BJD Bijuli 480×75 Mob

ମାସ୍କ ଯାଞ୍ଚ ଆଳରେ ପୁଲିସର ଦାଦାଗିରି : ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ

BJD Bijuli 480×75 Mob

ଭଦ୍ରକ/ଆରଡି : ମାସ୍କ ପିନ୍ଧି ନଥିବା ଯୁବକଙ୍କ ବିରୋଧରେ ଆରଡି ପୁଲିସ ସଙ୍ଗୀନ ଦଫା ଲଗାଇ ଗତ ଶନିବାର କୋର୍ଟ ଚାଲାଣ କରିବା ଘଟଣା ଆଜି ଭିନ୍ନମୋଡ ନେଇଛି। ଯୁବକଜଣକ ପୁଲିସକୁ ମାଡ ମାରିଥିଲା ବୋଲି ପୁଲିସ ପକ୍ଷରୁ ସେତେବେଳେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବାର ଭିଡିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଛି ଆରଡି ପୁଲିସ। ମାଡଖାଇ କୋର୍ଟ ଚାଲାଣ ହୋଇଥିବା ଯୁବକଙ୍କ ମା’ ସସ୍ମିତା ମଇକାପ ଓ ବାପା ପ୍ରତାପ ମଇକାପ ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ନ୍ୟାୟ ଭିକ୍ଷା କରିଛନ୍ତି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଏସ୍‌ପି ଚରଣ ସିଂ ମୀନା ଧାମନଗର ଏସଡିପିଓଙ୍କୁ ତଦନ୍ତ ନିର୍ଦେଶ ଦେଇଥିବା କଥା କହିଛନ୍ତି ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତା’ର ତଦନ୍ତ ରିପୋର୍ଟ ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଏସ୍‌ପି ଯୁବକଙ୍କ ମା’କୁ ଭରସା ଦେଇଛନ୍ତି।
ପ୍ରକାଶଥାଉକି; ଗତ ଶନିବାର ବେତାଳିଗାଁରେ ରହୁଥିବା ଯାଜପୁର ଜିଲା ମଙ୍ଗଳପୁର ଅରଦାଳିୁଆ ଗାଁର ସୌମ୍ୟରଞ୍ଜନ ମଇକାପ ଓ ତାଙ୍କ ଭାଇ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆରଡି ପୀଠକୁ ଆସୁଥିବା ବେଳେ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଫାଣ୍ଡି ଆଗରେ ଅଟକାଇଥିଲା ଆରଡି ପୁଲିସ। ଜୋରିମାନା ଆଦାୟକୁ ନେଇ ଫାଣ୍ଡି ଭିତରେ ପୁଲିସ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ବେଳେ ଯୁବକ ମୋବାଇଲରେ ଭିଡିଓ ଉତ୍ତୋଳନ କରି ଚାଲିଥିଲା। ଏହାକୁ ନେଇ ଯୁବକଙ୍କୁ ୩/୪ଜଣ ପୁଲିସ ଅମାନୁଷିକ ଭାବେ ମାଡ ମାରିବା ସହ ତଳେ ପକାଇ ଦେଇଥିବା ନେଇ ଏକ ଭିଡିଓ ଆଜି ଭାଇରାଲ ହୋଇଛି। ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବା ପରେ ପୁଲିସର ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା ମିଳିଛି। ପୁଲିସ ସାମାନ୍ୟତମ ସହନଶୀଳତା ରକ୍ଷା କରି ନଥିବା କୁହାଯାଉଛି। ଏଥିସହ ପୁଲିସ ନିଜେ ମାସ୍କ ପିନ୍ଧି ନଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ଯୁବକଙ୍କୁ ମାଡ ମାରିଥିବା ପୁଲିସ ଓଲଟି ଯୁବକ ମାଡ ମାରିଲା ବୋଲି ଦର୍ଶାଇ କୋର୍ଟ ଚାଲାଣ କରିବା କେତେଦୂର ସମିଚୀନ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଏସ୍‌ପିଙ୍କ ନିର୍ଦେଶ ଅନୁଯାୟୀ ଧାମନଗର ଏସଡିପିଓ ଅଶୋକ ଦାସ ଆରଡି ଫାଣ୍ଡିକୁ ଆସି ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ସାମଗ୍ରିକ ଭାବେ ପୁଲିସ ତଥା ‘ମୋ ସରକାର’ର ଛବି ବିଗାଡ଼ୁଥିବାରୁ ଉଚିତ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇଛି।

Comments are closed.