ ଜମି କିଣି ସାରିଥିବାବେଳେ ସେହି ଜମିରେ କାଜୁ, ନୀଳଗିରି, ଆମ୍ବ ସମେତ ଅନ୍ୟାନ୍ୟ ଅର୍ଥକରୀ ଫସଲ କରି ଲାଭବାନ ହେଉଛନ୍ତି।

- Advertisement -

ଅପରପକ୍ଷରେ ସ୍ଥାନୀୟ ଚାଷୀମାନେ ସଠିକ୍‍ ମାର୍ଗଦର୍ଶନ ଓ ସରକାରୀ ସହାୟତାରେ ପାତରଅନ୍ତର ନୀତି ଯୋଗୁଁ ଚାଷ କରି ଲଗାତାର କ୍ଷତି ସହିବା ବଦଳରେ ବାହାର ରାଜ୍ୟର ଲୋକଙ୍କୁ ନିଜର ପଡିଆ ଜମି ସବୁ ବିକି ଦେଉଥିବା ଦେଖିବାକୁ ମିଳିଛି। ଏପରିକି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଭଳି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ଦଲାଲମାନେ ଆନ୍ଧ୍ର ବେପାରୀଙ୍କଠାରୁ ଅଗ୍ରୀମ ନେଇ ଜମି ମାଲିକମାନଙ୍କୁ ଫୁସୁଲାଇ ଅଧିକ ଅର୍ଥର ଲୋଭ ଦେଖାଇ ଜମି ବିକ୍ରି ପାଇଁ ପ୍ରବର୍ତ୍ତାଉଛନ୍ତି। ଏହାସହିତ ଏକର ପିଛା କମିଶନ ହାତଉଥିବା ମଧ୍ୟ ଅଭିଯୋଗ ହୁଏ। ଏପରିସ୍ଥଳେ ସୀମାନ୍ତ ଗ୍ରାମଗୁଡିକ ଭଳି ଓଡିଶା ସରକାର ରାଜ୍ୟ ଭିତରେ ଚାଲିଥିବା ଏହି ଜମି କିଣାବିକା ଉପରେ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ମନେ ହୁଏ। ନଚେତ୍‍ ଆଗାମୀ ଦିନରେ ଓଡିଶାର ସୀମାନ୍ତ ଭଳି ରାଜ୍ୟର ଜମିର ମାଲିକ ବି ଆନ୍ଧ୍ରର ଲୋକେ ପାଲଟିବେ ତଥା ଓଡିଶାର ଗରିବ, ଆଦିବାସୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଜମିହୀନ ହେବାରେ ବିଳମ୍ବ ଲାଗିବ ନାହିଁ। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାହାର ରାଜ୍ୟର ଲୋକେ ଜମି କିଣିବାକୁ ନେଇ ଏକ ସ୍ୱତନ୍ତ୍ର ନୀତି ଲାଗୁ କରିବାର ସମୟ ଆସିଯାଇଛି ବୋଲି କୁହାଯାଇପାରେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories