ମାଲକାନଗିରି : ଚାଉଳ ପାଇଁ ୧୫ କିମି ଦୁର୍ଗମ ବାଟ ଚାଲିବାକୁ ପଡୁଛି। ଏପରି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର-ଓଡ଼ିସା ସୀମାନ୍ତବର୍ତ୍ତୀ ପପୁଲୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ପଞ୍ଚାୟତରେ ୧୧ ୱାର୍ଡ ରହିଛି ଓ ଅଞ୍ଚଳଟି ମାଓ ପ୍ରବଣ। ପ୍ରାୟ ୮ ହଜାର କୋଣ୍ଡାରେଡ୍ଡୀ ସମ୍ପ୍ରଦାୟର ଜନଜାତି ସେଠାରେ ବାସ କରୁଛନ୍ତି। ସରକାର ଚିତ୍ରକୋଣ୍ଡା ବ୍ଲକର କେବଳ ସ୍ୱାଭିମାନ ଅଞ୍ଚଳ କଥା ଚିନ୍ତା କରୁଛନ୍ତି। ଏହି ପଞ୍ଚାୟତ ସମସ୍ୟା ପ୍ରତି ଆଖି ବୁଝି ଦେଇଥିବା ମନେ ହେଉଛି। ଶିକ୍ଷା ଓ ଗମନାଗମନ ସାତସପନ। ମଧୁମାଳ, ଡବଲ ପାହାଡ ଭଳି ବହୁ ଦୁର୍ଗମ ଅଞ୍ଚଳର ଲୋକ ଚାଉଳ ପାଇଁ ପାହାଡ, ଦୁର୍ଗମ ଅଞ୍ଚଳ ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଆସୁଛନ୍ତି। ପଞ୍ଚାୟତରୁ ଉକ୍ତ ଅଞ୍ଚଳକୁ ଘଞ୍ଚ ଜଙ୍ଗଲ ଓ ମାଟିର ଅଣଓସାରିଆ ରାସ୍ତା ଦେଇ ଯିବାକୁ ପଡୁଛି। ଯାତାୟାତ ପାଇଁ ଅନ୍ୟ କୌଣସି ସୁବିଧା ନାହିଁ। ବୃଦ୍ଧବୃଦ୍ଧା ଭତ୍ତା, ରେସନ ପାଇଁ ପାଦଚଲା ରାସ୍ତାରେ ୧୫ କିମି ଆସୁଛନ୍ତି। ଗତ ନିର୍ବାଚନ ପୂର୍ବରୁ କାଲିମେଳା ବ୍ଲକରେ ଥିବାବେଳେ ବର୍ତ୍ତମାନ ଏହି ପଞ୍ଚାୟତ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ରହିଛି। ଚିକିତ୍ସାଳୟ କାଲିମେଳା ଅଧୀନରେ ତେଣୁ କାଲିମେଳାରୁ ସ୍ୱାସ୍ଥ୍ୟକର୍ମୀ ଆସିଲେ ହିଁ ସେମାନଙ୍କୁ ସ୍ୱାସ୍ଥ୍ୟସେବା ମିଳୁଛି। କାଲିମେଳାରୁ ଉକ୍ତ ପଞ୍ଚାୟତର ଦୂରତା ପ୍ରାୟ ୧୫୦ କିମି। ପାନୀୟଜଳ ପାଇଁ ଚୁଆ ଉପରେ ଭରସା କରିବାକୁ ପଡୁଛି। ଜାତିଗତ ପ୍ରମାଣପତ୍ର ପାଇଁ ୩୦ ବର୍ଷ ଧରି ଦାବି ହେଉଛି। ଆନ୍ଦୋଳନ କରି କଣ୍ଡାରେଡି ଜନଜାତିଙ୍କୁ ଆଦିବାସୀ ମାନ୍ୟତା ପାଇଁ ଦାବି ହୋଇଛି। ଏହି ଜନଜାତିଙ୍କୁ ଆନ୍ଧ୍ର ଓ ତେଲଙ୍ଗାନାରେ ଆଦିବାସୀ ମାନ୍ୟତା ମିଳିଥିବା ବେଳେ ଓଡ଼ିଶାରେ ମିଳି ପାରୁନି।

୩୦ ହଜାରରୁ ଊର୍ଦ୍ଧ୍ବ କଣ୍ଡାରେଡି ଜନଜାତି କୁର୍ମାନୁର, ପାପୁଲୁର ରହିଛନ୍ତି। ଅଞ୍ଚଳର ଛାତ୍ରଛାତ୍ରୀ ଆଦିବାସୀ ଆବାସିକ ବିଦ୍ୟାଳୟରେ ପଢିବାର ସୁଯୋଗ ପାଇ ନାହାନ୍ତି। ଲୁଣଠାରୁ ତେଲ ସବୁ ଆନ୍ଧ୍ର ଉପରେ ନିର୍ଭର କରନ୍ତି। ୮୦ ଭାଗ ଲୋକ ତେଲୁଗୁରେ କଥାବାର୍ତ୍ତା ହୁଅନ୍ତି। ଓଡ଼ିଆ ଭାଷା କହି ପାରନ୍ତି ନାହିଁ। ବିକାଶ କର ନତୁବା ଆମେ ଆନ୍ଧ୍ରରେ ମିଶିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ମାଓବାଦୀଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରୁ ରାମାରାଓ ମାଝି କଣ୍ଡାରେଡି ସମ୍ପ୍ରଦାୟକୁ ନେଇ ଏକ ସଂଘ ଗଢିଥିଲେ। ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିଥିଲେ। ଲାଲବାହିନୀର ନାଲି ଆଖି ଏବଂ ଗ୍ରାମ ବହିଷ୍କାର ନିଷ୍ପତ୍ତି କାରଣରୁ ପାପୁରୁଲ ଛାଡି ସେ ଅନ୍ୟତ୍ର ରହୁଛନ୍ତି। ଅଞ୍ଚଳରେ ଜଣେ ପୋଷ୍ଟମାଷ୍ଟର, ପୂର୍ବତନ ସରପଞ୍ଚ ଭଗବାନ ଓ ଅନ୍ୟ କିଛି ଲୋକଙ୍କୁ ମାଓମାନେ ପ୍ରଜାକୋର୍ଟରେ ହତ୍ୟା କରିଥିଲେ। ଅଞ୍ଚଳରେ ୧୪ଟି ବିଦ୍ୟାଳୟ ପାଞ୍ଚ ବର୍ଷ ହେବ ବନ୍ଦ ପଡିଛି। ବିଦ୍ୟାଳୟ ଅଛି, ଶିକ୍ଷକ ଯାଉ ନାହାନ୍ତି। ପୂର୍ବତନ ଜିଲାପାଳ ବଳବନ୍ତ ସିଂଙ୍କ ସମୟରେ ସେଠାରେ କଣ୍ଡାରେଡି ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉକ୍ତ ଆବାସିକ ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ କରୋନା କାରଣରୁ ବନ୍ଦ ରହିଛି। ଉଚ୍ଚଶିକ୍ଷା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ହିଁ ଭରସା।



