www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶାରେ ମିଶିବାକୁ ଆନ୍ଧ୍ରବାସୀଙ୍କ ନିବେଦନ !

ପଟାଙ୍ଗି : କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟାଙ୍ଗି ବ୍ଲକ୍‍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଏବେ ସୁପ୍ରିମକୋର୍ଟରେ ଶୁଣାଣି ଅପେକ୍ଷାରେ ଥିବାବେଳେ କୋଟିଆ ଗ୍ରାମ ପୁଞ୍ଜ ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ରର ସୀମାନ୍ତବାସୀ ଓଡ଼ିଶାରେ ମିଶିବା ପାଇଁ ନିବେଦନ କରିବା ଘଟଣା ଚର୍ଚ୍ଚାକୁ ରୋଚକ ମୋଡ଼ ଦେଇଛି। ଓଡ଼ିଶା ସରକାର ବିକାଶ ପହଞ୍ଚାଇଥିବାବେଳେ ଆନ୍ଧ୍ର ସରକାର କେବଳ ପ୍ରୋତ୍ସାହନ କିଛି ଦେଇ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ଭୁଲିଯାଇଥିବା ଯୋଗୁଁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
କୋଟିଆ ବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ପ୍ରାୟ ୧୮୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ସହ ସେମାନଙ୍କ ଜୀବିକାଜୀବିକା ପାଇଁ ଅଦା, କଦଳି, ଗୋପାଳନ, କୁକୁଡା, ଛେଳିଚାଷ ସାଙ୍ଗକୁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ରିକ ମାଧ୍ୟମରେ ଲୋକଙ୍କ ଆର୍ଥିକ ସମୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। କୋରାପୁଟ ଜିଲା ପ୍ରଶାସନ ଘନଘନ ଗସ୍ତ କରି ଲୋକଙ୍କୁ କିଭଳି ତ୍ୱରିତ ସେବା ପହଞ୍ଚିବ ସେ ଦିଗରେ ଅନବରତ ପ୍ରୟାସ ଚଳାଇଛି। ସୀମାନ୍ତବାସୀଙ୍କ ପାଇଁ ରାଜ୍ୟ ସରକାର ଅଗ୍ରାଧିକାରଭିତ୍ତିରେ ସମସ୍ତ କାର୍ଯ୍ୟ କରୁଥିବା ବେଳେ ଗ୍ରାମର କେତେକ ଖଳପ୍ରକୃତିର ଲୋକ ଆନ୍ଧ୍ରର ପ୍ରଲୋଭନରେ ଗ୍ରାମବାସୀଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। କୋଟିଆର ବିକାଶ ପାଇଁ ଆନ୍ଧ୍ର ଆଜି ଯାଏଁ କୌଣସି ସାର୍ବଜନୀନ ବିକାଶ କରି ନ ଥିବା ବେଳେ କାଁଭାଁ ହିତାଧିକାରୀଙ୍କୁ ରାସନ, ପେନସନ ଏବଂ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦେଇ ନିଜର କରିବା ବାହାନାରେ ଲାଗିଛି। ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲା ଅନ୍ତର୍ଗତ ସାଲୁର ମଣ୍ଡଳ ଅଧୀନରେ ଥିବା କୋଡମା ପଞ୍ଚାୟତ ବାସିନ୍ଦା ମୌଳିକ ଅଧିକାରରୁ ବଞ୍ଚିତ ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଆନ୍ଧ୍ର ଛାଡ଼ି ଓଡ଼ିଶାରେ ମିଶିବାକୁ ନିବେଦନ କରିଛନ୍ତି। କୋଡମା ପଞ୍ଚାୟତବାସୀ ଗତକାଲି କୋରାପୁଟ ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି, ପଟାଙ୍ଗି ବ୍ଲକ୍‍ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ପ୍ରମୁଖଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସେମାନେ ଓଡ଼ିଶାରେ ମିଶିବାକୁ ଇଚ୍ଛୁକ ଥିବା ଶ୍ରୀ ପାଙ୍ଗିଙ୍କୁ ଜଣାଇଛନ୍ତି। ଗତକାଲି କୋଡମାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ଶ୍ରୀ ପାଙ୍ଗି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସାଲୁର ବ୍ଲକ ଅଧ୍ୟକ୍ଷ ପାଙ୍ଗି ମାଳତି ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଞ୍ଚାୟତରେ କୋଡମା, ସିତାମାଡା, ସିରୁବାରା, ପିୟୁମାଡା, କଞ୍ଜାପାକା, ଗୁଞ୍ଜେରି, ମୋଣିଙ୍ଗି, କଡାଙ୍ଗିବାଲାସା, ଅଡୁଗୁଡା, ସିନ୍ତାଲାବାଲାସା, ମାଛିକା, ସିନ୍ତାଲବାଲାସ, ଲଦୋ, ବାନ୍ଦାବାଡୁ, ଶିରିଆରା, ଚିନାସୋରା, ପେଦାସୋରା, ଦଇଆରା, ପୋଇମାଡା ପ୍ରମୁଖ ୧୮ଖଣ୍ଡ ଗାଁର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ। ଏହି ପଞ୍ଚାୟତ ୧୦ଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବାବେଳେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଥିବା ଜଣାପଡ଼ିଛି। ଏହାର ପୋଷ୍ଟଅଫିସ ତୁଣ୍ଡାରେ ଥିବା ବେଳେ ବ୍ଲକ୍‍ କାର୍ଯ୍ୟାଳୟ ସାଲୁର, ମୋଟ ଘର ସଂଖ୍ୟା ୮୫୦ରୁ ଊର୍ଦ୍ଧ୍ବ ରହିଛି। ଏଠାକାର ବ୍ଲକ୍‍ ଅଧ୍ୟକ୍ଷ ପାଙ୍ଗି ମାଳତୀ ଦୋରା କୋଡମା ପଞ୍ଚାୟତର ସମିତି ସଭ୍ୟ ରହିଛନ୍ତି। ଶ୍ରୀ ଦୋରା ବ୍ଲକ ଅଧ୍ୟକ୍ଷ ଥାଇ ମଧ୍ୟ ନିଜ ପଞ୍ଚାୟତର କୌଣସି ଉନ୍ନତି କରିପାରୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ ସେଠା ଅଞ୍ଚଳର କୌଣସି ବିକାଶ ହେଉ ନାହିଁ। କେବଳ କିଛି ଗ୍ରାମବାସୀଙ୍କୁ ପେନସନ, ରାସନ ଏବଂ ଛାତ୍ରଛାତ୍ରୀଙ୍କୁ ଭତ୍ତା ଛାଡିଦେଲେ କୌଣସି ସୁବିଧା ସେମାନେ ପାଉ ନଥିବା ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି। ଓଡ଼ିଶା ସରକାର ସୀମାନ୍ତ ଅଞ୍ଚଳର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଯୋଗୁଁ ସେମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହୋଇ ଓଡ଼ିଶାରେ ମିଶିବା ପାଇଁ ଆକୁଳ ନିବେଦନ କରୁଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories