BJD Bijuli 480×75 Mob

ଧାନ ତାତିରେ ଗୃହ ହୁଲସ୍ତୁଲ

BJD Bijuli 480×75 Mob

ଭୁବନେଶ୍ୱର  : ରାଜ୍ୟ ସରକାର ଗୃହରେ ପ୍ରତିଶ୍ରୁତି ଦେଲେ ଯେ ପ୍ରକୃତ ଚାଷୀଙ୍କଠାରୁ ଧାନ କିଣିବେ। ଯେଉଁ ଚାଷୀମାନେ ଜାଲିଆତି କରି ଟୋକନ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ବାନ୍ଧିବେ। ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ; ହେଲେ କିଛି ହେଲା ନାହିଁ। ବିଧାନସଭାରେ ପ୍ରତିଶ୍ରୁତି ଦେବାର ୧୨ ଦିନ ମଧ୍ୟରେ ସରକାର କୁଇଣ୍ଟାଲଟିଏ ଧାନ ଉଠାଇ ପାରିଲେ ନାହିଁ। ଚାଷୀ ଅଭାବୀ ଧାନବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏମିତିକି କେତେକ ଚାଷୀ ବିଧାୟକଙ୍କ ଘର ଆଗରେ ଧାନ ଠୁଳ କରି ଧାରଣାରେ ବସୁଛନ୍ତି। ସରକାରଙ୍କ ଟୋକନ ପାଲା କେବେ ତୁଟିବ ଏବଂ ଚାଷୀଙ୍କ ଧାନ ସରକାର କେବେ କିଣିବେ ? ଏହିଭଳି ଅଭିଯୋଗର ଦସ୍ତାବିଜ୍ ଧରି ବିରୋଧୀ ଆଜି ଗୃହରେ ସରକାରଙ୍କୁ ଘେରିଥିଲେ। ପୂର୍ବାହ୍ନରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଏହି ସମସ୍ୟାର ସମାଧାନ ନହେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ହେଲେ ଅପରାହ୍ନରେ ମନ୍ତ୍ରୀ ଉତ୍ତର ପଢ଼ୁଥିବାବେଳେ ଏଥିରେ ସନ୍ତୁଷ୍ଟ ହୋଇ ନପାରି ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀ ପାଣିଗ୍ରାହୀଙ୍କଠାରୁ ସାନିଟାଇଜର ବୋତଲ ଛଡାଇଥିଲେ। ଏହାକୁ ନେଇ କିଛି ସମୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କୁ ନାକେଦମ କରିଥିଲେ। ସରକାର ବିରୋଧୀ ସ୍ଲୋଗାନ୍‌ ଦେଇଥିଲେ। ବିଧାନସଭାରେ ବିରୋଧୀଙ୍କ ଏଭଳି ଶାଣିତ ଆକ୍ରମଣକୁ ରୋକିବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବାରମ୍ବାର ମୁଲତବି କରିଥିଲେ ହେଁ ସଫଳ ହୋଇ ନଥିଲେ। ଏହାରି ଭିତରେ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇ ଯାଇଥିବାବେଳେ ମୁଲତବି ଆଲୋଚନା ମଧ୍ୟ ହୋଇପାରି ନଥିଲା।
ଆଜି ପୂର୍ବାହ୍ନରେ ଗୃହ ଆରମ୍ଭ ହେବାମାତ୍ରେ ଧାନ କିଣା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ଭିତରକୁ ଆସି ସରକାର ବିରୋଧୀ ନାରା ଦେଇ ଚାଲିଥିଲେ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ପ୍ରଥମେ ଦିନ ୧୧ଟାଯାଏଁ ମୁଲତବି କରିଥିଲେ। ୧୧ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଧାନକିଣା ନେଇ ଗୃହରେ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଶ୍ରୁତି ଦେଇଥିଲେ ଯେ ଯେଉଁମାନେ ପ୍ରକୃତ ଚାଷୀ ସେମାନଙ୍କଠାରୁ ଧାନ କିଣିବେ, ଯେଉଁମାନେ ଜାଲିଆତି କରି ଟୋକନ ହାତେଇଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବେ। ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ହେଲେ ଏପର୍ଯ୍ୟନ୍ତ କୌଣସି ଚାଷୀଙ୍କଠାରୁ ଧାନ ଉଠିଲା କି ସରକାର ତାଙ୍କ ପ୍ରତିଶ୍ରୁତି ରଖିଲେ ନାହିଁ। ଏବେ ମଣ୍ଡିରେ ଓ ଚାଷୀଙ୍କ ଘରେ ଧାନ ପଡିଛି। ଯେଉଁ ଚାଷୀଙ୍କ ଟୋକନ ଅଚଳ (ଲାପ୍ସ) ହୋଇଛି ତାଙ୍କ କଥା ବିଚାର କରାଗଲାନାହିଁ। ଏହା ଚାଷୀଙ୍କ ପ୍ରତି ଖାଲି ଅବମାନନା ନୁହେଁ; ପ୍ରତାରଣା ଓ ଗୃହ ପ୍ରତି ବିଶ୍ବାସଘାତ। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ବାଚସ୍ପତିଙ୍କଠାରୁ ଶ୍ରୀ ମିଶ୍ର ରୁଲିଂ ଦାବି କରିଥିଲେ।
ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ ସରକାର ଏପର୍ଯ୍ୟନ୍ତ କେତେ ଧାନ ମଣ୍ଡିରେ ଓ ଘରେ ଅଛି, କିଏ ଚାଷୀ ଏବଂ କିଏ ଜାଲିଆତି କରି ଚାଷୀ ବନିଛନ୍ତି ତା’ର ଆକଳନ କରିନାହାନ୍ତି। ସରକାରଙ୍କ ନିକଟରେ ବିରୋଧୀ କଟଣି ଛଟଣି ସମ୍ପର୍କରେ ଯେଉଁ ଅଭିଯୋଗ କରିଥିଲେ ତାହାର ବି ଯାଞ୍ଚ ହୋଇନି। ଯେଉଁ ଟୋକନ ଅବଧି ଲାପ୍ସ ହୋଇ ଯାଇଥିଲା ସେଥିରୁ କେଉଁ ଗୁଡିକ ପ୍ରକୃତ ଚାଷୀଙ୍କର ଏବଂ କେଉଁ ଗୁଡିକ ଜାଲିଆତି କରାଯାଇଛି ତାହା ତଦାରଖ ହେଲା କି ? ଯଦି ନୁହେଁ, ତେବେ ଏତେଦିନ ଧରି ସରକାର କ’ଣ କରୁଥିଲେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝି, କୁସୁମ ଟେଟେ ଓ ଭାସ୍କର ମଢ଼େଇ ପ୍ରମୁଖ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଖାଉଟି ଓ ଯୋଗାଣ ମନ୍ତ୍ରୀ ପୂର୍ବରୁ ଚାଷୀଙ୍କୁ ଯେଉଁ ଦଲାଲ କହୁଥିଲେ ତାହା ଯଦି ଠିକଣା କରିପାରି ନାହାନ୍ତି ତେବେ ଚାଷୀଙ୍କୁ କାହିଁକି ଦଲାଲ କହୁଥିଲେ ତା’ର କୈଫିୟତ କିଏ ଦେବ ? ବିଧାୟକଙ୍କ ଘର ଆଗରେ ଧାନ ଆଣି ଚାଷୀ ଥୋଉଛନ୍ତି। ବିଧାୟକମାନେ ଏବେ ସରକାରଙ୍କ ଉପରେ ଭରସା କରି ଲୋକଙ୍କ ପାଖରେ ମିଛୁଆ ହୋଇଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିବା ନେଇ ସରକାର ଠୋସ ପଦକ୍ଷେପ ନେଇ ନାହାନ୍ତି ସେପର୍ଯ୍ୟନ୍ତ ଗୃହ ଅଚଳ ରହିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଚେତାବନୀ ଦେଇଥିଲେ।
ଗୃହର ଉଦବେଗକୁ ଲକ୍ଷ୍ୟକରି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ, ଅାଜି ଗୃହ କାର୍ଯ୍ୟ ଶେଷ ସୁଦ୍ଧା ବିଭାଗୀୟ ମନ୍ତ୍ରୀ ଏ ସଂପର୍କରେ ବିବୃତି ରଖିବେ। ମାତ୍ର ବିରୋଧୀ ଏହାକୁ ଖାତିର ନକରି ଗୃହର ମଧ୍ୟଭାଗରେ ହଙ୍ଗାମା ଜାରି ରଖିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ।
ଅପରାହ୍ନ ଅଧିବେଶନରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନକିଣା ପ୍ରସଙ୍ଗରେ ବିବୃତି ରଖିଥିଲେ। ହେଲେ ମନ୍ତ୍ରୀଙ୍କ ବିବୃତିକୁ ନେଇ ଗୃହରେ ବିରୋଧୀ ପୁଣି ହଙ୍ଗାମା କରିଥିଲେ। ବିରୋଧୀଦଳ ନେତା ଶ୍ରୀ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ସରକାରଙ୍କୁ ପୁଣିଥରେ ଟୋକନ ପ୍ରହସନ ନେଇ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ସରକାର ଧାନକିଣା ସମୟ ସୀମାକୁ ନ ବଢ଼ାଇବା ବିଡ଼ମ୍ବନା ବୋଲି ଅଭିଯୋଗ ଆଣିଥିଲେ। ଏବେ ସମୟ ବିଳମ୍ବ ନକରି ପୁଣି ଥରେ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଅଡିବସିଥିଲେ। ଏତିକିବେଳେ ବିଜେପି ଓ କଂଗ୍ରେସ ସଭ୍ୟ ମିଳତ ଭାବେ ସରକାର ବିରୋଧୀ ନାରା ଦେଇଥିଲେ। ପରେ ବାଚସ୍ପତି ଶ୍ରୀ ପାତ୍ର ଷ୍ଟାଣ୍ଡିଂ କମଟି ରିେପାର୍ଟ ଉପସ୍ଥାପନ କରିବାକୁ କମିଟି ଅଧ୍ୟକ୍ଷ ମାନଙ୍କୁ ଡାକିଥିଲେ। ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ପ୍ରାୟ ୩୮ଟି କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏହାପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଶନିବାର ଯାଏଁ ମୁଲତବି ଘୋଷଣା କରିଥିଲେ।

Comments are closed.